ନୂଆଦିଲ୍ଲୀ,୨୦/୦୩: ୟୁନିଫାଏଡ୍‌ ପେମେଣ୍ଟ  ଇଣ୍ଟର୍‌ଫେସ୍‌(ୟୁପିଆଇ)କୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର  କ୍ୟାବିନେଟ ୟୁପିଆଇ ଇନ୍‌ସେଣ୍ଟିଭ୍‌ ସ୍କିମ୍‌କୁ ଆଉ  ବର୍ଷେ ବଢ଼ାଇ ଦେଇଛି । ଏ ସ୍କିମ୍‌ ୨୦୨୬ ମାର୍ଚ୍ଚ ୩୧ ଯାଏ  ଜାରି ରହିବ ଏବଂ ଏହା ଉପରେ ପ୍ରାୟ ୧,୫୦୦ କୋଟି  ଟଙ୍କା ଖର୍ଚ୍ଚ କରାଯିବ । 

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟ ବୈଠକ  ପରେ କହିଲେ ଯେ, ଏ ସ୍କିମ୍‌ରେ ରୁପେ ଡେବିଟ୍‌ କାର୍ଡ  ଏବଂ ଭୀମ୍‌-ୟୁପିଆଇ ଜରିଆରେ ୨,୦୦୦ ଟଙ୍କା ପର୍ଯ୍ୟନ୍ତ  ପର୍ସନ ଟୁ ମର୍ଚ୍ଚାଣ୍ଟ(ପି୨ଏମ୍‌) ଟ୍ରାଞ୍ଜାକ୍‌ସନ ଉପରେ କ୍ଷୁଦ୍ର  ବ୍ୟବସାୟୀଙ୍କୁ ୦.୧୫% ଇନ୍‌ସେଣ୍ଟିଭ୍‌ ମିଳିବ । ପର୍ସନ ଟୁ ମର୍ଚ୍ଚାଣ୍ଟ ୟୁପିଆଇ ଟ୍ରାଞ୍ଜାକ୍‌ସନ ଅର୍ଥ ହେଉଛି  ବ୍ୟବସାୟୀ ଏବଂ ଗ୍ରାହକଙ୍କ ମଧ୍ୟରେ କରାଯାଇଥିବା ୟୁପିଆଇ  ଟ୍ରାଞ୍ଜାକ୍‌ସନ । ଏ ସ୍କିମ୍‌ ୨୦୨୧ ଏପ୍ରିଲ ୧ରୁ କାର୍ଯ୍ୟକାରୀ  ହୋଇଛି । ରୁପେ ଡେବିଟ୍‌ କାର୍ଡକୁ ପ୍ରୋତ୍ସାହିତ କରିବା ଦ୍ୱାରା  ଏହାର ସିଧାସଳଖ ପ୍ରଭାବ ଅନ୍ତର୍ଜାତୀୟ ପେମେଣ୍ଟ କମ୍ପାନି  ଯେପରି ଭୀସା ଏବଂ ମାଷ୍ଟର୍‌କାର୍ଡ ଉପରେ ପଡ଼ିବ ।  

ଯଦି ଜଣେ ଗ୍ରାହକ ୧୦୦୦ ଟଙ୍କାର ସାମଗ୍ରୀ କିଣୁଛନ୍ତି  ଏବଂ ୟୁପିଆଇରେ ପେମେଣ୍ଟ କରନ୍ତି ତେବେ ଦୋକାନୀଙ୍କୁ  ୧.୫ ଟଙ୍କାର ଇନ୍‌ସେଣ୍ଟିଭ୍‌ ମିଳିବ । ସେହିଭଳି ବ୍ୟାଙ୍କଗୁଡ଼ିକୁ  ବି ଇନ୍‌ସେଣ୍ଟିଭ୍‌ ମିଳିବ। ସରକାର ବ୍ୟାଙ୍କଗୁଡ଼ିକର କ୍ଲେମ୍‌ର  ୮୦% ରାଶିକୁ ତୁରନ୍ତ ପ୍ରଦାନ କରିବେ । ବ୍ୟାଙ୍କଗୁଡ଼ିକୁ  ଅବଶିଷ୍ଟ ୨୦% ରାଶି ସେତେବେଳେ ମିଳିବ ଯେତେବେଳେ  ବ୍ୟାଙ୍କଗୁଡ଼ିକର ପ୍ରଯୁକ୍ତିଗତ ତ୍ରୁଟି ୦.୭୫%ରୁ କମ୍‌ ହେବ । 

ପ୍ରକାଶଯୋଗ୍ୟ, ସରକାର ଡିଜିଟାଲ ପେମେଣ୍ଟ୍‌କୁ  ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି । କେନ୍ଦ୍ରମନ୍ତ୍ରୀ  କହିଲେ ଯେ, ସରକାରଙ୍କ ଲକ୍ଷ୍ୟ ହେଉଛି  ୨୦୨୫-୨୬ରେ ୨୦,୦୦୦ କୋଟି ସଂଖ୍ୟକ  ଟ୍ରାଞ୍ଜାକ୍‌ସନ ଲକ୍ଷ୍ୟ ପୂରଣ କରିବା । ଏହାସହିତ  କ୍ଷୁଦ୍ର ସହର ଏବଂ ଗାଁ ପର୍ଯ୍ୟନ୍ତ ୟୁପିଆଇକୁ  ପହଞ୍ଚାଇବା ଉଦ୍ଦେଶ୍ୟ ।  

ପୂର୍ବରୁ ରୁପେ ଡେବିଟ୍‌ କାର୍ଡ ଏବଂ  ଭୀମ୍‌-ୟୁପିଆଇ ଟ୍ରାଞ୍ଜାକ୍‌ସନ ଉପରେ ମର୍ଚ୍ଚାଣ୍ଟ  ଡିସ୍‌କାଉଣ୍ଟ ରେଟ୍‌କୁ ‘ଶୂନ’ କରାଯାଇଥିଲା ।  ଏବେ ଏହି ଇନ୍‌ସେଣ୍ଟିଭ୍‌ ସ୍କିମ୍‌ ଦ୍ୱାରା କ୍ଷୁଦ୍ର  ବ୍ୟବସାୟୀଙ୍କୁ ୟୁପିଆଇରେ ପେମେଣ୍ଟ ନେବା ପାଇଁ ଉତ୍ସାହିତ  କରାଯିବ । କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଲେ, ୟୁପିଆଇ  ପେମେଣ୍ଟ ବ୍ୟବସାୟୀଙ୍କ ପାଇଁ ସହଜ, ସୁରକ୍ଷିତ ଏବଂ ଦ୍ରୁତ  ପେମେଣ୍ଟ ସର୍ଭିସ । ଏହାସହିତ ବିନା କୌଣସି ଅତିରିକ୍ତ  ଦେୟରେ ଟଙ୍କା ସିଧା ବ୍ୟାଙ୍କ ଖାତାକୁ ଆସିଥାଏ । ଚଳିତବର୍ଷ  ଫେବ୍ରୁଆରୀରେ ଦେଶରେ ୧,୬୧୧ କୋଟି ସଂଖ୍ୟକ ୟୁପିଆଇ  ଟ୍ରାଞ୍ଜାକ୍‌ସନ ହୋଇଛି । ଏହା ମାଧ୍ୟମରେ ମୋଟ ୨୧.୯୬ ଲକ୍ଷ  କୋଟି ଟଙ୍କା ମୂଲ୍ୟର କାରବାର ହୋଇଥିବା ଜଣାପଡ଼ିଛି ।