ସୁବର୍ଣ୍ଣପୁର, ୦୬/୦୯: ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ନୂଆ ବଜାରରେ ହୁତୁହୁତୁ ହୋଇ ଜଳିଗଲା ଗଞ୍ଜେଇ ଭର୍ତ୍ତି ନମ୍ବର ବିହୀନ ଗାଡି I ଖବର ପାଇ ଘଟଣା ସ୍ଥଳକୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆକୁ ଆୟତ୍ତ କରିଥିବା ବେଳେ ବିନିକା ପୁଲିସ ପହଞ୍ଚି ଗଞ୍ଜେଇ ଗାଡିକୁ ଜବତ କରିଛି I ଗାଡି ଭିତରୁ ପୁଲିସ ୨ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି I କିନ୍ତୁ ଗାଡିର ଆଗ ଚକ ଫାଟି ଯିବାରୁ ଗଞ୍ଜେଇ ଭର୍ତ୍ତି ଗାଡ଼ିରେ ଡ୍ରାଇଭର ପେଟ୍ରୋଲ ଢାଳି ଗାଡିକୁ ଜାଳି ଫେରାର ମାରିଥିବା ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି I
ସୂଚନା ମୁତାବକ, ଶନିବାର ସକାଳୁ ସୋନପୁର ପଟରୁ ଗଞ୍ଜେଇ ଭର୍ତ୍ତି କରି ବିନିକା ଦେଇ ଏକ ନମ୍ୱର ବିହୀନ ଗାଡି ଯାଉଥିଲା । ଏତିକି ବେଳେ ନୂଆ ବଜାର ନିକଟରେ ଗାଡିର ଚକା ଫାଟିଯାଇଥିଲା । ପୁଲିସ ଭୟରେ ଡ୍ରାଇଭର ଗାଡିକୁ ନିଜେ ନିଆଁ ଲଗାଇ ପୋଡିଦେଇ ଫେରାର ମାରିଥିବା ସୂଚନା ମିଳିଛି । ଘଟଣା ସ୍ଥଳକୁ ମାଜିଷ୍ଟ୍ରେଟ ଦାୟିତ୍ୱରେ ଅତିରିକ୍ତ ତହସିଲଦାର ଦୟାରାମ ମେହେର, ବିନିକା ଥାନା ଅଧିକାରୀ ସତ୍ୟନାରାୟଣ ପଧାନ ପହଞ୍ଚି ଗାଡି ଏବଂ ପ୍ରାୟ ୨.୫୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରି ତଦନ୍ତ ଚଳାଇଥିବା ପୁଲିସ ସୂଚନା ଦେଇଛି ।