ବାସୁଦେବପୁର, ୦୫/୦୯: ବାସୁଦେବପୁର ବ୍ଲକ୍ କିସ୍ମତ କୃଷ୍ଣପୁର ପଞ୍ଚାୟତ ବହୁମାଘେରୀ ବିଦ୍ୟାଳୟରେ ଗୁରୁ ଦିବସ ଚାଲିଥିବା ବେଳେ ଅଘଟଣ । ଛାତ୍ରୀମାନଙ୍କ ଉପରେ ସ୍କୁଲ ଛାତରୁ ଖସି ପଡ଼ିଲା ସିମେଣ୍ଟ ଅତଡ଼ା।  ଏଥିରେ ୩ ଜଣ ଛାତ୍ରୀଙ୍କ ମୁଣ୍ଡ ଫାଟିବା ସହ ଶରୀର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ଛାତ୍ରଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ବିଦ୍ୟାଳୟର ଶିଶୁବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩୨ ଜଣ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି। ଆଜି ସକାଳେ ବିଦ୍ୟାଳୟରେ ଗୁରୁ ଦିବସ ପାଳନ ଚାଲିଥିଲା । ଏହି ସମୟରେ କିଛି ପିଲା ବାରଣ୍ଡାରେ ଖେଳୁଥିବା ବେଳେ ହଠାତ୍ ତାଙ୍କ ଉପରେ ବାରଣ୍ଡା ଛାତରୁ ସିମେଣ୍ଟ ଅତଡା ଖସି ପଡ଼ିଥିଲା । ଫଳରେ ଛାତ୍ରୀମାନଙ୍କର ମୁଣ୍ଡ ଫାଟିବା ସହ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା। ତୁରନ୍ତ ପରିବାର ଲୋକେ ପହଞ୍ଚି ପ୍ରଧାନ ଶିକ୍ଷକ ସହଯୋଗରେ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତିି କରାଇଥିଲେ । ତେବେ ଏହି ବିଦ୍ୟାଳୟରେ ଶ୍ରେଣୀ ଗୃହର ଅବସ୍ଥା ଶୋଚନୀୟ ହୋଇପଡିଥିବା ବେଳେ ଅବିଭାବକ ମାନେ ବାମ୍ବାର ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଡ଼ିଓଙ୍କ ନିକଟରେ ଅଭିଯୋଗ କରି ଆସୁଛନ୍ତି। ହେଲେ କେହି କର୍ଣ୍ଣପାତ କରୁନାହାନ୍ତି, ଯାହାର ପରିଣାମ ଆଜି ପିଲାମାନଙ୍କୁ ଭୋଗିବାକୁ ପଡିଲା ବୋଲି ଅବିଭାବକ ମାନେ କହିଛନ୍ତି।

​​​​​​​​​​​​​​