ପାଟଣାଗଡ଼, ୧୨/୧୧ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସହରର ଅଜିତ ପାତ୍ରଙ୍କ ପୈତୃକ ତଥା ବର୍ତ୍ତମାନ ତାଙ୍କ ସାନ ଭାଇ ରହୁଥିବା ଘରେ ସୋମବାର ବିଳମ୍ବିତ ରାତିରେ ସିବିଆଇ ଚଢାଉ କରିଛି। ସିବିଆଇର ଏକ ୪ ଜଣିଆ ଦଳ ପାଟଣାଗଡ଼ ଥାନାର ଦୁଇ ଜଣ ମହିଳା କନେଷ୍ଟବଳଙ୍କ ସହାୟତାରେ ରାତି ତମାମ ଚଢାଉ କରିଥିଲେ। ତେବେ ଚଢାଉ ପରେ ସିବିଆଇ ତାଙ୍କ ପୈତୃକ ଘରୁ କିଛି ଜରୁରୀ କାଗଜ ପତ୍ର, ବ୍ୟାଙ୍କ ପାସ ବୁକ୍ , ଏଟିଏମ୍ ଇତ୍ୟାଦି ଜବତ୍ କରିଥିବା ପୁଲିସ ସୂତ୍ରରୁ ଜଣାପଡିଛି। ଶ୍ରୀ ପାତ୍ର ବର୍ତ୍ତମାନ ରହୁଥିବା ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରୁ ସିବିଆଇର ଏକ ସ୍ୱତନ୍ତ୍ର ଟିମ୍ ନଗଦ ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ସହ ପାଖାପାଖି ଦେଢ଼ କିଲୋର ସୁନା ଅଳଙ୍କାର ଜବତ୍ କରିଛି।
ପ୍ରକାଶ ଯେ, ଶ୍ରୀ ପାତ୍ର ଦୀର୍ଘ ବର୍ଷ ହେଲା ପାଟଣାଗଡ଼ ଛାଡି ପ୍ରଥମେ ଭୁବନେଶ୍ୱର ଓ ପରେ ଦିଲ୍ଲୀରେ ରହୁଥିଲେ। ନିଜକୁ କେନ୍ଦ୍ର ସରକାରଙ୍କ ବଡ ଅଧିକାରୀ ପରିଚୟ ଦେଇ ଅଫିସର ଓ ବଡ ବଡ ଠିକାସଂସ୍ଥାକୁ ଲଗାଉଥିଲେ ଚୁନ ।