ଖଲ୍ଲିକୋଟ, ୧୭/୦୭ : ଘଟଗାଁ ତାରିଣୀ ଦର୍ଶନ ସାରି ଫେରିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା। ଗଞ୍ଜାମ ଜିଲ୍ଲା ୧୬ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍। ଜଣେ ମୃତ ୧୨ ଆହତ। ସମସ୍ତ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ବ୍ରହ୍ମପୁର ଆଙ୍କୁଲି ଅଞ୍ଚଳରୁ ଗୋଟିଏ ପରିବାରର ୧୨ ଜଣ ସଦସ୍ୟ ଏକ କାର ଯୋଗେ ଘଟଗାଁ ତାରିଣୀ ଦର୍ଶନ କରିବାକୁ ଯାଇଥିଲେ। ଗାଡିରେ ଡ୍ରାଇଭରକୁ ମିଶାଇ ମୋଟ ୧୩ ଜଣ ଥିଲେ। ସେମାନଙ୍କ ମଧ୍ୟରେ ୫ ନାବାଳିକା ଥିଲେ। ସମସ୍ତେ ଘଟଗାଁ ତାରିଣୀ ଦର୍ଶନ ସାରି ପୁରୀ ଯାଇଥିଲେ। ପୁରୀରୁ ବ୍ରହ୍ମପୁର ଫେରିବା ବେଳେ ଭୋର୍ ସାଢେ ୫ଟା ବେଳେ କାର୍ଟି ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନାରାୟଣୀ ଛକ ଠାରେ ଓଲଟି ପଡିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗାଡିଟି ରାସ୍ତା ଉପରେ ୪ ଥର ପଲଟିଥିଲା।
ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତଙ୍କୁ ଉଦ୍ଧାର କରାଯାଇ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ୪ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତକ ଜଣଙ୍କ ନରସିମା ରେଡ୍ଡି ବୋଲି ଜଣାପଡ଼ିଛି।