ଭୁବନେଶ୍ବର, ୨୫।୧୦ : ରାଜ୍ୟ କ୍ୟାବିନେଟ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହୋଇଛି। ଏଥିରେ ୫ଟି ପ୍ରସ୍ତାବରେ କ୍ୟାବିନେଟ ମୋହର ଲାଗିଛି। ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି।
ଆଗକୁ ରାଜ୍ୟରେ ୨୦୦ ଟି ଇ- ବସ ଚାଲିବ । ଯେଉଁଥିରେ ପ୍ରଥମକରି ଅନୁଗୁଳ, ଝାରସୁଗୁଡ଼ା, କେଉଁଝର ଓ ବାରିପଦାରେ ୨୫ ଲେଖାଏଁ ନୂଆ ଇ-ବସ ଚାଲିବ । ସେହିଭଳି ବ୍ରହ୍ମପୁର ଓ ସମ୍ବଲପୁର ୫୦ ବସ ଚାଲିବ । ଏଥିପାଇଁ ୯୫୨.୫୬ କୋଟି ଟଙ୍କା ଖର୍ଚ୍ଚ ହେବ ।ଏଣିକି ଆହାର ଯୋଜନାର ଖର୍ଚ୍ଚ ରାଜ୍ୟ ସରକାର ନିଜେ ବହନ କରିବେ । ଏଥିପାଇଁ ୫ ବର୍ଷ ପାଇଁ ୫୧୨ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ଅନ୍ତର୍ଗତ କ୍ଷୁଦ୍ର ପ୍ରାଣୀ ଉନ୍ନୟନ ଉପ ଯୋଜନା କୁ କ୍ୟାବିନେଟ ର ମୋହର ବାଜିଛି । ଏହି ଯୋଜନା ଆସନ୍ତା ୪ ବର୍ଷ ପାଇଁ ୨୯୪.୩୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏହି ଯୋଜନା ଦ୍ୱାରା ୨୩ ହଜାର ୭୩୫ କୃଷକ ଉପକୃତ ହେବେ । ।
ବିମାନ ବନ୍ଦର ଗୁଡିକର ଭିତ୍ତିଭୂମି ବିକାଶ ଓ ଆଧୁନୀକରଣ ପାଇଁ ଖର୍ଚ୍ଚ ହେବ ୪.୧୮୨ କୋଟି ଟଙ୍କା । ଏହାକୁ କ୍ୟାବିନେଟ୍ ର ମୋହର ବାଜିଛି । ବିମାନ ସଂଯୋଗ, ରକ୍ଷଣାବେକ୍ଷଣ, ମରାମତି, କର୍ଗୋ ଓ ଲଜେଷ୍ଟିକ ବିକାଶ, ନୂଆ ପ୍ରଯୁକ୍ତିବିଦ୍ୟା ର ବ୍ୟବହାର ଇତ୍ୟାଦି ଅର୍ନ୍ତଭୁକ୍ତ ରହିଛି । ସେହିପରି ଫସଲ ବିବିଧିକରଣ କାର୍ଯ୍ୟକ୍ରମ ପାଇଁ ୩ ବର୍ଷରେ ଖର୍ଚ୍ଚ ହେବ ୧୫୨୩.୯୮ କୋଟି ଟଙ୍କା ।