ଗଜପତି, ୦୯/୦୫ : ସୀମାନ୍ତ ଗାଁରେ ଆନ୍ଧ୍ରର ଦାଦାଗିରି। ଜନଗଣନା ନେଇ ଦୁଇ ରାଜ୍ୟ ଭିତରେ ଟଣାଓଟରା। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧୀନ ଗଙ୍ଗାବାଡ଼ ପଞ୍ଚାୟତରେ ଜନଗଣତା ତାତି। ଆନ୍ଧ୍ର ନମ୍ଵରିଂ କଲା, ଓଡ଼ିଶା ଲିଭାଇଲା। ସରକାରଙ୍କ ଦ୍ଵାରା ଏବେ ଜନଗଣନା କାର୍ଯ୍ୟ ଜାରି ରହିଥିବା ବେଳେ ଆନ୍ଧ୍ର ଅଧିକାରୀ ଓଡ଼ିଶା ସୀମାରେ ଅନୁପ୍ରବେଶ କରୁଛନ୍ତି। ସୀମାନ୍ତ ଗାଁ ଗୁଡ଼ିକରେ ଘର ନମ୍ଵରିଂ କରୁଛନ୍ତି। ଏନେଇ ଖବର ପାଇବା ପରେ ଗଜପତି ଜିଲ୍ଲା ପ୍ରଶାସନ ଗାଁରେ ପହଞ୍ଚି ଆନ୍ଧ୍ର ଲେଖା ଲିଭାଇ ଓଡ଼ିଶା ଜନଗଣନା ନମ୍ଵର ଲେଖିଛି।
ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା ଓ ଖୁଡ଼ିଖୁଡ଼ି ଗାଁକୁ ଅକ୍ତିଆର କରିବାକୁ ଆନ୍ଧ୍ର ବାରମ୍ଵାର ପ୍ରୟାସ କରୁଛି। ସ୍ଥାନୀୟ ଲୋକଙ୍କ ବିରୋଧ ଏବଂ ଗଜପତି ଜିଲ୍ଲା ପ୍ରଶାସନର ପଦକ୍ଷେପ ଯୋଗୁଁ ଆନ୍ଧ୍ର ତାର ମନ୍ଦ ଉଦ୍ଦେଶ୍ୟରେ ସଫଳ ହୋଇପାରୁନି। ଏବେ ଜନଗଣନା କାମ ଚାଲିଥିବାରୁ ଏହି ଦୁଇ ଗାଁରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘର ନମ୍ବର ଲେଖାଯାଇଥିଲା। ହେଲେ ଗାଁର କିଛି ମୁଷ୍ଟିମେୟ ଲୋକଙ୍କ ସମର୍ଥନରେ ଆନ୍ଧ୍ର ଅନୁପ୍ରବେଶ କରିଥିଲା। ଆନ୍ଧ୍ର ଅଧିକାରୀମାନେ ଜୋରଜବରଦସ୍ତ ଓଡ଼ିଶା ନମ୍ବର ଉପରେ ରଙ୍ଗ ମାରି ନିଜର ନମ୍ବର ଲେଖିଥିଲେ। ସେପଟେ ଖବର ପାଇ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଅନୁପ କୁମାର ପଣ୍ଡା ଓ ରାୟଗଡ ତହସିଲଦାର ପୁଲିସକୁ ଧରି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଆନ୍ଧ୍ର ଲେଖିଥିବା ନମ୍ବରକୁ ଲିଭାଇ ଓଡ଼ିଶାର ଜନଗଣନା ନମ୍ବର ଲେଖିଥିଲେ ।
ସୀମାନ୍ତ ଗାଁରେ ଆନ୍ଧ୍ରର ଜନଗଣନା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ଏହି ଦୁଇ ଗାଁ ଲୋକଙ୍କୁ ଆନ୍ଧ୍ର ନିଜ ଭୋଟର କରି ବିଭିନ୍ନ ଯୋଜନାରେ ସାମିଲ କରିଛି। ଏପରିକି ମାଣିକପାଟଣା ଗାଁରେ ଆନ୍ଧ୍ର ପ୍ରଶାସନ ଏକ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରିଛି । ଏହାକୁ ହଟାଇବାରେ ଆଜି ଯାଏଁ ଜିଲ୍ଲା ପ୍ରଶାସନ ସଫଳ ହୋଇପାରିନି । ଏନେଇ ଆନ୍ଧ୍ରର ସ୍ଥାନୀୟ ଜନ ପ୍ରତିନିଧିଙ୍କ କହିବା କଥା, ମାଣିକପାଟଣା ଏବଂ ଗୁଡିଖୁଡି ହେଉଛି ଆନ୍ଧ୍ରର। ଏଠାକାର ଲୋକେ ଆନ୍ଧ୍ରର ସମସ୍ତ ସରକାରୀ ସୁବିଧା ସୁଯୋଗ ପାଉଛନ୍ତି। ତେଣୁ ସେମାନେ ବି ଆନ୍ଧ୍ରରେ ରହିବାକୁ ଚାହୁଁଛନ୍ତି। ତେବେ ଉଭୟ ରାଜ୍ୟର ମିଳିତ ସର୍ଭେ କରାଯାଇ ଏହାର ସମାଧାନ କରାଯିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ଏବେ ଜନଗଣନା ବେଳେ ଏଭଳି ବିବାଦ ମୁଣ୍ଡ ଟେକିଥିବାରୁ ଏଠାକାର ଲୋକେ କେଉଁ ରାଜ୍ୟର ହେବେ ତାହାକୁ ନେଇ ଦ୍ବନ୍ଦ ସୃଷ୍ଚି ହୋଇଛି ।
ସୀମାନ୍ତରେ ଏହି ବିବାଦ ବହୁ ପୁରୁଣା। ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସାମାଜିକ ସୁରକ୍ଷା ଯୋଜନାକୁ ନେଇ ଆନ୍ଧ୍ର ସରକାର ସୀମାନ୍ତ ଲୋକଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରୁଛନ୍ତି। ଜିଲ୍ଲା ପ୍ରଶାସନ ଏହି ବିବାଦର ସମାଧାନ ପାଇଁ ପ୍ରୟାସ କରୁଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନି। ଏହାର ସ୍ଥାୟୀ ସମାଧାନ ପାଇଁ ଉଭୟ ରାଜ୍ୟ ସରକାର ପଦକ୍ଷେପ ନେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି।
ଏହି ଖବରଟିକୁ ପଢନ୍ତୁ- ଭୁବନେଶ୍ଵରରେ ବୁଲିଲା ଖଣ୍ଡା, କେଦାରପଲ୍ଲୀ ବସ୍ତିରେ ପୂର୍ବ ଶତ୍ରୁତାକୁ ନେଇ ହଣାକଟା