ରାଉରକେଲା,୧୦/୧୦: ମହିଳାଙ୍କ ଠାରୁ ଲାଞ୍ଚ ନେଇ ଧରାପଡ଼ିଲେ ଆରପିଏଫ୍ ଯବାନ । ରାଉରକେଲାର ବିର୍ସା ମୁଣ୍ଡା ଛକ ଠାରେ ଶୁକ୍ରବାର ସକାଳେ ଜଣେ ମହିଳାଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆରପିଏଫ୍ ଯବାନ ମହମ୍ମଦ ଇସରାରଙ୍କୁ ଧରିଛି ସିବିଆଇ।
ସୂଚନା ମୁତାବକ, ବନ୍ଧମୁଣ୍ଡା ରେଲୱେ କଲୋନୀ ଅଞ୍ଚଳରେ ଜଣେ ମହିଳା ପ୍ଲାଷ୍ଟିକ ବୋତଲ ଓ ପୁରୁଣା ଜିନିଷଗୁଡ଼ିକ ସଂଗ୍ରହ କରି ବିକ୍ରି କରି ଚଳନ୍ତି । ଗତ କିଛି ଦିନ ହେବ ବନ୍ଧମୁଣ୍ଡା ଆରପିଏଫ୍ ଥାନାରେ କାର୍ଯ୍ୟରତ ଯବାନ ମହମ୍ମଦ ଇସରାର ସେହି ମହିଳାଙ୍କୁ ଧମକଚମକ ଦେବା ସହ ୧୫ ହଜାର ଟଙ୍କା ନଦେଲେ ମିଥ୍ୟା ମାମଲାରେ ଗିରଫ କରିବେ ବୋଲି କହିଥିଲେ। ଫଳରେ ମହିଳା ଜଣକ ଟଙ୍କା ଦେବାକୁ ରାଜି ହୋଇଥିଲେ। ମହିଳା ଜଣକ ଏନେଇ ଭୁବନେଶ୍ବର ସିବିଆଇ ଅଫିସରେ ଅଭିଯୋଗ କରିଥିଲେ। ଆଜି ସକାଳେ ଯବାନ ବିର୍ସା ମୁଣ୍ଡା ଛକରେ ମହିଳାଙ୍କ ଠାରୁ ଲାଞ୍ଚ ଟଙ୍କା ନେବା ବେଳେ ପୂର୍ବରୁ ସେଠାରେ ଜଗି ରହିଥିବା ସିବିଆଇ ଟିମ୍ ଯବାନଙ୍କୁ ଧରିଥିଲେ । ତାଙ୍କୁ ବନ୍ଧମୁଣ୍ଡା ଆରପିଏଫ୍ ଥାନାକୁ ନେଇ ଛାନଭିନ୍ କରୁଛି ସିବିଆଇ ଟିମ୍।