ଦାରିଙ୍ଗବାଡ଼ି,୨୮/୦୮: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଟଣା । ଘରୋଇ ବସ୍‌ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛି। ମୃତକ ହେଲେ ବ୍ରାହ୍ମଣୀ ଗାଁ ଧର୍ମସାହିର ବଣ୍ଡାସା ମାଝୀ ଓ ଗୁରୁତର ଜଣଙ୍କ ହେଲେ ବଣ୍ଡାଗୁଡି ମାଝୀ। ଘଟଣା ସ୍ଥଳରେ ବଣ୍ଡାସା ମାଝୀ ମୃତ୍ୟୁ ବରଣ କରିଥିବା ବେଳେ ବଣ୍ଡାଗୁଡ଼ି ମାଝୀଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ବସ୍‌ ଧକ୍କାରେ ଅନେକ ଗାଡ଼ି ନଷ୍ଟ ହୋଇଛି । ଗୋଟିଏ ଦୋକାନ ମଧ୍ୟ ବସ୍ ଚଢ଼ିଯାଇଥିବାର ଖବର ରହିଛି । 

ସୂଚନା ମୁତାବକ, ବିକ୍ରାନ୍ତା ନାମକ ଏକ ବସ୍‌କୁ ବ୍ରାହ୍ମଣୀ ଗାଁ ସ୍ଥିତ ମାଆ ଗୃହ କାର୍ଯ୍ୟାଳୟ ସାମ୍ନାରେ ପଦ୍ମାଳୟା ବସ୍‌ଟି ଓଭର ଟେକ୍‌ କରି ଯାଉଥିଲା । ଓଭର ଟେକ୍‌ କରିବା ବେଳେ ଗୋଟିଏ ବାଇକ୍‌, ଗୋଟିଏ କାର୍‌କୁ ପିଟିବା ସହ ଦୋକାନ ଉପରକୁ ଚଢି ଯାଇଥିଲା । ଉକ୍ତ ଦୋକାନରେ ବଣ୍ଡାସା ମାଝୀ ଓ ବଣ୍ଡାଗୁଡ଼ି ମାଝୀ ଚା ପିଉଥିଲେ। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଥିଲେ । କାର୍‌ରେ କେହି ନଥିବା ଯୋଗୁଁ ଅନ୍ୟ କାହାରି କୌଣସି କ୍ଷତି ହୋଇ ନାହିଁ । ଘଟଣାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଥିବା ବେଳେ କ୍ଷତି ପୂରଣ ଦାବି କରିଛନ୍ତି ଅଞ୍ଚଳବାସୀ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ସହ ବସ୍‌କୁ ଜବତ କରିଛି।