ନୂଆଦିଲ୍ଲୀ, ୧୪/୦୮: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ  ସଂସଦରେ ପାରିତ ହୋଇଯାଇଛି ଜାତୀୟ  କ୍ରୀଡ଼ା ଶାସନ ବିଲ୍‌ । ଲୋକସଭା ଭଳି  ରାଜ୍ୟ ସଭାରେ ମଧ୍ୟ ଏହି ବିଲକୁ ନେଇ କୌଣସି ଦ୍ୱନ୍ଦ୍ୱ ଦେଖାଦେଇ ନଥିଲା । 

କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡଭିୟା କହିଛନ୍ତି, ‘ଆଗାମୀ ୬ ମାସ ମଧ୍ୟରେ ଏହି ବିଲ୍‌କୁ କାର୍ଯ୍ୟକାରୀ କରାଯିବ ।’ ପୂର୍ବରୁ ସେ କହିଥିଲେ,‘୧୯୭୫  ମସିହାରେ ଏକ ଗାଇଡ୍‌ ଲାଇନ ପ୍ରସ୍ତୁତ  କରାଯାଇଥିଲା । ଏହି ଗାଇଡ୍‌ ଲାଇନ  ଅନୁସାରେ ଦେଶରେ କ୍ରୀଡ଼ା ସଂଘ ପରିଚାଳିତ ହେଉଥିଲା । ୧୯୮୫ରେ  କ୍ରୀଡ଼ା ବିଲ୍‌ ପାଇଁ ପ୍ରଥମ ଥର ଡ୍ରାଫ୍ଟ ବା ଚିଠା ପ୍ରସ୍ତୁତ କରାଯାଇଥିଲା । ୨୦୧୧ରେ  ଜାତୀୟ କ୍ରୀଡ଼ା ନୀତି ପ୍ରସ୍ତୁତ ହୋଇଥିଲା । ସେହିବର୍ଷ ପୁଣି ଥରେ କ୍ରୀଡ଼ା ବିଲର ଚିଠା  ପ୍ରସ୍ତୁତ କରାଯାଇଥିଲା । କ୍ୟାବିନେଟ୍ ପର୍ଯ୍ୟନ୍ତ ଏହାକୁ ନିଆଯାଇଥିଲା। ମାତ୍ର ଏହାକୁ  ନେଇ ତୀବ୍ର ଆଲୋଚନା ଓ ସମାଲୋଚନା  ହେବାରୁ ତତ୍କାଳୀନ ସରକାର କ୍ୟାବିନେଟ୍  ମଞ୍ଜୁରୀ ଦେବାରେ ବିଫଳ ରହିଥିଲେ। କିନ୍ତୁ ଆମେ ଯାହା କରାଇଲୁ ତାହା ଦେଶ ସ୍ୱାଧୀନ ହେବା ପରେ କ୍ରୀଡ଼ା କ୍ଷେତ୍ରରେ  ଏକ ବଡ଼ ସଂସ୍କାର । ଏହି ବିଲ୍‌ ଜାତୀୟ କ୍ରୀଡ଼ା  ସଂଘ ଗୁଡ଼ିକରେ ସ୍ୱଚ୍ଛତା, ପ୍ରତିଶ୍ରୁତିବଦ୍ଧତା, ତ୍ୱରିତ ନ୍ୟାୟକୁ ସୁନିଶ୍ଚିତ କରିବା ସହ  ପ୍ରଶାସନିକ ବ୍ୟବସ୍ଥାକୁ ମଜବୁତ କରିବ ।’ 

ଜାତୀୟ କ୍ରୀଡ଼ା ବୋର୍ଡ (ଏନଏସ୍‌ବି)  ଏବଂ ଜାତୀୟ କ୍ରୀଡ଼ା ଟ୍ରିବ୍ୟୁନାଲ  (ଏନ୍‌ଏସ୍‌ଟି) ଖୁବ ଶୀଘ୍ର ପୂର୍ଣ୍ଣ ଭାବରେ  କାର୍ଯ୍ୟ କରିବ । କ୍ରୀଡ଼ାମନ୍ତ୍ରୀ କହିଛନ୍ତି,  ‘୨୦୦୮ ମୁମ୍ବାଇ ଆକ୍ରମଣ ପରଠୁ ଭାରତୀୟ  କ୍ରିକେଟ୍‌ ଦଳ ପାକିସ୍ତାନ ଗସ୍ତରେ ଯାଇ  ନାହିଁ । ଆଇସିସି ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ନିରପେକ୍ଷ ଭେନ୍ୟୁରେ ମ୍ୟାଚ ଖେଳୁଛନ୍ତି । ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍‌ ସଂପର୍କ ବିଷୟରେ ପରିସ୍ଥିତିକୁ  ମୂଲ୍ୟାୟନ କରି କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ଓ ସୁରକ୍ଷା ଏଜେନ୍ସିର ପରାମର୍ଶରେ ଯାହା କିଛି ନିଷ୍ପତ୍ତି ନିଆଯିବ ।’