ସୁବର୍ଣ୍ଣପୁର, ୨୬/୦୫: ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଓଲାଟିଲା କାର୍‌ । ଦୁର୍ଘଟଣାରେ ନାବାଳକ ସମେତ ୩ଜଣ ଗୁରୁତର ହୋଇଛନ୍ତି । ଉକ୍ତ କାର୍‌ରୁ ଏକ ବନ୍ଧୁକ ଓ କିଛି ଅଫୁଟା ଗୁଳି ଜବତ କରାଯାଇଛି । ଯାହାକୁ ନେଇ ତଦନ୍ତ କରୁଛି ପୁଲିସ। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ନିକଟ ମାଟିଖାଇ ନୂଆବସ୍ତି ଠାରେ ଏହି ଦୁର୍ଘଟଣା ଘଟିଛି । 

ସୂଚନା ମୁତାବକ, ରବିବାର ରାତି ପ୍ରାୟ ସାଢ଼େ ୧୧ଟାରେ ଏକ କାର୍‌ ସୋନପୁରରୁ ସମ୍ବଲପୁର ଯାଉଥିଲା । ମାଟିଖାଇ ନୂଆବସ୍ତି ଠାରେ କାର୍‌ଟି ଭାରସାମ୍ୟ ହରାଇ ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡ଼ିଥିଲା । ଫଳରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଯିବା ଶହ କାର୍‌ଟି ଚୁରମାର୍ ହୋଇଯାଇଥିଲା । ଏସମ୍ପର୍କରେ ଖବର ପାଇଁ ଅଗ୍ନିଶମ ବାହିନୀ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । କାର୍‌ ଭିତରେ ଫସିଥିବା ନାବାଳକ ସମେତ ୩ଜଣଙ୍କୁ ରେସକ୍ୟୁ ଟିମ୍ ଉଦ୍ଧାର କରି ସଦର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ୩ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଉକ୍ତ କାର୍‌ରୁ ଏକ ବନ୍ଧୁକ ଓ କିଛି ଅଫୁଟା ଗୁଳି ଜବତ କରି ତଦନ୍ତ ଜାରି ରଖିଛି ପୁଲିସ ।


ଏନେଇ ଖବର ପାଇବା ପରେ ସୋମବାର ପୂର୍ବାହ୍ଣ ଘଟଣାସ୍ଥଳକୁ ପରିଦର୍ଶନ କରିଛନ୍ତି ଏସପି ନାରାୟଣ ନାୟକ । ସେଠାରେ କେଉଁ କାରଣରୁ ଦୁର୍ଘଟଣା ଘଟିଥିଲା, ତାହାର ତଦାରଖ କରିବା ସହ ମାମଲା ରୁଜୁ କରିବା ପାଇଁ ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏସପିଙ୍କ ଗସ୍ତ ସମୟରେ ଆଇଆଇସି ଏଲ ଆର୍ ଶେଠ୍ ଏବଂ ଏସଆଇ ଏକଦୁସିଆ ପ୍ରଧାନ ଉପସ୍ଥିତ ରହିଥିଲେ ।