ମଣ୍ଟେ କାର୍ଲୋ,୧୪/୦୪: ସ୍ପେନର ଷ୍ଟାର୍‌  ଖେଳାଳି କାର୍ଲୋସ ଅଲ୍‌କାରାଜ ପ୍ରଥମ ଥର ଏଟିପି  ମଣ୍ଟେ କାର୍ଲୋ ମାଷ୍ଟର୍ସ ଚାମ୍ପିଅନ୍‌ ହୋଇଛନ୍ତି । ପୁରୁଷ  ବର୍ଗ ଫାଇନାଲ୍‌ରେ ସେ ୩-୬, ୬-୧, ୬-୦ ସେଟ୍‌ରେ  ଇଟାଲୀର ଲରେଞ୍ଜୋ ମୁସେଟ୍ଟିଙ୍କୁ ପରାସ୍ତ କରିଥିଲେ ।  ମ୍ୟାଚ୍‌ ଜିତିବା ପାଇଁ ତାଙ୍କୁ ୧ଘଣ୍ଟା ୪୬ମିନିଟ୍‌ ଲାଗିଥିଲା ।  ୪ଥର ଗ୍ରାଣ୍ଡସ୍ଲାମ୍‌ ଚାମ୍ପିଅନ୍‌ ଅଲ୍‌କାରାଜ କ୍ୟାରିୟରରେ  ଷଷ୍ଠ ମାଷ୍ଟର୍ସ ୧୦୦୦ ଟାଇଟଲ ଜିତିଛନ୍ତି । କ୍ଲେ-କୋର୍ଟରେ  ଏହା ତାଙ୍କର ତୃତୀୟ ମାଷ୍ଟର୍ସ ଟାଇଟଲ ରହିଥିଲା । 

କ୍ୟାରିୟରରେ ପ୍ରଥମ ମାଷ୍ଟର୍ସ ୧୦୦୦ ଫାଇନାଲ୍‌ ଖେଳିଥିବା ମୁସେଟ୍ଟି ପ୍ରଥମ ସେଟ୍‌ରେ ଅତି ଚମତ୍କାର  ପ୍ରଦର୍ଶନ କରି ୬-୩ରେ ବିଜୟ ହାସଲ କରିଥିଲେ ।  ମାତ୍ର ଏହାପରେ ଲୟ ହରାଇ ବସିଥିଲେ । ପରବର୍ତ୍ତୀ  ସେଟ୍‌ରେ ଅଲ୍‌କାରାଜ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲେ । ସେ  କ୍ରମାନ୍ୱୟରେ ୨ଟି ସେଟ୍‌ ଜିତି ଟାଇଟଲ୍‌ ହାତେଇବାରେ ସଫଳ ହୋଇଥିଲେ । ଚାମ୍ପିଅନ୍‌ ହେବା ସହ ଏଟିପି  ମାନ୍ୟତା ତାଲିକାରେ ଗୋଟିଏ ସ୍ଥାନ ଉନ୍ନତି ଘଟାଇ ଦ୍ୱିତୀୟ  ସ୍ଥାନ ପକ୍କା କରିଛନ୍ତି ।