ନୂଆଦିଲ୍ଲୀ : ସାର୍ବଜନିକ କ୍ଷେତ୍ରର କାନାରା ବ୍ୟାଙ୍କ ଲୋନ୍ ବିଷୟରେ ନେଇଛି ବଡ଼ ନିଷ୍ପତ୍ତି। ବ୍ୟାଙ୍କ ଅଧିକାଂଶ ଅବଧି ପାଇଁ ଫଣ୍ଡ ଆଧାରିତ ଲେଣ୍ଡିଂ ରେଟ୍ (ଏମସିଏଲଆର)ର ମାର୍ଜିନାଲ୍ ମୂଲ୍ୟରେ ୦.୧୦ ପ୍ରତିଶତ ହ୍ରାସ କରିଛି, ଯେଉଁଥିରେ ଏବେ ଋଣ ଶସ୍ତା ହୋଇଯିବ। କାନାରା ବ୍ୟାଙ୍କ କହିଛି ଯେ, ବର୍ଷକ ଅବଧିର ଏମସିଏଲଆର ବର୍ତ୍ତମାନର ହାର ୯.୧୦ ପ୍ରତିଶତର ତୁଳନାରେ ୯ ପ୍ରତିଶତରେ ରହିବ। ବେଞ୍ଚମାର୍କ ଏମସିଏଲଆର ବ୍ୟବହାର କାର ଓ ପର୍ସନଲ ଲୋନ୍ ଭଳି ଅଧିକାଂଶ କଞ୍ଜ୍ୟୁମର ଲୋନ୍ର ମୂଲ୍ୟ ସ୍ଥିର କରିବା ପାଇଁ କରାଯାଏ।
୧୨ ମେ’ ରୁ ଲାଗୁ –
ବ୍ୟାଙ୍କ କହିଛି ଯେ, ଗୋଟେ ମାସ, ୩ମାସ ଓ ୬ ମାସର ଅବଧି ପାଇଁ ସୁଧ ହାର ୮.୨୫ - ୮.୮୦ ପ୍ରତିଶତର ପରିସରରେ ହେବ। ଗୋଟିଏ ଦିନର ଅବଧି ପାଇଁ ଏମସିଏଲଆର ୮.୩୦ ପ୍ରତିଶତର ତୁଳନାରେ ୮.୨୦ ପ୍ରତିଶତ ହେବ। ବ୍ୟାଙ୍କ କହିଛି ଯେ, ଏହାର ନୂଆ ମାର୍ଜିନାଲ ଏମସିଏଲଆର ୧୨ ମେ’ ରୁ ପ୍ରଭାବୀ ହେବ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗତ ମାସରେ ନିଜର ପ୍ରମୁଖ ସୁଧ ହାରରେ ୦.୨୫ ପ୍ରତିଶତ ହ୍ରାସ କରି ଏହାକୁ ୬ ପ୍ରତିଶତ କରି ଦେଇ ଥିଲା। ଏହି ହ୍ରାସ ଚଳିତ ବର୍ଷ ଲଗାତାର ୨ୟ ଥର କରାଯାଇଛି।
କାନାରା ବ୍ୟାଙ୍କର ତ୍ରୟମାସିକ ଫଳାଫଳ –
ଗତ ଆର୍ଥିକ ବର୍ଷ ( ୨୦୨୪-୨୫)ର ଜାନୁଆରୀ – ମାର୍ଚ୍ଚ ତ୍ରୟମାସିକରେ କାନାରା ବ୍ୟାଙ୍କର ନେଟ୍ ପ୍ରଫିଟ୍ ୨୮ପ୍ରତିଶତ ବୃଦ୍ଧି ପାଇ ୫,୦୭୦ କୋଟି ଟଙ୍କା ହୋଇ ଯାଇଛି। ବ୍ୟବସ୍ଥା ହ୍ରାସ ଓ ଅଣ-କୋର ଆୟରେ ବୃଦ୍ଧିରେ ବ୍ୟାଙ୍କର ପ୍ରଫିଟ୍ ବଢିଛି। ଆର୍ଥିକ ବର୍ଷ ୨୦୨୩-୨୪ର ସମାନ ତ୍ରୟ ମାସିକରେ ବ୍ୟାଙ୍କର ପ୍ରଫିଟ୍ ୩,୯୫୧ କୋଟି ଟଙ୍କା ରହିଥିଲା। ବ୍ୟାଙ୍କ କହିଛି ଯେ, ଗତ ପୂରା ଆର୍ଥିକ ବର୍ଷ ୨୦୨୪-୨୫ରେ ଏହାର ନେଟ୍ ପ୍ରଫିଟ୍ ୧୭,୫୪୦ କୋଟି ଟଙ୍କା ରହିଛି , ଯାହା ୨୦୨୩-୨୪ ରେ ୧୫,୨୭୯ କୋଟି ଟଙ୍କା ରହି ଥିଲା।
ବ୍ୟାଙ୍କ କହିଛି ଯେ, ୧୧ ପ୍ରତିଶତ ଋଣ ବୃଦ୍ଧି ସତ୍ତ୍ୱେ ତ୍ରୟମାସିକରେ ମୂଳ ସୁଧ ଆୟ ୧ .୪୪ ପ୍ରତିଶତ ହ୍ରାସ ପାଇ ୯,୪୪୨ କୋଟି ଟଙ୍କାରେ ରହିଛି। ଅନ୍ୟପଟେ ନେଟ୍ ସୁଧ ମାର୍ଜିନ୍ ୦.୨୫ ପ୍ରତିଶତ ହ୍ରାସ ପାଇ ୨.୮୦ ପ୍ରତିଶତରେ ରହିଛି। ତ୍ରୟମାସିକ ବେଳେ ବ୍ୟାଙ୍କର ନନ୍-ଇଣ୍ଟରେଷ୍ଟ ଆୟ ୨୧.୭୪ ପ୍ରତିଶତ ବଢି ୬,୩୫୧ କୋଟି ଟଙ୍କା ହୋଇ ଯାଇଛି।