କେସିଙ୍ଗା,୬।୬(ଗଜିନ୍ଦ୍ର ସାହୁ): 'ଯେଉଁଠି ସ୍ବାମୀଙ୍କ ସହଯୋଗ ଥାଏ,ସେଠି ସବୁ ସଂଘର୍ଷ ସହଜ ହୋଇଯାଏ' । ସମାଜରେ ଅନେକ ସମୟରେ ବିବାହ ପରେ ନାରୀର ପାଠପଢ଼ାରେ ଡୋରି ବନ୍ଧା ହୋଇଯାଉଥିବା ବେଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗାରୁ ଆସିଛି ଏକ ଭିନ୍ନ ଚିତ୍ର। ଜଣେ ସାଧାରଣ କାଠ ମହାରଣା ସ୍ବାମୀ ନିଜ ଗରିବୀର ତାଡନା ସତ୍ତ୍ୱେ ବି ପତ୍ନୀଙ୍କ ସ୍ବପ୍ନକୁ ମରିବାକୁ ଦେଇନାହାନ୍ତି। କାଠ ମିସ୍ତ୍ରୀ ସ୍ବାମୀଙ୍କ ସହଯୋଗ ଓ ପ୍ରେରଣା ଯୋଗୁଁ ଆଜି ଦୁଇ ସନ୍ତାନ ର ମାଆ ସଙ୍ଗୀତା ସେଠୀ ଓଡ଼ିଶା ପ୍ରଶାସନିକ ସେବା-୨୦୨୪ ପରୀକ୍ଷାରେ ୧୧୩ ନମ୍ବର ରାଙ୍କ ରଖି ସଫଳ ହୋଇଛନ୍ତି । ବର୍ତ୍ତମାନ ସଙ୍ଗୀତା ସମସ୍ତଙ୍କର ଶ୍ରେୟ ହୋଇଛନ୍ତି। ସଙ୍ଗୀତା ଙ୍କ ଏହି ସଫଳତା ପରେ ସମସ୍ତେ କହୁଛନ୍ତି ଦୃଢ଼ ଇଚ୍ଛାଶକ୍ତି ଏବଂ ମନୋବଳ ଥିଲେ ସବୁ ସମ୍ଭବ। ଓଡ଼ିଶାର ଅନେକ ଝିଅଙ୍କ ପାଇଁ ସଙ୍ଗୀତା ପାଲଟି ଯାଇଛନ୍ତି ଆଶାର କିରଣ ।
ସଙ୍ଗୀତାଙ୍କ ପ୍ରତିଭାକୁ ଚିହ୍ନିପାରିଥିଲେ ସ୍ବାମୀ :
ସଙ୍ଗୀତାଙ୍କ ସ୍ବାମୀ ବଂଶୀଧର ପ୍ରଧାନ ବୃତ୍ତିରେ ଜଣେ ସାଧାରଣ କାଠ ମହାରଣା। ଆର୍ଥିକ ଅବସ୍ଥା ବି ସେତେ ସ୍ୱଚ୍ଛଳ ନୁହେଁ। ହେଲେ ଚିନ୍ତାଧାରା ଆକାଶ ଭଳି ଉଦାର। ମାତ୍ର ୧୮ ବର୍ଷ ବୟସରେ ଯେତେବେଳେ ସଙ୍ଗୀତାଙ୍କ ସହିତ ତାଙ୍କର ବିବାହ ହୋଇଥିଲା ସେତେବେଳେ ସଙ୍ଗୀତା କେବଳ ଦ୍ଵାଦଶ ଶ୍ରେଣୀ ପାସ୍ କରିଥିଲେ। କିନ୍ତୁ ସ୍ତ୍ରୀ ଙ୍କ ଭିତରେ ଆଗକୁ ବଢିବାର ପ୍ରତିଭାକୁ ଚିହ୍ନିପାରିଥିଲେ ସ୍ବାମୀ ବଂଶୀଧର ପ୍ରଧାନ। ସଂସାରର ବୋଝ ଏବଂ ଦୁଇ ଦୁଇଟି ସନ୍ତାନର ଦାୟିତ୍ଵ ଭିତରେ ସ୍ତ୍ରୀ ଙ୍କୁ କେବେବି ହତୋତ୍ସାହିତ କରିନାହାନ୍ତି ବଂଶୀଧର। ଓଲଟା ସବୁ ପରିସ୍ଥିତିରେ ପଛରେ ପାହାଡ ଭଳି ଠିଆ ହୋଇଛନ୍ତି। ଗରିବ ପରିବାର ହେଲେ ବି ସ୍ତ୍ରୀ ଙ୍କୁ ପ୍ରଥମେ ଯୁକ୍ତ ତିନି ଓ ପରେ ଅର୍ଥନୀତିରେ ପିଜି ଏବଂ ଶେଷରେ ଓଏଏସ୍ ପାଇଁ ପ୍ରସ୍ତୁତ କରାଇବାରେ ସବୁ ଶକ୍ତି