ଭୁବନେଶ୍ୱର,୨୫/୦୯:  କ୍ୟାପିଟାଲ ହସ୍ପିଟାଲରେ ହଙ୍ଗାମା ଘଟଣାରେ କ୍ୟାପିଟାଲ ଥାନା ପୁଲିସ  ଜଣେ ୟୁଟ୍ୟୁବରଙ୍କୁ ଗିରଫ କରିଛି ।  ସେ ହେଲେ, ଦୀପକ ନାୟକ । ଘର  ଭଦ୍ରକ ଜିଲ୍ଲା ନଈକାଣ୍ଡହି ଥାନାର  ପୁରୁଷୋତ୍ତମପୁର ଗାଁରେ । ତଦନ୍ତରୁ ଜଣାପଡ଼ିଛି ଯେ ଦୀପକ ଘଟଣାଦିନ  ଲାଇଭ୍‌ ଭିଡିଓ କରି ଅଶ୍ରାବ୍ୟ  ଭାଷାରେ ଗାଳିଗୁଲଜ କରିଥିଲେ । ଏମିତିକି ସୁରକ୍ଷାକର୍ମୀମାନଙ୍କୁ ମାରି ଦେବା ପାଇଁ ଅଟୋ ଡ୍ରାଇଭରମାନଙ୍କୁ ଉସକାଇଥିଲେ ।  

କ୍ୟାପିଟାଲ ହସ୍ପିଟାଲରେ ଅଟୋ ଡ୍ରାଇଭରଙ୍କ ଆକ୍ରମଣରେ ସୁବ୍ରତ  ବିଶ୍ୱାଳ ନାମକ ସୁରକ୍ଷାକର୍ମୀଙ୍କ ମୁଣ୍ଡ  ଫାଟିଥିଲା । ସେ ଥାନାରେ କରିଥିବା  ଲିଖିତ ଅଭିଯୋଗ ଅନୁସାରେ ଗତ ୨୨ ତାରିଖରେ ଶିଶୁ ଚିକିତ୍ସା ୱାର୍ଡରେ ଏକ ଶିଶୁର ମୃତ୍ୟୁ ପରେ ସ୍ମାର୍ଟ  ସିଟି ଅଟୋ ଗ୍ରୁପର ଡ୍ରାଇଭରମାନେ କ୍ୟାପିଟାଲ ହସ୍ପିଟାଲରେ ହଙ୍ଗାମା  କରୁଥିଲେ । ଶତାଧିକ ଅଟୋ ଡ୍ରାଇଭର ମଧ୍ୟାହ୍ଣ ୧ ଟାରେ ସୁବ୍ରତଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ ।  ସେମାନେ ଶିଶୁ ୱାର୍ଡରୁ କାଜୁଆଲିଟି ଆଡ଼କୁ ଧାଉଁଥିବା ବେଳେ ଦୀପକ  ସେମାନଙ୍କ ସହ ମିଶି ଦୌଡ଼ିଥିଲେ ।  ଫେସ୍‌ବୁକରେ ଲାଇଭ ଭିଡିଓ  କରି ସୁବ୍ରତଙ୍କୁ ଇଙ୍ଗିତ କରି "ୟାକୁ  ଜୀବନରୁ ମାରିଦିଅ" କହି ଅଟୋ  ଡ୍ରାଇଭରମାନଙ୍କୁ ଉସୁକାଇଥିଲେ ।  ଏମିତିକି ଅଟୋ ଡ୍ରାଇଭରଙ୍କ ସହ  ମିଶି ଦୀପକ ସୁବ୍ରତଙ୍କୁ ମାରଣାସ୍ତ୍ରରେ  ଆକ୍ରମଣ କରିଥିଲେ । ଯାହା ଫଳରେ  ତାଙ୍କ ମୁଣ୍ଡରେ ଗଭୀର ଆଘାତ  ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିଲା ।  ଦୀପକ ଘଟଣାଦିନ ଅନ୍ୟ ହସ୍ପିଟାଲ  କର୍ମଚାରୀଙ୍କୁ ଆକ୍ରମଣ କରିବା  ସହ ଅଶ୍ରବ୍ୟ ଭାଷାରେ ଗାଳି  କରିଥିଲେ । ପୁଲିସ ତଦନ୍ତରୁ  ଜଣାପଡ଼ିଛି ଯେ, ଦୀପକ ନାଁରେ  କ୍ୟାପିଟାଲ ଥାନାରେ ଆହୁରି ତିନୋଟି ମାମଲା ରୁଜୁ ହୋଇଛି । ବର୍ତ୍ତମାନ ଏହି  ମାମଲାର ଅଧିକ ତଦନ୍ତ ଚାଲୁଛି ।