ନୂଆଦିଲ୍ଲୀ,୮।୧୦: ଦେଶର ବିଭିନ୍ନ ସ୍ଥାନରେ ଶିଶୁ ମୃତ୍ୟୁ ମାମଲାକୁ ନେଇ ବଢିଛି ଚିନ୍ତା। ଏହାର କାରଣ ହୋଇଛି କଫ ସିରପ। ଯାହାକୁ ୨୦ ନିରୀହ ଶିଶୁଙ୍କ ଜୀବନ ନେଇଛି। ଏହି ମାମଲାରେ ଏକ ଆଶ୍ଚର୍ଯ୍ୟଜନକ କଥା ଜଣାପଡିଛି। ୨୦୨୩ ରେ,କେନ୍ଦ୍ରୀୟ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କନଟ୍ରୋଲ ଅର୍ଗାନାଇଜେସନ୍ (CDSCO) ଏକ ଚେତାବନୀ ଜାରି କରିଥିଲା ଯେ ଚେନ୍ନାଇ ସ୍ଥିତ ‘ଶ୍ରୀସାନ ଫାର୍ମାସ୍ୟୁଟିକାଲ୍ସ’ ଦ୍ୱାରା ନିର୍ମିତ କୋଲଡ୍ରିଫ୍, କଫ ସିରପ୍, ୪ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଦିଆଯିବା ଉଚିତ୍ ନୁହେଁ। ଏହା ସତ୍ତ୍ୱେ, ନିର୍ମାତା ଲେବଲରେ ଓ୍ବାର୍ଣ୍ଣିଂ ଦେଇନଥିଲେ। ବର୍ତ୍ତମାନ ଏହି ଅବହେଳାର ପରିଣାମ ଯୋଗୁଁ ମଧ୍ୟ ପ୍ରଦେଶରୁ ନେଇ ରାଜସ୍ଥାନ ପର୍ଯ୍ୟନ୍ତ ଶିଶୁଙ୍କର ଜୀବନ ଯାଇଛି।
୨୦୨୩ର ଏକ ନିର୍ଦ୍ଦେଶ ଅନୁସାରେ, ଫିକ୍ସଡ୍ ଡୋଜ୍ କମ୍ବିନେସନ୍ (ଏଫ୍ଡିସି) କ୍ଲୋରଫେନିରାମିନ୍ ମାଲେଏଟ୍ IP 2mg + Phenylephrine HCL IP 5mg କୁ ଚାରି ବର୍ଷରୁ କମ୍ ବୟସର ପିଲାଙ୍କୁ ଦିଆଯିବା ଉଚିତ ନୁହେଁ। ଏହାକୁ ଲେବଲରେ ସ୍ପଷ୍ଟ ଚେତାବନୀ ସହ ଦେଖାଇବାର ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଚେନ୍ନାଇ ସ୍ଥିତ ‘ଶ୍ରୀସନ୍ ଫାର୍ମା’ ଏହି ନିର୍ଦ୍ଦେଶର ପାଳନ କରିନି। କମ୍ପାନୀର କଫ୍ ସିରଫ୍ ‘କୋଲଡ୍ରିଫ୍’,ଯେଉଁଥିରେ ସେହି ଏଫ୍ଡିସି ରହିଛି, ତାହା ବହୁ ଶିଶୁଙ୍କ ମୃତ୍ୟୁର କାରଣ ପାଲଟିଛି।
CDSCO ଅଧୀନରେ ଥିବା ସବଜେକ୍ଟ ଏକ୍ସପର୍ଟ କମିଟି (SEC) ନିର୍ଦ୍ଦିଷ୍ଟ ଭାବରେ ନିର୍ଦ୍ଦେଶ ଦେଇଥିଲା ଯେ ନିର୍ମାତାମାନେ ପ୍ୟାକେଜିଂରେ ଏହି ଚେତାବନୀ ସ୍ପଷ୍ଟ ଭାବରେ ଦେଖାନ୍ତୁ। କିନ୍ତୁ ପାଳନ କରାଯାଇନଥିବାରୁ କେବଳ କେନ୍ଦ୍ରୀୟ ନିର୍ଦ୍ଦେଶକୁ ଉଲ୍ଲଂଘନ କରିଛି ତାହା ନୁହେଁ ବରଂ ଡାକ୍ତରଙ୍କ ଦ୍ବାରା ପ୍ରେସକ୍ରିପସନ୍ ପ୍ରୋଟୋକଲ୍ ପାଳନ ନକରିବାର ମଧ୍ୟ ଅଭିଯୋଗ ରହିଛି।