ନୂଆଦିଲ୍ଲୀ, ୨୮/୦୮: ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ନେଇ ଭାରତ ଆଗ୍ରହୀ ରହିଛି । କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ବିଡ୍ ଦାଖଲ କରିବା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇ ସାରିଛି । କେବଳ କେନ୍ଦ୍ର କ୍ୟାବିନେଟର ମଞ୍ଜୁରିକୁ ଅପେକ୍ଷା ରହିଥିଲା ।
ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବସିଥିଲା । ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ନେଇ ବିଡ୍ ଦାଖଲ ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରି ମିଳିଛି । ୨୦୩୬ ଅଲିମ୍ପିକ୍ସ ଆୟୋଜନ ପୂର୍ବରୁ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ଅଧିକାର ଭାରତକୁ ମିଳିବା ନେଇ ଆଶା ସଂଚାର ହୋଇଛି । ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ କାନାଡ଼ା କ୍ରୀଡ଼ା ଆୟୋଜନ ନେଇ ଅନାଗ୍ରହ ପ୍ରକାଶ କରିଛି । ତେଣୁ ୨୦୧୦ ପରେ ପୁଣି ଥରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରତ ଫେରିବ ବୋଲି ପଥ ପରିଷ୍କାର ହୋଇଛି । କାନାଡ଼ା ଆର୍ଥିକ ସମସ୍ୟା ଦର୍ଶାଇ କ୍ରୀଡ଼ା ଆୟୋଜନ କରିବା ନେଇ ଆଉ ଆଗ୍ରହ ପ୍ରକାଶ କରୁନାହିଁ । କାନାଡ଼ା ଓ ଭାରତ ସମେତ ନାଇଜେରିଆ ମଧ୍ୟ ୨୦୩୦ ସଂସ୍କରଣ ଆୟୋଜନ ନେଇ ଆଗ୍ରହ ପତ୍ର ଦାଖଲ କରିଥିଲେ । ଭାରତ ଯଦି ଆୟୋଜନ ଅଧିକାର ଜିତେ ତେବେ ଅହମ୍ମଦାବାଦ ଆୟୋଜକ ସହର ରହିବ । ଅହମ୍ମଦାବାଦ ସମେତ ଅନ୍ୟ ସହର ଗୁଡ଼ିକରେ କିଛି ଇଭେଣ୍ଟ ଆୟୋଜନ କରାଯିବ । ଆସନ୍ତା ଅଗଷ୍ଟ ୩୧ ଅଫିସିଆଲ ବିଡ୍ ଦାଖଲର ଶେଷ ତାରିଖ ରହିଛି । କ୍ୟାବିନେଟ୍ ମଞ୍ଜୁରି ପରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଭାରତୀୟ ଅଲିମ୍ପିକ୍ସ ସଂଘ ବିଡ୍ ଦାଖଲ କରିବ ବୋଲି ଜାଣିବାକୁ ମିଳିଛି ।