ନୂଆଦିଲ୍ଲୀ, ୪।୧୧: କାନାଡ଼ାରେ ପୁଣି ହିନ୍ଦୁ ମନ୍ଦିରକୁ ଖଲିସ୍ତାନୀଙ୍କ ଟାର୍ଗେଟ୍ । ମନ୍ଦିର ଭିତରେ ହଳଦିଆ ପତାକା ଧରି ଖଲିସ୍ତାନୀ ହଙ୍ଗାମା କରିବା ସହ ଶ୍ରଦ୍ଧାଳୁଙ୍କୁ ପିଟିଲେ । ମନ୍ଦିର ପରିସରରେ ନା ଥିଲେ ସୁରକ୍ଷାକର୍ମୀ ନା ପୁଲିସ୍ । ଖଲିସ୍ତାନୀଙ୍କୁ ସ୍ଥାନୀୟ ପୁଲିସ ସୁରକ୍ଷା ଦେଇଥିବା ନେଇ ଅଭିଯୋଗ ମଧ୍ୟ ହୋଇଛି । କାନାଡ଼ୀୟ ପ୍ରଧାନମନ୍ତ୍ରୀ ଟ୍ରୁଡୋ ଏନେଇ ବିବୃତ୍ତି ଜାରି କଲେ । କାନାଡ଼ୀୟ ସାଂସଦ ଚନ୍ଦ୍ର ଆର୍ଯ୍ୟ କାନାଡ଼ାରେ ହିନ୍ଦୁ ଭକ୍ତଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି ।

କାନାଡ଼ାର ବ୍ରମ୍ପଟନରେ ଥିବା ହିନ୍ଦୁ ସଭା ମନ୍ଦିରରେ ଭକ୍ତଙ୍କ ଉପରେ ଆକ୍ରମଣ ହୋଇଛି । ଏଥିରେ ଖାଲିସ୍ତାନୀଙ୍କ ହାତରେ ହଳଦିଆ ପତାକା ଧରି ମନ୍ଦିର ପରିସରରେ ପଶି ହଙ୍ଗାମା ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି । କିଛି ଖାଲିସ୍ତାନୀ ହିନ୍ଦୁ ଭକ୍ତଙ୍କୁ ଏକ ଲାଠିରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି । ସେପଟେ ମନ୍ଦିର ଭିତରେ ହୋଇଥିବା ଏହି ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଓ ସାଂସଦ । ଏହି ହିଂସାକୁ ନିନ୍ଦା କରି ସାଂସଦ କହିଛନ୍ତି ଯେ, ‘ଖଲିସ୍ତାନୀ ଚରମପନ୍ଥୀମାନେ ରେଡ୍ ଲାଇନ ଅତିକ୍ରମ କରିଛନ୍ତି । ଏହା କାନାଡ଼ାରେ ହିଂସକ ଉଗ୍ରବାଦର ଉଦୟକୁ ଜାଗ୍ରତ କରୁଛି’ ।

ଜଷ୍ଟିନ୍ ଟ୍ରୁଡୋ କହିଛନ୍ତି, ‘ଏଭଳି ଘଟଣାକୁ ବରଦାସ୍ତ କରାଯିବ ନାହିଁ, ଯେଉଁମାନେ ଦୋଷୀ ଆଇନ ଅନୁଯାୟୀ ସେମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯିବା ଉଚିତ୍’ । ତେବେ ଖଲିସ୍ତାନୀମାନେ ମନ୍ଦିର ଭିତରେ ହଙ୍ଗାମା କରିବା ବେଳେ ସେଠାରେ କୌଣସି ସୁରକ୍ଷାକର୍ମୀ କିମ୍ବା ପୁଲିସ୍ ଦୃଶ୍ୟମାନ ହେଉନାହାଁନ୍ତି । ଏଭଳି ପରିସ୍ଥିତିରେ କାନାଡ଼ା ପୁଲିସ ଖଲିସ୍ତାନୀଙ୍କୁ ସୁରକ୍ଷା ଦେଇଥିବା ନେଇ ଅଭିଯୋଗ ହୋଇଛି । ପ୍ରଶ୍ନ ଉଠିଛି ଯେ, ଏତେ ବଡ଼ ଘଟଣା ସତ୍ତ୍ୱେ ପୁଲିସ କାହାକୁ ଗିରଫ କରିନାହିଁ । ଏହାର ଭିଡିଓ ସାମ୍ନାକୁ ଆସିବା ପରେ ମଧ୍ୟ ଅଭିଯୁକ୍ତକୁ ଚିହ୍ନଟ କରିବାରେ ପୁଲିସ ସକ୍ଷମ ହୋଇପାରିନାହିଁ ।
