ନୂଆଦିଲ୍ଲୀ,୧୪/୧୧: ବ୍ଲିଙ୍କିଟ୍‌, ଇନ୍‌ଷ୍ଟାମାର୍ଟ, ଜେପ୍‌ଟୋ ଏବଂ ସ୍ୱିଗି ଭଳି କ୍ୱିକ୍‌ କମର୍ସ ପ୍ଲାଟ୍‌ଫର୍ମଗୁଡ଼ିକ ଅନୁଚିତ  ଉପାୟରେ ବ୍ୟବସାୟ କରୁଥିବା  ଅଭିଯୋଗ ଆଣିଛି ବ୍ୟବସାୟୀ ସଂଘ  କନ୍‌ଫେଡେରେଶନ୍‌ ଅଫ୍‌ ଅଲ୍‌ ଇଣ୍ଡିଆ  ଟ୍ରେଡର୍ସ (ସିଏଆଇଟି) । ଏ ନେଇ  ବୁଧବାର ସଂଘ ପକ୍ଷରୁ ଏକ ଶ୍ୱେତପତ୍ର  ଜାରି କରାଯାଇଛି । କମ୍ପାନିଗୁଡ଼ିକର କାର୍ଯ୍ୟପ୍ରଣାଳୀକୁ ନେଇ ଚିନ୍ତା ବ୍ୟକ୍ତ କରିଛି  ସଂଘ । ଏହା ଅଭିଯୋଗ ଆଣିଛି ଯେ, କ୍ୱିକ୍‌  କମର୍ସ ପ୍ଲାଟ୍‌ଫର୍ମଗୁଡ଼ିକର କାର୍ଯ୍ୟପ୍ରଣାଳୀ ଭାରତର ଖୁଚୁରା ଅର୍ଥବ୍ୟବସ୍ଥାର ମେରୁଦଣ୍ଡକୁ ଦୁର୍ବଳ କରିଦେଲାଣି । ସଂକଟରେ ତିନି କୋଟି କିରାଣା ଷ୍ଟୋର ।  କ୍ଷୁଦ୍ର ବ୍ୟବସାୟୀମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ  ଏଥିରେ ନିୟାମକ ସଂସ୍ଥାଗୁଡ଼ିକର ହସ୍ତକ୍ଷେପ ଲୋଡ଼ିଛି ସଂଘ ।  

ସିଏଆଇଟିର ରାଷ୍ଟ୍ରୀୟ ମହାସଚିବ  ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ, ଏହି  ପ୍ଲାଟ୍‌ଫର୍ମଗୁଡ଼ିକ ଯୋଗାଣକାରୀଙ୍କ ଉପରେ  ନିୟନ୍ତ୍ରଣ ହାସଲ କରିବା, ଇନ୍‌ଭେଣ୍ଟୋରି  ଉପରେ ପ୍ରଭୂତ୍ୱ ଏବଂ ଅନୁଚିତ ମୂଲ୍ୟ  ନିର୍ଦ୍ଧାରଣ ପାଇଁ ଏଫ୍‌ଡିଆଇ ବା ବିଦେଶୀ  ପ୍ରତ୍ୟକ୍ଷ ପୁଞ୍ଜିନିବେଶ ଆଇନର ଦୁରୂପଯୋଗ  କରୁଛନ୍ତି । ଏ ରଣନୀତି ଏକ ଅସମାନ  ବଜାର ସୃଷ୍ଟି କରୁଛି, ଯେଉଁଠି ୩ କୋଟି  କିରାଣା ଷ୍ଟୋର ତିଷ୍ଠିବା ପ୍ରାୟତଃ ଅସମ୍ଭବ  ହୋଇଗଲାଣି । ଏହି ପ୍ଲାଟ୍‌ଫର୍ମଗୁଡ଼ିକ ଛୋଟ ଛୋଟ ଖୁଚୁରା ବିକ୍ରେତାଙ୍କୁ ବଜାରରୁ ତଡ଼ିବା  ଭଳି କାର୍ଯ୍ୟ କରୁଛନ୍ତି ।  

