କେନ୍ଦୁଝର,୨୪/୦୧: ଯେଉଁଠି ହାତ ମାରିଲେ ପୁଳାପୁଳା ଟଙ୍କା । ଘରୁ ଟଙ୍କା ଗଣିଗଣି ଥକି ପଡିଥିବା ପୁଲିସ ଏବେ ବ୍ୟାଙ୍କରେ ଜବତ ହୋଇଥିବା ଟଙ୍କାର ହିସାବ ଶୁଣି ମୁଣ୍ଡ ଘୁରାଇ ଯାଉଛି । ବଡ଼ବଡ଼ିଆଙ୍କ ଆକାଉଣ୍ଟ ସବୁ ଖୋଲା ସରିନି । ଛୋଟ ଛୋଟ ବ୍ୟବସାୟୀଙ୍କ ଆକାଉଣ୍ଟ ଯାଞ୍ଚ ଆରମ୍ଭ ହୋଇଛି । ପୁଲିସର କାର୍ଯ୍ୟାନୁଷ୍ଠାନ ପରେ ଗୋ-ମାଫିଆ ପ୍ରମାଣ ଗଣିବା ଆରମ୍ଭ କରିଛନ୍ତି । ମାତ୍ର ୯୧ଟି ଗୋ-ମାଫିଆଙ୍କ ଆକାଉଣ୍ଟ ଖୋଲାଯିବା ପରେ ୪ କୋଟି ୪୦ ଲକ୍ଷ ୭୫ ହଜାର ୩୧୦ ଟଙ୍କା ଜବତ ହୋଇଛି । ଆହୁରି ଶହେରୁ ଅଧିକ ଆକାଉଣ୍ଟ ସହିତ ଲକର ଖୋଲାଯାଇନି । ସେଗୁଡ଼ିକ ଖୋଲା ହେବା ପରେ ଗୋ ମାଫିଆଙ୍କ କଳାସାମ୍ରାଜ୍ୟ ସମ୍ପର୍କରେ ସବିଶେଷ ତଥ୍ୟ ମିଳିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।
ଦୈତାରୀ ଥାନାର ଏକ ଅପରାଧକୁ ଆଧାର କରି ପୁଲିସ ଗୋରୁ ବେପାରୀଙ୍କ ଚେର ପର୍ଯ୍ୟନ୍ତ ପହଞ୍ଚିବାକୁ ଉଦ୍ୟମ କରିଛି । ଅପରାଧୀଙ୍କ ଲମ୍ବା ତାଲିକା ଦେଖି ପୁଲିସ ମଧ୍ୟ ତାଜୁବ ହୋଇପଡ଼ିଛି । ଅଦାଲତର ସର୍ଚ୍ଚ ୱାରେଣ୍ଟ ବଳରେ ଦକ୍ଷ ପୁଲିସ ଅଧିକାରୀମାନେ କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, ବାଲେଶ୍ୱର ଜିଲ୍ଲାର ଗୋ ମାଫିଆଙ୍କ ଘର ଉପରେ ଅତର୍କିତ ଚଢ଼ଉ କରିଥିଲା । ମାଫିଆଙ୍କ କଳା ସାମ୍ରାଜ୍ୟକୁ ପୁଲିସ ଜବତ କରିଥିବାବେଳେ ୫୦ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇ ଅଦାଲତ ନିର୍ଦ୍ଦେଶରେ ବାଜ୍ୟାପ୍ତି କରାଯିବ ବୋଲି ଏସ୍ପି କହିଥିଲେ । ଗତ ୧୭ ତାରିଖ ୧୦ ଜଣ ଗୋ ମାଫିଆକୁ ପୁଲିସ ଗିରଫ କରିଥିଲା । ସେମାନଙ୍କ ନିକଟରୁ ନଗଦ ୧ କୋଟି ୫୨ ଲକ୍ଷ ୮୨ ହଜାର ୫୦୫ ଟଙ୍କା ଜବତ ହୋଇଥିଲା ।
ସେହିପରି ସୁନା ୧ କିଲୋ ୧୩୧ ଗ୍ରାମ, ରୂପା ୩ କିଲୋ ୮୦ ଗ୍ରାମ, ୨୪ଟି ଚାରିଚକିଆ ୨୩ଟି ଦୁଇ ଚକିଆ ୧୩ ମୋବାଇଲ ଓ ୨୧ଟି ଦାମୀ ହାତଘଣ୍ଟା ଜବତ ପୁଲିସ ଦ୍ୱାରା ହୋଇଥିଲା । ବିପୁଳ ନଗଦ ଟଙ୍କା ସୁନା, ରୂପା ଓ ବେଆଇନ ସଂପତ୍ତି ଜବତ ବ୍ୟାଙ୍କ ଆକାଉଣ୍ଟ ଓ ଲକରରେ ରହିଥିବା ପୁଲିସ ସନ୍ଦେହ କରିଥିଲା । ୪ଟି ଜିଲ୍ଲାର ୪୬ଟି ସ୍ଥାନରେ ଏକକାଳିନ ପ୍ରଥମଥର ପାଇଁ ଚଢ଼ଉ ହୋଇଥିଲା । ଅଭିଯୁକ୍ତଙ୍କ ୫ଟି ଜିଲ୍ଲାରେ ବିଭିନ୍ନ ବ୍ୟାଙ୍କରେ ୨୦୦ରୁ ଅଧିକ ଆକାଉଣ୍ଟ ଏବଂ ୬୦ ଲକର ପୁଲିସ ଚିହ୍ନଟ୍ କରିଥିଲା। ଏକାଉଣ୍ଟ ଗୁଡିକ ଫ୍ରିଜ୍ କରିବା ସହିତ ଲକର ସିଲ୍ କରିଥିଲା ପୁଲିସ । ଫ୍ରିଜ୍ କରାଯାଇଥିବା ଆକାଉଣ୍ଟଗୁଡିକରେ କେତେ କଳା ଟଙ୍କା ରହିଛି ତାହା ଯାଞ୍ଚ କରାଯାଇଥିଲା । ଜିଲ୍ଲା ପୁଲିସ ପକ୍ଷରୁ ଦକ୍ଷ ପୁଲିସ ଅଧିକାରୀଙ୍କୁ ନେଇ ଟିମ୍ ଗଠନ ହୋଇଛି ।
