ନୂଆଦିଲ୍ଲୀ,୫।୫ :  ପୁରୀ ଓ ରାଜସ୍ଥାନର କୋଟାଠାରେ ନୂତନ ବିମାନ ବନ୍ଦର ନିର୍ମାଣକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କିଞ୍ଜରପୁ ଏହି ୨ଟି ଗ୍ରୀନଫିଲ୍ଡ ବିମାନ ବନ୍ଦର ନିର୍ମାଣକୁ ନୀତିଗତ ଅନୁମୋଦନ ପ୍ରଦାନ କରିଛନ୍ତି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀ ଏକ ବିଶ୍ବପ୍ରସିଦ୍ଧ ଧାର୍ମିକ ପର୍ଯ୍ୟଟନ କ୍ଷେତ୍ର ଭାବେ  ଭକ୍ତ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ପୁରୀଠାରେ ଏକ ବିମାନ ବନ୍ଦର ପ୍ରତିଷ୍ଠା କରିବାର  ନିଷ୍ପତ୍ତି ଏହି ଅଞ୍ଚଳର ବିକାଶ ଏବଂ ସାମଗ୍ରିକ ଯୋଗାଯୋଗକୁ ଗୁରୁତ୍ବପୂର୍ଣ୍ଣ ପ୍ରୋତ୍ସାହନ ପ୍ରଦାନ କରିବ। ଏହି ବିମାନ ବନ୍ଦର ପୁରୀ ଓ ଭାରତର ପ୍ରମୁଖ ମହାନଗରଗୁଡିକ ମଧ୍ୟରେ ସିଧାସଳଖ ବିମାନ ଯୋଗାଯୋଗକୁ ବୃଦ୍ଧି କରିବାରେ ସହାୟକ ହେବ। ଏହି ନିଷ୍ପତ୍ତି ପୁରୀ ଏବଂ ଓଡିଶା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ। 

କୋଟା ବିମାନବନ୍ଦର  ନିର୍ମାଣ ଦ୍ବାରା ଦୀର୍ଘ ପ୍ରତୀକ୍ଷିତ ଆଶା ପୂରଣ ହେବ। କୋଟା ଭାରତ ଭିତରେ ଏବଂ ଅନ୍ତର୍ଜାତୀୟ ସ୍ତରରେ ପ୍ରମୁଖ ଗସ୍ତବ୍ୟସ୍ଥଳ ହେବାରେ ସକ୍ଷମ ହେବ। ଏହି ନିଷ୍ପତ୍ତି  ରାଜସ୍ଥାନ କୋଟାର ଭିତ୍ତିଭୂମି ବିକାଶରେ ଏକ ପ୍ରମୁଖ ମାଇଲଖୁଣ୍ଟ।