ଶ୍ୱେତପତ୍ରରେ କୁହାଯାଇଛି ଯେ,  କ୍ୱିକ୍‌ କମର୍ସ କମ୍ପାନିଗୁଡ଼ିକ ଏଫ୍‌ଡିଆଇ  ନୀତି ଏବଂ ଭାରତର ପ୍ରତିସ୍ଫର୍ଦ୍ଧା ଆଇନର  ଉଲ୍ଲଂଘନ କରୁଛନ୍ତି । ଏସବୁ ଉଲ୍ଲଂଘନ  ସହିତ ପାରଦର୍ଶିତାର ଅଭାବ କେବଳ  କ୍ଷୁଦ୍ର ବ୍ୟବସାୟୀଙ୍କୁ କ୍ଷତି ପହଞ୍ଚାଉନାହିଁ,  ସମ୍ପୂର୍ଣ୍ଣ ଖୁଚୁରା ଇକୋସିଷ୍ଟମ୍‌କୁ ବିକୃତ କରୁଛି । ସିଏଆଇଟି ଏହା ଉପରେ ନିୟାମକ  ସଂସ୍ଥାଗୁଡ଼ିକର ହସ୍ତକ୍ଷେପ ଲୋଡ଼ିଛି,  ଯାହାଦ୍ୱାରା କ୍ୱିକ୍‌ କମର୍ସ ପ୍ଲାଟ୍‌ଫର୍ମଗୁଡ଼ିକ  ନିରପେକ୍ଷ ପ୍ରଥାଗୁଡ଼ିକର ପାଳନ  କରିବେ ଏବଂ କ୍ଷୁଦ୍ର ବ୍ୟବସାୟୀମାନଙ୍କ  ସ୍ୱାର୍ଥରକ୍ଷା ବି ହୋଇପାରିବ । 

ସିଏଆଇଟି  ଅଭିଯୋଗ ଆଣିଛି ଯେ, କ୍ୱିକ୍‌ କମର୍ସ  ପ୍ଲାଟ୍‌ଫର୍ମଗୁଡ଼ିକରେ ୫୪,୦୦୦ କୋଟି  ଟଙ୍କାରୁ ଊଦ୍ଧ୍ୱର୍ ଏଫ୍‌ଡିଆଇ ରହିଛି । ଏହି ନିବେଶର ଉପଯୋଗ ଭିତ୍ତିଭୂମି ନିର୍ମାଣରେ  ବ୍ୟବହାର ହୋଇନାହିଁ କିମ୍ବା ଦୀର୍ଘକାଳୀନ  ପରିସମ୍ପତ୍ତି ତିଆରିରେ ମଧ୍ୟ ଏହାର  ଉପଯୋଗ ହୋଇନାହିଁ ।ବଦଳରେ ଏହି  ନିବେଶର ଉପଯୋଗ ପରିଚାଳନାଗତ  କ୍ଷତି ଭରଣା, ଯୋଗାଣ ଶୃଙ୍ଖଳ ଉପରେ  ନିୟନ୍ତ୍ରଣ ଏବଂ ନିର୍ଦ୍ଦିଷ୍ଟ ବିକ୍ରେତାଙ୍କ ଦ୍ୱାରା  ଅନୁଚିତ ରିହାତି ଦେବା ପାଇଁ କରାଯାଉଛି। ଫଳରେ କ୍ୱିକ୍‌ କମର୍ସ କମ୍ପାନି ଉକ୍ତ ବଜାର ଅଂଶ ହାସଲ କରୁଛନ୍ତି । ଫଳରେ ବୃହତ୍‌  ଭାଗ ଖୁଚୁରା ବିକ୍ରେତାଙ୍କ ଅସ୍ଥିତ୍ୱ ଯିବାକୁ  ବସିଲାଣି । ବିଦେଶୀ ପୁଞ୍ଜି ଦ୍ୱାରା ସଂଚାଳିତ  ଏହି ପ୍ଲାଟ୍‌ଫର୍ମଗୁଡ଼ିକର ଅନିୟନ୍ତ୍ରିତ ଅଭିବୃଦ୍ଧି ଭାରତର ଖୁଚୁରା ଇକୋସିଷ୍ଟମ୍‌ ପାଇଁ ବିପଦ  ବୋଲି ସଂଘ ପ୍ରକାଶ କରିଛି । ଭାରତର  ଖୁଚୁରା କ୍ଷେତ୍ରର ଅସ୍ତିତ୍ୱ ବଞ୍ଚାଇବା ପାଇଁ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବା ପାଇଁ ସଂଘ ପକ୍ଷରୁ  ସରକାରଙ୍କୁ ଅନୁରୋଧ କରାଯାଇଛି ।