ଭୁବନେଶ୍ୱର,୧୪/୦୫:  ଜାତୀୟସ୍ତରରେ ଜନସଂଖ୍ୟାର ୫୧.୨%  ଅବିବାହିତ । ୫୬.୪% ଅବିବାହିତ  ପୁରୁଷ ବର୍ଗ ରହିଥିଲା ବେଳେ ୪୫.୮%  ମହିଳା ବର୍ଗ ରହିଛନ୍ତି । ଓଡ଼ିଶାରେ  ଜନସଂଖ୍ୟାର ୪୬.୫% ଅବିବାହିତ  ଅଛନ୍ତି । ୫୧.୬% ପୁରୁଷ ଏବଂ  ୪୧.୨% ମହିଳା ଅବିବାହିତ ଅଛନ୍ତି । ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ  ମାତ୍ରାରେ ବିବାହ ପ୍ରତି ବିମୁଖ ଅଛନ୍ତି ।  କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି ।  

ଦେଶ ହେଉ ବା ରାଜ୍ୟ ବିବାହ ପ୍ରତି ପିଲାଙ୍କ ଆଗ୍ରହ କମୁଛି । ସେମାନେ  ପରିବାର ଜଞ୍ଜାଳ ଭିତରେ ଜୀବନ ଅତିବାହିତ କରିବାକୁ ଇଚ୍ଛା ପ୍ରକାଶ  କରୁନାହାନ୍ତି । ଆର୍ଥିକ ସମସ୍ୟା ହେଉ ବା ପାରିବାରିକ, ଏକାକୀ ଜୀବନ ବଞ୍ଚିବାକୁ ପସନ୍ଦ କରୁଛନ୍ତି । ଦେଶରେ ଜନସଂଖ୍ୟାର ୪୫.୫%  ବିବାହିତ । ୪୨.୫% ପୁରୁଷ ଓ ୪୯%  ମହିଳା ବର୍ଗ ବିବାହ କରିଛନ୍ତି । ଆଉ ଜନସଂଖ୍ୟାର ୩.୩% ମଧ୍ୟରେ ବିଧବା,ସ୍ୱାମୀ ବା ସ୍ତ୍ରୀ ପରିତ୍ୟକ୍ତା ଓ ବିବାହ  ବିଚ୍ଛେଦ ବର୍ଗ ଅଛନ୍ତି । ଏହି ବର୍ଗରେ  ୧.୫% ପୁରୁଷ ରହିଥିଲା ବେଳେ ୫.୨%  ମହିଳା । ଓଡ଼ିଶାରେ ୪୯.୨% ବିବାହିତ । ୪୨.୨% ପୁରୁଷ ଓ ୪୬.୭% ମହିଳା  ବର୍ଗ ବିବାହ କରିଛନ୍ତି । ଏହାଛଡ଼ା  ରାଜ୍ୟରେ ୪.୩% ମଧ୍ୟରେ ବିଧବା, ସ୍ୱାମୀ  ବା ସ୍ତ୍ରୀ ପରିତ୍ୟକ୍ତା ଓ ବିବାହ ବିଚ୍ଛେଦ ବର୍ଗ  ଅଛନ୍ତି । ଏହି ବର୍ଗରେ ୧.୭% ପୁରୁଷ  ରହିଥିଲା ବେଳେ ୬.୯% ମହିଳା ।  

ରାଜ୍ୟରେ ଏହି ବର୍ଗରେ ମହିଳାଙ୍କ ସଂଖ୍ୟା ଅଧିକ । ଅର୍ଥାତ ସମାଜରେ  ଅଧିକ ମାତ୍ରାରେ ମହିଳାମାନେ ବିବାହ ଜନିତ ଯନ୍ତ୍ରଣା ଭୋଗୁଛନ୍ତି। ଜାମ୍ମୁ ଓ କଶ୍ମୀରରେ ସର୍ବାଧିକ ଅବିବାହିତ  ଅଛନ୍ତି । ଜନସଂଖ୍ୟାର ୫୭.୩%  ଅବିବାହିତ । ଏହି ରାଜ୍ୟ ପଛକୁ ଦ୍ୱିତୀୟରେ ରହିଛି ଉତ୍ତର ପ୍ରଦେଶ। ସେଠାରେ ୫୬.୮% ଅଛନ୍ତି । ବିହାରରେ  ସର୍ବାଧିକ ୬୩.୧% ପୁରୁଷ ଅବିବାହିତ । ଦ୍ୱିତୀୟରେ ଉତ୍ତରାଖଣ୍ଡରେ ୬୧.୭% ଅବିବାହିତ। ଅବିବାହିତ ପୁରୁଷ  ବର୍ଗରେ ଓଡ଼ିଶା ୧୭ତମ ସ୍ଥାନରେ  ରହିଛି । ସେହିପରି ମହିଳାଙ୍କ କ୍ଷେତ୍ରରେ  ବିହାରରେ ମଧ୍ୟ ସର୍ବାଧିକ ମହିଳା ଅବିବାହିତ । ସେଠାରେ ୫୪.୫%  ମହିଳା ଅଛନ୍ତି । ଏହି ବର୍ଗରେ ଓଡ଼ିଶା  ୧୬ତମ ସ୍ଥାନରେ ରହିଛି । ଦେଶରେ  ବିଧବା,ସ୍ୱାମୀ ବା ସ୍ତ୍ରୀ ପରିତ୍ୟକ୍ତା ଓ  ବିବାହ ବିଚ୍ଛେଦ ବର୍ଗରେ ତାମିଲନାଡ଼ୁରେ  ସର୍ବାଧିକ ୫.୯% ଅଛନ୍ତି । ଏହି ବର୍ଗରେ  ଓଡ଼ିଶା ୧୬ତମ ସ୍ଥାନରେ ରହିଛି ।