ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୋମବାର (୨୪ ମାର୍ଚ୍ଚ, ୨୦୨୫) ସାଂସଦଙ୍କ ଦରମା ବୃଦ୍ଧି ନେଇ ଘୋଷଣା କରିଛନ୍ତି। ଏହି ବର୍ଦ୍ଧିତ ଦରମା ୧ ଏପ୍ରିଲ୍ ୨୦୨୩ରୁ ପିଛିଲା ଭାବେ ଲାଗୁ ହେବ । ସାଂସଦମାନେ ୧ ଲକ୍ଷ ଟଙ୍କା ପରିବର୍ତ୍ତେ ୧ ଲକ୍ଷ ୨୪ ହଜାର ଟଙ୍କା ଦରମା ପାଇବେ । ସରକାରଙ୍କ ଦ୍ୱାରା ସାଂସଦଙ୍କ ପେନସନ ଏବଂ ଭତ୍ତା ମଧ୍ୟ ବୃଦ୍ଧି କରାଯାଇଛି । ସଂସଦର ସଦସ୍ୟଙ୍କ ଦରମା, ଭତ୍ତା ଏବଂ ପେନସନ ଆଇନ ୧୯୫୪ ଦ୍ୱାରା ପ୍ରଦତ୍ତ କ୍ଷମତା ବ୍ୟବହାର କରି ଏହି ପରିବର୍ତ୍ତନଗୁଡ଼ିକ କରାଯାଇଛି । ୫ ବର୍ଷ ପରେ, ସାଂସଦଙ୍କ ଦରମା ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି ।
ଏହି ନିଷ୍ପତ୍ତି ପୂର୍ବରୁ ସାଂସଦଙ୍କ ପେନସନ୍ ୨୫,୦୦୦ ଟଙ୍କା ଥିଲା । ଏବେ ଏହାକୁ ୩୧,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଦୁଇଥର କିମ୍ବା ତିନିଥର ସାଂସଦ ହୋଇଥିବା ସାଂସଦଙ୍କ ଅତିରିକ୍ତ ପେନସନ ୨୦୦୦ ଟଙ୍କାରୁ ୨୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।
ଦରମା: ସାଂସଦଙ୍କ ମାସିକ ଦରକାର ଏକ ଲକ୍ଷ ଟଙ୍କାରୁ ବଢ଼ି ୧ ଲକ୍ଷ ୨୪ ହଜାର ଟଙ୍କା ହୋଇଛି ।
ଦୈନିକ ଖର୍ଚ୍ଚ: ସାଂସଦଙ୍କ ଦୈନିକ ଖର୍ଚ୍ଚ ବାବଦକୁ ଦିଆଯାଉଥିବା ଅର୍ଥରାଶି ବୃଦ୍ଧି ପାଇବେ । ଏଣିକି ସାଂସଦଙ୍କୁ ୨୦୦୦ ଟଙ୍କା ପରିବର୍ତ୍ତେ ୨୫୦୦ ଟଙ୍କା ମିଳିବ ।
ପେନସନ୍: ପୂର୍ବତନ ସାଂସଦଙ୍କ ପେନସନ୍ ମଧ୍ୟ ବୃଦ୍ଧି ପାଇଛି । ୨୫ ହଜାର ଟଙ୍କାରୁ ବଢ଼ି ପେନସନ୍ ୩୧ ହଜାର ଟଙ୍କା ହୋଇଛି ।
ଅତିରିକ୍ତ ପେନସନ୍: ସଂସଦର ପୂର୍ବତନ ସଦସ୍ୟଙ୍କ ଅତିରିକ୍ତ ପେନସନ୍ ୨୦୦୦ରୁ ଟଙ୍କାରୁ ୨୫୦୦ ଟଙ୍କା ହୋଇଛି ।
ସଂସଦର ଚଳିତ ବଜେଟ ଅଧିବେଶନରେ ସାଂସଦମାନଙ୍କ ଦରମା, ଭତ୍ତା ଏବଂ ପେନସନରେ ସଂଶୋଧନ ଘୋଷଣା କରାଯାଇଛି । ପୂର୍ବରୁ ୨୦୧୮ ଏପ୍ରିଲରେ, କାର୍ଯ୍ୟରତ ଏବଂ ପୂର୍ବତନ ସାଂସଦମାନଙ୍କୁ ଦିଆଯାଉଥିବା ଦରମା ଏବଂ ଭତ୍ତା ନିୟମରେ ସଂଶୋଧନ ହୋଇଥିଲା । ୨୦୧୮ ରେ ସାଂସଦମାନଙ୍କ ଦରମା ୧,୦୦,୦୦୦ ଟଙ୍କା ହୋଇଥିଲା ।୨୦୧୮ ସଂଶୋଧନ ଅନୁଯାୟୀ, ସାଂସଦମାନେ ସେମାନଙ୍କ କାର୍ଯ୍ୟାଳୟକୁ ଅପ-ଟୁ ଡେଟ୍ ରଖିବା ଏବଂ ସେମାନଙ୍କ ଜିଲ୍ଲାରେ ଭୋଟରଙ୍କ ସହ ଯୋଗାଯୋଗ କରିବା ପାଇଁ ଭତ୍ତା ବାବଦରେ ୭୦,୦୦୦ ଟଙ୍କା ପାଆନ୍ତି । ଏହା ବ୍ୟତୀତ, ସାଂସଦମାନେ ଫୋନ୍ ଏବଂ ଇଣ୍ଟରନେଟ୍ ବ୍ୟବହାର ପାଇଁ ବାର୍ଷିକ ଭତ୍ତା ମଧ୍ୟ ପାଆନ୍ତି। ସାଂସଦଙ୍କୁ ଏବଂ ତାଙ୍କ ପରିବାରକୁ ପ୍ରତିବର୍ଷ ୩୪ଟି ମାଗଣା ଘରୋଇ ବିମାନ ଯାତ୍ରାର ସୁବିଧା ଏବଂ ଯେକୌଣସି ସମୟରେ ପ୍ରଥମ ଶ୍ରେଣୀ ଟ୍ରେନ୍ ଯାତ୍ରାର ସୁବିଧା ମଧ୍ୟ ମିଳେ । ସେହିଭଳି ମାଗଣା ବିଜୁଳୀ ଏବଂ ପାଣିର ସୁବିଧା ମଧ୍ୟ ସାଂସଦମାନଙ୍କୁ ଯୋଗାଇ ଦିଆଯାଏ ।
ସୂଚନେଯୋଗ୍ୟ, କର୍ଣ୍ଣାଟକ ସରକାର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ବିଧାୟକମାନଙ୍କ ଦରମା ଶତ ପ୍ରତିଶତ ବୃଦ୍ଧି କରିଛନ୍ତି । ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ଦରମା ଦୁଇ ଗୁଣ ହୋଇଯାଇଛି । ୭୫ ହଜାର ଟଙ୍କା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ଏବେ ମାସିକ ୧.୫ ଲକ୍ଷ ଟଙ୍କା ପାଇବେ । ସେହିଭଳି ମନ୍ତ୍ରୀମାନଙ୍କ ଦରମା ୧୦୬ ପ୍ରତିଶତ ବୃଦ୍ଧି ପାଇ ୧.୨୫ ଲକ୍ଷ ଟଙ୍କାରେ ପହଞ୍ଚିଛି ।