ଦୈତାରୀ ଥାନାଧିକାରୀ ହୃଷିକେଶ ବେହେରାଙ୍କ ନେଇ ଗଠିତ ଟିମ୍ କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାବେଳେ ରାମଚନ୍ଦ୍ରପୁର ଥାନାଧିକାରୀ ମନୋଜ ସ୍ୱାଇଁ ଯାଜପୁର ଜିଲ୍ଲା, ପାଟଣା ଥାନାଧିକାରୀ କିରଣ ସାହୁଙ୍କ ନେତୃତ୍ୱରେ ଟିମ୍ ମୟୂରଭଞ୍ଜ ଜିଲ୍ଲା ଓ ଆନନ୍ଦପୁର ଥାନାଧିକାରୀ ଫନିନ୍ଦ୍ର ନାୟକଙ୍କ ନେତୃତ୍ୱରେ ଟିମ୍ ଭଦ୍ରକ ଜିଲ୍ଲାରେ ଗୋ ମାଫିଆଙ୍କ ସମ୍ପତ୍ତି ଆକଳନ ପାଇଁ ନିୟୋଜିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୯୧ଟି ଏକାଉଣ୍ଟ ଯାଞ୍ଚ କରିବା ପରେ ଏହି ଅର୍ଥରାଶି ଜମା ରହିଛି । ପୁଲିସ ଉକ୍ତ ଆକାଉଣ୍ଟକୁ ଯାଞ୍ଚ କରିବା ପରେ ତାହା ଅଚଳ କରିବାକୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି । ଆକାଉଣ୍ଟଧାରୀ ଉକ୍ତ ଆକାଉଣ୍ଟରେ କାରବାର କରିପାରିବେ ନାହିଁ ବୋଲି କଟକଣା କରାଯାଇଛି । ଅବଶିଷ୍ଟ ଚିହ୍ନଟ୍ ହୋଇଥିବା ଏକାଉଣ୍ଟ ଖୁବ୍ଶୀଘ୍ର ଯାଞ୍ଚ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଆକାଉଣ୍ଟ ଯାଞ୍ଚ ପରେ ଲକର ଖୋଲାଯିବ ବୋଲି ସୂଚନା ମିଳିଛି ।
ପ୍ରଥମଥର ପାଇଁ ଗୋ ମାଫିଆଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପୁଲିସ ପକ୍ଷରୁ କରାଯାଇଛି । ଏସ୍ପି ନୀତିନ କୁଶଲକରଙ୍କ ଦ୍ୱାରା ଗଠନ ଗୋ ରକ୍ଷକ ନାମରେ ଏକ ଅପରେସନ୍ ଦ୍ୱାରା ଗୋ ମାଫିଆଙ୍କ୍ କଳା ସାମ୍ରାଜ୍ୟ ଭୁଷୁଡି ପଡିଛି । ଏ ସମ୍ପର୍କରେ ଏସ୍ପି ନୀତିନ କୁଶଲକର କୁହନ୍ତି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମଥର ପାଇଁ ଗୋ ମାଫିଆଙ୍କ ଉପରେ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି । ବିପୁଳ ବେଆଇନ ସମ୍ପତ୍ତି ମଧ୍ୟ ଠାବ କରାଯାଇଛି । ଅପରାଧୀମାନଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି । ସମସ୍ତ ସମ୍ପତ୍ତି ଜବତ ତାଲିକା ଅଦାଲତରେ ଦାଖଲ କରାଯାଇ ବାଜ୍ୟାପ୍ତି ପାଇଁ ନିବେଦନ କରାଯିବ ବୋଲି ଏସ୍ପି କହିଛନ୍ତି ।