ଲଗାଇ ଦେଇଥିଲେ। ସ୍ୱାମୀଙ୍କର ଏହି ନିଃସ୍ଵାର୍ଥପର ସହଯୋଗ ପାଇଁ ସଙ୍ଗୀତା ଆଜି ସଫଳତାର ଶୀର୍ଷରେ। ଦୀର୍ଘ ଚାରି ବର୍ଷର କଠିନ ସଂଘର୍ଷ ଭିତରେ ବଂଶୀଧର ପ୍ରଧାନ ନିଜେ କଷ୍ଟ କରିଛନ୍ତି ହେଲେ ସ୍ତ୍ରୀ ଙ୍କ ପାଠ ପଢାରେ କୌଣସି ଅଭାବ ରଖି ନାହାନ୍ତି। ବର୍ତ୍ତମାନ ଯେତେବେଳେ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ସଙ୍ଗୀତା ୧୧୩ ନମ୍ବର ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି ସ୍ବାମୀ ବଂଶୀଧର ପ୍ରଧାନ ଙ୍କ ଛାତି ଗର୍ବରେ ଆହୁରି ଅଧିକ ଚଉଢା ହୋଇଯାଇଛି।
ସମାଜ ପାଇଁ ସାଜିଲେ ଆଦର୍ଶ ସ୍ବାମୀ:
ସମାଜ ପାଇଁ ଆଜି ଜଣେ ଆଦର୍ଶ ସ୍ବାମୀ ସାଜିଛନ୍ତି ବଂଶୀଧର ପ୍ରଧାନ। ନାରୀ ସଶକ୍ତିକରଣ ଏହା ଠାରୁ ବଡ ଏବଂ ସୁନ୍ଦର ଆଉ କଣ ହୋଇପାରେ। ସ୍ବାମୀଙ୍କ ବିଶ୍ୱାସ ଓ ସ୍ତ୍ରୀ ଙ୍କ ପରିଶ୍ରମ ଆଜି ଗୋଟିଏ ଗରିବ ପରିବାରକୁ ପ୍ରଶାସନିକ ସେବାର ଗୌରବ ଆଣିଦେଇଛି। ଯାହା ଆମ ସମାଜ ପାଇଁ ଏକ ଉଦାହରଣ।
ବଡ ଚାକିରି ସ୍ବପ୍ନ ଦେଖାଇଥିଲେ ସ୍ବାମୀ:
ଯୁକ୍ତ ଦୁଇ ପାସ୍ କରି ବିବାହ ହୋଇଯିବା ପରେ ଆର୍ଥିକ ସ୍ଥିତି ଖରାପ ଥିବାରୁ ପାଠ ପଢିବା ଏକ ପ୍ରକାର ଠପ୍ ହେବା ଉପରେ ଥିଲା ସଙ୍ଗୀତାଙ୍କ ପାଇଁ। ହେଲେ ସ୍ବାମୀ ବଂଶୀଧର ପ୍ରଧାନ ପାଠ ପଢିବା ସହିତ ବଡ ଚାକିରି କରିବାର ସ୍ବପ୍ନ ଦେଖାଇଥିଲେ ସଙ୍ଗୀତାଙ୍କୁ। ଆର୍ଥିକ ସ୍ଥିତି ଯେତେ ଖରାପ ହେଲେ ମଧ୍ୟ ପାଠ ପଢା ନଛାଡିବାକୁ ତାଙ୍କ ସ୍ବାମୀ କହିଥିଲେ। ଆଉ ସ୍ବାମୀଙ୍କ ଏହି ଦମ୍ଭିଲା କଥା ସଙ୍ଗୀତାଙ୍କୁ ପ୍ରଶାସନିକ ସେବାରେ ଯୋଗ ଦେବାକୁ ପ୍ରେରଣା ଦେଇଥିଲା। ଏପରିକି ଦୁଇ ଦୁଇ ଥର ଅସଫଳ ହୋଇଥିଲେ ମଧ୍ୟ ତୃତୀୟରେ ସେ ବାଜିମାତ୍ କରିଥିଲେ ସଙ୍ଗୀତା । ଓଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସଙ୍ଗୀତା ସେଠୀ କହିଛନ୍ତି ଯେ, ଯୁକ୍ତ ଦୁଇ ପାସ୍ କରିବା ପରେ ଅର୍ଥାଭାବ ଯୋଗୁଁ ପାଠ ପଢା ବନ୍ଦ କରିଦେଲି ଏବଂ ବର୍ଷେ ପରେ ମୋର ବିବାହ ହୋଇଗଲା। ବିବାହ ପରେ ମୁଁ ଆଉ ପାଠ ପଢିବି ନାହିଁ ବୋଲି ଭାବି ନେଇଥିଲି ,ହେଲେ ମୋର ସ୍ବାମୀ କହିଲେ ପାଠ ପଢା ବନ୍ଦ କରନାହିଁ, ତମେ ପାଠ ପଢ। ମୋ ସ୍ବାମୀ ମତେ ଗ୍ରାଜୁଏସନ କରାଇବା ସହ ପିଜି ମଧ୍ୟ କରାଇଲେ ଯାହା ଫଳରେ ଆଜି ଏହି ସ୍ଥାନରେ ପହଞ୍ଚି ପାରିଛି। ଏଥିରେ ମୋ ମାଆ ଓ ବାପାଙ୍କ ମଧ୍ୟ ଆଶୀର୍ବାଦ ରହିଛି ।
ଓଏଏସ୍ ସଙ୍ଗୀତା କହିଛନ୍ତି ମୋର ସ୍ବାମୀ ଜଣେ କାଠ ମିସ୍ତ୍ରୀ। ସେ କାଠ କାମ କରନ୍ତି। ସେଥିରୁ ଯାହା ରୋଜଗାର ହେଉଥିଲା ସେଥିରେ ହିଁ ଆମ ପରିବାର ଚଳୁଥିଲା। ଆର୍ଥିକ ସଙ୍କଟ ବହୁତ ରହିଥିଲା। ସ୍ବାମୀଙ୍କ ସମସ୍ତ ରୋଜଗାର ମୋର ପାଠପଢ଼ାରେ ହିଁ ସରି ଯାଉଥିଲା। ବେଳେ ବେଳେ ମୁଁ ଭାବୁଥିଲି ଏବଂ ସ୍ବାମୀଙ୍କୁ ମଧ୍ୟ କହୁଥିଲି ଯେ ଏହି ପାଠ ପଢା ଆମ ପାଇଁ ନୁହଁ। ହେଲେ ସ୍ବାମୀ କହୁଥିଲେ ଟଙ୍କା କଥା ମୁଁ ବୁଝିବି ତୁମେ କେବଳ ପାଠ ପଢାରେ ଧ୍ୟାନ ଦିଅ। ଆଜି ବହୁତ ଖୁସି ଲାଗୁଛି। କାରଣ ମୋର ସ୍ବାମୀ ଯେଉଁ ସ୍ବପ୍ନ ଦେଖିଥିଲେ ମୋ ଆଖିରେ ତାହା ଆଜି ଭଗବାନ ଓ ସ୍ବାମୀଙ୍କ ସ୍ବାମୀଙ୍କ ସାହାଯ୍ୟ ଓ ମୋ ବାପା ମାଆ ଙ୍କ ଆଶୀର୍ବାଦ ଯୋଗୁଁ ସଫଳ ହୋଇଛି ।
ସଙ୍ଗୀତାଙ୍କ ସ୍ବାମୀ ବଂଶୀଧର କହିଛନ୍ତି, 'ମୁଁ କାଠ କାମ କରିକି ପରିବାର ପ୍ରତିପୋଷଣ କରେ। ମୋ ପରିବାରରେ ସ୍ତ୍ରୀ ଓ ଦୁଇ ଛୁଆ ଅଛନ୍ତି। ବାହାଘର ପରେ ମୁଁ ସ୍ତ୍ରୀ ଙ୍କୁ କହିଲି ଯେ ତୁମେ ପାଠ ପଢି ଏମିତି ଏକ ଚାକିରି କର ଯାହା ଓଡ଼ିଶାର ଏକ ବଡ ଚାକିରି ହୋଇଥିବ। ମୁଁ ତୁମ ପଛରେ ସବୁ ବେଳେ ଅଛି। ପ୍ରତ୍ୟେକ ଦିନ ସକାଳୁ ଉଠି ଦୁହେଁ ଘର କାମ କରିବା ସହିତ ପିଲାଙ୍କ କାମ ସାରିଲା ପରେ ମୁଁ କାମକୁ ଚାଲିଯାଏ ଓ ସେ ପାଠ ପଢନ୍ତି। ଅଭାବ ଅନଟନ ବହୁତ ଆସିଛି। ଏଥିରେ ବି ଆମେ ସଂଘର୍ଷ କରିଛୁ। ମୁଁ ଛୋଟ ବେଳେ ଭଲ ପାଠ ପଢୁଥିଲି ହେଲେ ଆର୍ଥିକ ଅନଟନ ଯୋଗୁଁ ପାଠ ପଢା ବନ୍ଦ କରିବାକୁ ପଢିଲା।
ଆହୁରି ପଢନ୍ତୁ : ସୂର୍ଯ୍ୟମନ୍ଦିରରେ ଏଏସଆଇ ଡିଜି, ବାଲି କଢ଼ା ପ୍ରକ୍ରିୟା କଲେ ଅନୁଧ୍ୟାନ