ନୂଆଦିଲ୍ଲୀ: ଥାଇଲାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ସୀମା ପାର୍‌କୁ ନେଇ ଭୀଷଣ ଯୁଦ୍ଧ ଜାରି ରହିଛି। ଉଭୟ ପକ୍ଷ ମଧ୍ୟରେ ଚାଲିଥିବା ସଂଘର୍ଷରେ ଏପର୍ଯ୍ୟନ୍ତ୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କାମ୍ବୋଡିଆର ରକେଟ୍ ଆକ୍ରମଣର ଜବାବରେ, ଥାଇଲ୍ୟାଣ୍ଡ F-16 ଯୁଦ୍ଧ ବିମାନରେ କାମ୍ବୋଡିଆ ରାଜଧାନୀ ଫୋମ୍ ପେନ୍‌ ଉପରେ ଆକ୍ରମଣ କରିଛି। ଏହାକୁ ନେଇ "ଦ ଫୋମ ପେନ୍ ପୋଷ୍ଟ" ରିପୋର୍ଟ କରିଛି ଯେ,ଥାଇଲାଣ୍ଡ ଗୁରୁବାର ୬ଟି F-16 ଯୁଦ୍ଧ ବିମାନ ସହିତ କାମ୍ବୋଡିଆ ଉପରେ ଆକ୍ରମଣ କରିଥିଲା। ଏହି ସମୟରେ କାମ୍ବୋଡିଆ ଏକ ଥାଇ ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦେଇଥିଲା।

ଦ ଫୋମ ପେନ୍ ପୋଷ୍ଟ ଅନୁଯାୟୀ, କାମ୍ବୋଡିଆର ଟା ମୁଏନ୍ ଥମ୍ ମନ୍ଦିର, ଟା କ୍ରାବେଇ ମନ୍ଦିର, ମମ୍ ବେଇ ଅଞ୍ଚଳ ଏବଂ ପ୍ରିହ ଭିହେର୍ ମନ୍ଦିର ଚାରିପାଖରେ ଆକ୍ରମଣ କରାଯାଇଛି। ସକାଳ ଠାରୁ ଦୁଇ ଦେଶ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଛି। ଏହି ସ୍ଥାନ ଗୁଡ଼ିକୁ ଯୁଦ୍ଧର ମୁଖ୍ୟ ବିନ୍ଦୁ ଭାବରେ ଚିହ୍ନଟ କରାଯାଇଛି । ଏହି ସମୟରେ କାମ୍ବୋଡିଆର ଜଣେ ଶୀର୍ଷ ଅଧିକାରୀ କହିଛନ୍ତି ଯେ, ଥାଇ ସେନା ଆକ୍ରମଣ ଆରମ୍ଭ କରିଛି, ଏହା "ଚକପଙ୍ଗ ଫୁଭାନାଟ୍ ସାମରିକ ରଣନୀତି" ଭାବରେ ଘୋଷଣା କରାଯାଇଥିବା ପ୍ରଥମ ପ୍ରମୁଖ ଆକ୍ରମଣ। ପ୍ରଧାନମନ୍ତ୍ରୀ ହୁନ୍ ମାନେଟ୍ କହିଛନ୍ତି ଯେ ଥାଇ ସେନା ଓଡାର୍ ମିଞ୍ଚେ ପ୍ରଦେଶରେ କାମ୍ବୋଡିଆନ୍ ସେନା ପଦାଧିକାରୀ ମାନଙ୍କ ଉପରେ ଆକ୍ରମଣ କରିଥିଲା ଏବଂ ତା’ପରେ ମମ୍ ବେଇ ଅଞ୍ଚଳକୁ ଆକ୍ରମଣକୁ ବିସ୍ତାର କରିଥିଲା। “କାମ୍ବୋଡିଆ ସର୍ବଦା ଶାନ୍ତିପୂର୍ଣ୍ଣ ଭାବରେ ସମସ୍ୟାର ସମାଧାନ କରିବାକୁ ସମର୍ଥନ କରିଆସିଛି, କିନ୍ତୁ ଏଥର ଆମ ପାଖରେ ବଳପୂର୍ବକ ଜବାବ ଦେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, କାମ୍ବୋଡିଆନ୍ ସରକାର, ସେନା ଏବଂ ପ୍ରଶାସନ ପୂର୍ଣ୍ଣ ଶକ୍ତି ସହିତ ଜାତୀୟ ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାକୁ ରକ୍ଷା କରିବାରେ ନିୟୋଜିତ ଅଛନ୍ତି। ସେହି ସମୟରେ, ଥାଇ ଆକ୍ରମଣ ଦ୍ୱାରା ପ୍ରଭାବିତ ନାଗରିକ ମାନଙ୍କୁ ମଧ୍ୟ ସହାୟତା ଯୋଗାଇ ଦିଆଯାଉଛି। ସିନେଟ୍ ଅଧ୍ୟକ୍ଷ ହୁନ୍ ସେନ୍ ମଧ୍ୟ ଆକ୍ରମଣକୁ ନିଶ୍ଚିତ କରି କହିଛନ୍ତି ଯେ ଥାଇ ସେନା ୨୩ ଜୁଲାଇରେ ଟା ମୁଏନ୍ ଥମ୍ ମନ୍ଦିରକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା, ଯାହାର ଗୋଟିଏ ଦିନ ପରେ ଆକ୍ରମଣ ଆରମ୍ଭ ହୋଇଥିଲା। “କାମ୍ବୋଡିଆନ୍ ସେନା ପାଖରେ ଏବେ ପ୍ରତିଶୋଧ ନେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ।”