ନୂଆଦିଲ୍ଲୀ,୦୪/୧୧: ସୋମବାର କାନାଡାର ବ୍ରମ୍ପଟନ୍ରେ ଥିବା ହିନ୍ଦୁ ସଭା ମନ୍ଦିର ଉପରେ ହୋଇଥିବା ଆକ୍ରମଣ ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କାନାଡା ପୋଲିସ ତିନି ଜଣଙ୍କୁ ଗିରଫ କରିଛି। ପିଲ ପୋଲିସ କହିଛି ଯେ ବ୍ରମ୍ପଟନରେ ହିନ୍ଦୁ ସଭା ମନ୍ଦିର ଉପରେ ହୋଇଥିବା ଆକ୍ରମଣ ଘଟଣାରେ ସେମାନେ ତିନି ଜଣଙ୍କୁ ଗିରଫ କରିଛନ୍ତି। ତେବେ ବର୍ତ୍ତମାନ ଗିରଫ ହୋଇଥିବା ବ୍ୟକ୍ତିଙ୍କ ପରିଚୟ ସାର୍ବଜନୀନ କରାଯାଇ ନାହିଁ।
ଏହି ଆକ୍ରମଣକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରାନ୍ଧୀର ଜୈସୱାଲ କହିଛନ୍ତି, “ଗତକାଲି ବ୍ରମ୍ପଟନରେ ହିନ୍ଦୁ ସଭା ମନ୍ଦିର ଉପରେ ଉଗ୍ରବାଦୀ ଏବଂ ବିଚ୍ଛିନ୍ନତାବାଦୀଙ୍କ ଆକ୍ରମଣକୁ ଆମେ ନିନ୍ଦା କରୁଛୁ। କାନାଡା ସରକାରଙ୍କୁ ଆମେ ଆହ୍ବାନ କରୁଛୁ ଯେ ସମସ୍ତ ପୂଜାପାଠ ସ୍ଥାନକୁ ଏହିପରି ଆକ୍ରମଣରୁ ସୁରକ୍ଷିତ ରଖନ୍ତୁ। ଆମେ ମଧ୍ୟ ଆଶା କରୁଛୁ ଯେ ହିଂସା ସହ ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। କାନାଡାରେ ଭାରତୀୟ ନାଗରିକଙ୍କ ସୁରକ୍ଷା ପାଇଁ ଆମେ ବହୁତ ଚିନ୍ତିତ। ଭାରତୀୟ ତଥା କାନାଡୀୟ ନାଗରିକଙ୍କୁ ସେବା ଯୋଗାଇବା ପାଇଁ ଆମର ବାଣିଜ୍ୟିକ ଦୂତାବାସର ଅଧିକାରୀଙ୍କ ପ୍ରବେଶ ଭୟ, ନିର୍ଯ୍ୟାତନା ଏବଂ ହିଂସା ଦ୍ୱାରା ବାଧାପ୍ରାପ୍ତ ହେବ ନାହିଁ।'
କ'ଣ କହିଲେ ଟ୍ରୁଡୋ:
କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସୋମବାର ଟ୍ୱିଟରରେ ଏକ ପୋଷ୍ଟ କରି ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ଟ୍ରୁଡୋ କହିଛନ୍ତି ଯେ ପ୍ରତ୍ୟେକ କାନାଡୀୟଙ୍କର ନିଜ ବିଶ୍ୱାସକୁ ମୁକ୍ତ ଏବଂ ନିରାପଦ ପରିବେଶରେ ପାଳନ କରିବାର ଅଧିକାର ଅଛି। ସମ୍ପ୍ରଦାୟର ସୁରକ୍ଷା ତଥା ଘଟଣାର ଅନୁସନ୍ଧାନ ପାଇଁ ଜଷ୍ଟିନ ଟ୍ରୁଡୋ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସମ୍ପ୍ରଦାୟର ନିରାପତ୍ତା ତଥା ଏହି ଘଟଣାର ତଦନ୍ତ ପାଇଁ ତୁରନ୍ତ ପ୍ରତିକ୍ରିୟା ପାଇଁ ପିଲ୍ ଆଞ୍ଚଳିକ ପୋଲିସକୁ ମଧ୍ୟ ଧନ୍ୟବାଦ ଅର୍ପଣ କରାଯାଇଛି।
ଏହି ଆକ୍ରମଣ ପରେ କାନାଡାରେ ରହୁଥିବା ହିନ୍ଦୁମାନେ ମଧ୍ୟ ଏକତା ପ୍ରଦର୍ଶନ କରୁଛନ୍ତି। ବ୍ରମ୍ପଟନରେ ଥିବା ହିନ୍ଦୁ ସଭା ମନ୍ଦିର ବାହାରେ ଭାରତୀୟମାନେ 'ବିଭାଜନ କଲେ, ବିଭାଜିତ ହେବ' ସ୍ଲୋଗାନ ଦେଇ ଭାରତୀୟମାନଙ୍କୁ ଏକଜୁଟ ହେବାକୁ ନିବେଦନ କରିଥିଲେ। ପିଲ ଆଞ୍ଚଳିକ ପୋଲିସ କହିଛି ଯେ ସେମାନେ ବ୍ରମ୍ପଟନରେ ଥିବା ହିନ୍ଦୁ ସଭା ମନ୍ଦିରରେ ଏକ ପ୍ରଦର୍ଶନରେ ନିୟୋଜିତ ହୋଇଥିଲେ। ଏହି ପ୍ରଦର୍ଶନକୁ ମିସାଇସାଉଗା ସହର ମଧ୍ୟରେ ଦୁଇଟି ଭିନ୍ନ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଏହି ପ୍ରଦର୍ଶନ ପରେ ତିନି ଜଣଙ୍କୁ ଗିରଫ କରାଯାଇ ସେମାନଙ୍କ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଛି।