କାଶୀନଗର/ପାରଳାଖେମୁଣ୍ଡି,୧୮/୨: ଗଜପତି କାଶୀନଗରସ୍ଥିତ ଏକ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲର ୫ ଛାତ୍ରଛାତ୍ରୀ ମଙ୍ଗଳବାର ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି । ସ୍କୁଲ୍ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଆଡମିଟ୍ କାର୍ଡ ଆସି ନଥିଲା । ଏଣୁ ବିଦ୍ୟାର୍ଥୀ ପରୀକ୍ଷା ଦେଇପାରିଲେନି ବୋଲି ଅଭିଯୋଗ କରିଛନ୍ତି ଅଭିଭାବକ । ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ନ୍ୟାୟ ପାଇଁ ଗୁହାରି କରିଛନ୍ତି । ଉକ୍ତ ସ୍କୁଲରେ କେବଳ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାଇବାକୁ ସରକାରୀ ଅନୁମତି ରହିଛି । ମାତ୍ର କେଉଁ ଆଧାରରେ ସେଠାରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ନାମ ଲେଖାଯାଇଥିଲା ତାହା ପ୍ରଶ୍ନବାଚୀ ହୋଇଛି ।

ଆହୁରି ପଢନ୍ତୁ- ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା : କପି ରୋକିବ ସ୍ଵତନ୍ତ୍ର ସ୍କ୍ୱାଡ୍, ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀ

ଗଜପତି ଜିଲ୍ଲାର ୧୪ଟି ସିବିଏସ୍ଇ ସ୍କୁଲର ପ୍ରାୟ ହଜାରେରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ତେବେ ଏହି ଛାତ୍ରଛାତ୍ରୀ ପରୀକ୍ଷା ଦେଇ ନ ପାରିବା ନେଇ ଅଭିଭାବକ କହିଛନ୍ତି, ସ୍କୁଲ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲା । ଆଡ୍ମିଟ୍ କାର୍ଡ ଆସିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ସୋମବାର ପର୍ଯ୍ୟନ୍ତ ସ୍କୁଲ କର୍ତ୍ତୃପକ୍ଷ କୌଣସି ସୂଚନା ଦେଇ ନଥିଲେ । ମଙ୍ଗଳବାର ଆଧାର କାର୍ଡ ତ୍ରୁଟି ଦର୍ଶାଇ ଫର୍ମ ପୂରଣ ହୋଇପାରି ନଥିବା କହିଥିଲେ । ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ଅନ୍ୟ ସ୍କୁଲ ସହ ଆଟାଚ୍ କରି ପରୀକ୍ଷା ଦେବାର ଯୋଜନା କରିଥିଲେ ସ୍କୁଲ କର୍ତ୍ତୃପକ୍ଷ । ମାତ୍ର ଉକ୍ତ ଘଟଣାରୁ ଅବ୍ୟବସ୍ଥା ବାହାରକୁ ପ୍ରଘଟ ହୋଇଛି । ଏନେଇ ଚିନ୍ତାରେ ପରୀକ୍ଷାର୍ଥୀ ଓ ଅଭିଭାବକ । ଜିଲ୍ଲାପାଳ ଏ ସମ୍ପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲା ଶିକ୍ଷାଧିକାରୀ ଡ. ମାୟାଧର ସାହୁ କହିଛନ୍ତି, ସମ୍ପୃକ୍ତ ପବ୍ଲିକ୍ ସ୍କୁଲରେ ନବମ ଓ ଦଶମ ପାଇଁ ଅନୁମତି ନାହିଁ । କର୍ତ୍ତୃପକ୍ଷ ପିଲାମାନଙ୍କୁ ଜିଲ୍ଲା ସଦର ମହକୁମାର ଏକ ସ୍କୁଲ ସହ ପଞ୍ଜିକୃତ କରି ପରୀକ୍ଷା ଦେଇଥାନ୍ତି । ଏହି ପିଲାମାନଙ୍କ ୨୦୨୫- ୨୬ ଶିକ୍ଷା ବର୍ଷରେ ନବମ ଶ୍ରେଣୀରେ ପଞ୍ଜିକୃତ ହୋଇଛି । ପୂର୍ବରୁ ଏ ସମ୍ପର୍କରେ ଅଭିଭାବକ ତଥ୍ୟ ଜାଣିବା ଆବଶ୍ୟକ ଥିଲା । ସମସ୍ୟାର ସମାଧାନ ଆଗାମୀ ବର୍ଷରେ ହିଁ ହୋଇପାରିବ । ସମ୍ପୃକ୍ତ ଶିକ୍ଷାନୁଷ୍ଠାନ କ’ଣ ପାଇଁ ପିଲାଙ୍କୁ ଦଶମ ଶ୍ରେଣୀର ପରିଚୟ ପତ୍ର ଦେଇ ପଢ଼ାଉଥିଲେ ତାହା ତଦନ୍ତସାପେକ୍ଷ । ସୂଚନାଯୋଗ୍ୟ, ପୂର୍ବରୁ ଏହି ସ୍କୁଲ୍ର ଛୋଟ ପିଲାଙ୍କୁ ଗତ ଡିସେମ୍ବର ମାସରେ ବଣଭୋଜିକୁ ନିଆଯାଇଥିବାବେଳେ ଦୁର୍ଘଟଣା ଘଟି ଅନେକ ଆହତ ହୋଇଥିଲେ ।