ନୟାଗଡ଼,୧୨/୯: ସରପଞ୍ଚଙ୍କ ଉପରେ ରାଗ, ଗାଡ଼ିରେ ନିଆଁ ଲଗାଇ ସୁଝାଇଲେ ଦୁର୍ବୃତ୍ତ । ନୟାଗଡ଼ ବ୍ଲକ୍ ଭାଟସାହି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ସାରଦା କୁମାରୀ ସାହୁଙ୍କ ଗାଡି ପୋଡ଼ି ଦେଇଛନ୍ତି ଦୁର୍ବୃତ୍ତ । ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ପୁଲିସ ଘଟଣାର ତଦନ୍ତ କରୁଛି ।
ସୂଚନା ମୁତାବକ, ସରପଞ୍ଚ ସାରଦା କୁମାରୀ ସାହୁଙ୍କ ଘର ଭାଟସାହି ଗାଁରେ ହୋଇଥିବାରୁ ସେ ଏକ ବୋଲେରୋ ଗାଡିରେ ପଞ୍ଚାୟତକୁ ଯାତାୟାତ କରନ୍ତି । ଗୁରୁବାର ଦିନ ଡ୍ରାଇଭର ଗାଡି଼ଟିକୁ ପଞ୍ଚାୟତ ପରିସରରେ ରଖି ଘରକୁ ଚାଲି ଯାଇଥିଲା । ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଉକ୍ତ ଗାଡିରେ ନିଆଁ ଲଗାଇ ଦେଇଥିଲା । ଯାହା ଫଳରେ ଗାଡିର ସାମ୍ନା ପଟ ପ୍ରାୟ ପୋଡ଼ି ଯାଇଛି । ସରପଞ୍ଚଙ୍କ ସ୍ବାମୀ ନୟାଗଡ଼ ବ୍ଲକ୍ ଅଧ୍ୟକ୍ଷ ଅଛନ୍ତି । ତେବେ କେହି ରାଗ ରଖି ଏପରି କରିଥିବା ଅନୁମାନ କରାଯାଉଛି । ଏନେଇ ବ୍ଲକ୍ ଅଧ୍ୟକ୍ଷ କିଶୋର ସାହୁ ଥାନାରେ ଅଭିଯୋଗ କରିଛନ୍ତି ।