ବରଗଡ଼, ୩୧/୦୫ : ହାଇୱେରେ ଠିଆ ହୋଇଥିବା ଟ୍ରକ୍କୁ ପଛପଟୁ ଧକ୍କା ଦେଲା କାର୍। ଚାଳକ ମୃତ। ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଦଶମାଇଲ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ଜଣଙ୍କ ବରଗଡ଼ ବାସିନ୍ଦା ତଥା ଧନୁଯାତ୍ରା ସାଂସ୍କୃତିକ କମିଟିର ସକ୍ରିୟ ସଦସ୍ୟ ଇଂ. ତୁଷାର ଭଦ୍ର ବୋଲି ଜଣାପଡ଼ିଛି।
ସୂଚନାନୁଯାୟୀ, ବରଗଡ଼ ବାସିନ୍ଦା ଇଂ. ତୁଷାର ଭଦ୍ର ସୋହେଲା ବ୍ଲକରେ କାମ କରନ୍ତି। ଶନିବାର ସକାଳେ ତୁଷାର ତାଙ୍କ କାର୍ ଯୋଗେ ବରଗଡ଼ରୁ ସୋହେଲାକୁ ଯାଉଥିବା ସମୟରେ ଦଶମାଇଲ୍ ନିକଟରେ ହାଇୱେ ଉପରେ ଠିଆ ହୋଇଥିବା ଏକ ଟ୍ରକ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତୁଷାରଙ୍କର ମୃତ୍ୟୁ ହୋଇଛି। ସଦର ଥାନା ପୁଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତୁଷାର ବରଗଡ଼ ଧନୁଯାତ୍ରା ସମେତ ଅନେକ ଅନୁଷ୍ଠାନ ସହ ଜଡ଼ିତ ଥିଲେ। ତେଣୁ ତାଙ୍କର ଅକାଳ ବିୟୋଗ ହେବାରୁ ବରଗଡ଼ରେ ଗଭୀର ଶୋକ ପ୍ରକାଶ ପାଇଛି।