କୋଲକାତା, ୧୮/୦୭ : ମହମ୍ମଦ ସାମିଙ୍କ ଏକ୍ସ ୱାଇଫ୍ ହସିନ ଜହାଁ ଏବଂ ଝିଅ ବିରୋଧରେ ହତ୍ୟା ଉଦ୍ୟମ ଅଭିଯୋଗ। ପଶ୍ଚିମବଙ୍ଗ ବୀରଭୂମି ଜିଲ୍ଲାର ସୁରୀ ଟାଉନ ଥାନାରେ ମା' ଓ ଝିଅଙ୍କ ବିରୋଧରେ ଅଭିଯୋଗ ହୋଇଛି। ହସିନ ଜହାଁ ଏବଂ ତାଙ୍କ ଝିଅ ଅବୈଧ ଭାବରେ ଜମି କବ୍‌ଜା କରି ମାରପିଟ୍ କରୁଥିବା ନେଇ ତାଙ୍କ ପଡୋଶୀ ଥାନାରେ ଅଭିଯୋଗ କରିଛନ୍ତି। ଏକ ଭାଇରାଲ୍ ଭିଡିଓ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। 

ସୂଚନାନୁଯାୟୀ, ସ୍ଵାମୀଙ୍କ ଠାରୁ ଅଲଗା ହେବା ପରେ ହସିନ ଜହାଁ ତାଙ୍କ ଝିଅ ସହ ବୀରଭୂମିରେ ରହୁଛନ୍ତି। ହସିନ ସୁରୀର ୫ ନମ୍ଵର ୱାର୍ଡରେ ଏକ ଜମିକୁ ବେଆଇନ ଭାବେ ଅଧିକୃତ କରି ଫ୍ଲାଟ ନିର୍ମାଣ କରୁଛନ୍ତି। ଯାହାକୁ ତାଙ୍କ ପଡୋଶୀ ବିରୋଧ କରିଥିଲେ। ଯେଉଁଥିପାଇଁ ହସିନ ଏବଂ ତାଙ୍କ ଝିଅ ପଡୋଶୀଙ୍କ ଉପରକୁ ଆକ୍ରମଣ କରିଥିଲେ। ଏନେଇ ତାଙ୍କ ପଡୋଶୀ ସୁରୀ ଥାନାରେ ଅଭିଯୋଗ କରିଥିଲେ। ମାରପିଟ୍ ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଏହାକୁ ଆଧାର କରି ପୁଲିସ ହସିନ ଏବଂ ତାଙ୍କ ଝିଅ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି। 

ସେପଟେ ମହମ୍ମଦ ସାମିଙ୍କ ସହ ହସିନ ଜହାଁଙ୍କ ବିବାଦ ଚାଲିଛି। ନିକଟରେ କୋଲକାତା ହାଇକୋର୍ଟ ଦୁହିଁଙ୍କ ଛାଡ଼ପତ୍ର ମାମଲାରେ ଶୁଣାଣି କରି ହସିନ ଜହାଁଙ୍କୁ ପ୍ରତି ମାସ ୪ ଲକ୍ଷ ଟଙ୍କା ଭରଣପୋଷଣ ଦେବାକୁ ସାମିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ପଡୋଶୀଙ୍କ ସହ ମାରପିଟ୍ କରି ହସିନ ଆଉ ଏକ ଅଡ଼ୁଆରେ ଛନ୍ଦି ହୋଇଛନ୍ତି।