ନୂଆଦିଲ୍ଲୀ, ୨୮/୦୮: ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ନେଇ ଭାରତ  ଆଗ୍ରହୀ ରହିଛି । କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ  ବିଡ୍‌ ଦାଖଲ କରିବା ନେଇ ସମସ୍ତ ପ୍ରସ୍ତୁତି ଶେଷ  ହୋଇ ସାରିଛି । କେବଳ କେନ୍ଦ୍ର କ୍ୟାବିନେଟର  ମଞ୍ଜୁରିକୁ ଅପେକ୍ଷା ରହିଥିଲା ।

ବୁଧବାର ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ  ବସିଥିଲା । ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା  ଆୟୋଜନ ନେଇ ବିଡ୍‌ ଦାଖଲ ପ୍ରସ୍ତାବକୁ   କ୍ୟାବିନେଟରେ ମଞ୍ଜୁରି ମିଳିଛି । ୨୦୩୬ ଅଲିମ୍ପିକ୍ସ ଆୟୋଜନ ପୂର୍ବରୁ  ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ଅଧିକାର  ଭାରତକୁ ମିଳିବା ନେଇ ଆଶା ସଂଚାର ହୋଇଛି ।  ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ କାନାଡ଼ା କ୍ରୀଡ଼ା ଆୟୋଜନ  ନେଇ ଅନାଗ୍ରହ ପ୍ରକାଶ କରିଛି । ତେଣୁ ୨୦୧୦  ପରେ ପୁଣି ଥରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରତ  ଫେରିବ ବୋଲି ପଥ ପରିଷ୍କାର ହୋଇଛି । କାନାଡ଼ା ଆର୍ଥିକ ସମସ୍ୟା ଦର୍ଶାଇ କ୍ରୀଡ଼ା  ଆୟୋଜନ କରିବା ନେଇ ଆଉ ଆଗ୍ରହ  ପ୍ରକାଶ କରୁନାହିଁ । କାନାଡ଼ା ଓ ଭାରତ ସମେତ  ନାଇଜେରିଆ ମଧ୍ୟ ୨୦୩୦ ସଂସ୍କରଣ ଆୟୋଜନ  ନେଇ ଆଗ୍ରହ ପତ୍ର ଦାଖଲ କରିଥିଲେ । ଭାରତ ଯଦି ଆୟୋଜନ ଅଧିକାର ଜିତେ  ତେବେ ଅହମ୍ମଦାବାଦ ଆୟୋଜକ ସହର ରହିବ । ଅହମ୍ମଦାବାଦ ସମେତ ଅନ୍ୟ ସହର ଗୁଡ଼ିକରେ  କିଛି ଇଭେଣ୍ଟ ଆୟୋଜନ କରାଯିବ । ଆସନ୍ତା ଅଗଷ୍ଟ ୩୧ ଅଫିସିଆଲ ବିଡ୍‌ ଦାଖଲର ଶେଷ  ତାରିଖ ରହିଛି । କ୍ୟାବିନେଟ୍‌ ମଞ୍ଜୁରି ପରେ ଆସନ୍ତା  ୪୮ ଘଣ୍ଟା ମଧ୍ୟରେ ଭାରତୀୟ ଅଲିମ୍ପିକ୍ସ ସଂଘ  ବିଡ୍‌ ଦାଖଲ କରିବ ବୋଲି ଜାଣିବାକୁ ମିଳିଛି ।