ନୂଆଦିଲ୍ଲୀ,୧୪।୮: ଦେଶର ସୁରକ୍ଷା ଓ ‘ଅରେସନ୍ ସିନ୍ଦୂର’ରେ ନିଜ ଜୀବନର ବାଜି ଲଗାଇ ଦେଇଥିବା ବୀର ଯବାନଙ୍କୁ  ସ୍ବାଧିନତା ଦିବସରେ କରାଯିବ ସମ୍ମାନିତ । କେନ୍ଦ୍ର ସରକାର ୭୯ ତମ ସ୍ବାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ବୀରତ୍ବ, ଅଦମ୍ୟ ସାହାସ ଓ କର୍ତ୍ତବ୍ୟନିଷ୍ଠା ପାଇଁ ୩୬ ବାୟୁ ସୈନିକଙ୍କୁ ସାହସିକତା ପୁରସ୍କାର ଘୋଷଣା କରିଛନ୍ତି । ଏହି ଅବସରରେ ଓ୍ବିଙ୍ଗ କମାଣ୍ଡର ଅଭିମନ୍ୟୁ ସିଂହଙ୍କୁ ‘ଶୌର୍ଯ୍ୟଚକ୍ର’ ପ୍ରଦାନ କରାଯିବ। ଏହା ସହ ୯ ଯବାନଙ୍କୁ ‘ବୀର ଚକ୍ର’ ପୁରସ୍କାରରେ ସମ୍ମାନିତ କରାଯିବ। ଏଥିରେ ୪ ଗ୍ରୁପ୍ କ୍ୟାପଟେନ୍, ଜଣେ ଓ୍ବିଙ୍ଗ କମାଣ୍ଡର, ତିନି ସ୍କ୍ବାର୍ଡନ ଲିଡର ଓ ଜଣେ ଫ୍ଲାଇଟ୍ ଲେଫ୍ଟନାଣ୍ଟ ରହିଛନ୍ତି। ସେଭଳି ୨୬ ବାୟୁସୈନିକଙ୍କୁ ବାୟୁସେନା ମେଡାଲ(ଗ୍ୟାଲେଣ୍ଟ୍ରି)ରେ ସମ୍ମାନିତ କରାଯିବ।

‘ବୀର ଚକ୍ର’ ଭାରତର ତୃତୀୟ ସର୍ବୋଚ୍ଚ ସାମରିକ ପୁରସ୍କାର। ଏହାକୁ ଜଳ,ସ୍ଥଳ ଓ ଆକାଶରେ ଶତ୍ରୁଙ୍କ ବିରୋଧରେ ଅସାଧରଣ ପ୍ରତିଭା ଦେଖାଇବା ପାଇଁ ପ୍ରଦାନ କରାଯାଇଥାଏ। ଗତ ମଇ ମାସରେ ‘ଅପରେସନ୍ ସିନ୍ଦୂର’ ବେଳେ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ଏକାଧିକ ଆତଙ୍କୀ ଆଡ୍ଡାକୁ ନଷ୍ଟ କରିଥିଲେ ଭାରତୀୟ ଯବାନ। ଏହି ସମୟରେ ଭାରତୀୟ ବାୟୁସେନାର ଏହି ଅଧିକାରୀ ଆତଙ୍କୀଙ୍କ ଗଡ ଭାବରେ ପରିଚିତ ମୁରିଦକେ ଓ ବାହାଓ୍ବଲପୁର ଭଳି ଆତଙ୍କୀ ହେଡକ୍ବାର୍ଟରକୁ ଧ୍ବଂସ କରିଦେଇଥିଲେ। ଏବେ ସରକାର ଏହି ଅପରେସନ୍‌ରେ ସାମିଲ ପାଇଲଟଙ୍କ ସହ ୯ ଯବାନଙ୍କୁ ‘ବୀର ଚକ୍ର’ରେ ସମ୍ମାନିତ କରିବାକୁ ଯାଉଛନ୍ତି।

ଶୌର୍ଯ୍ୟ ଚକ୍ର :

-ଓ୍ବିଙ୍ଗ କମାଣ୍ଡର ଅଭିମନ୍ୟୁ ସିଂହ

‘ବୀର ଚକ୍ର‘ ପାଇବାକୁ ଥିବା ଯବାନ :

-ଗ୍ରୁପ୍ କ୍ୟାପଟେନ୍ : ଆର.ସ୍ ସିଦ୍ଧୁ, ମନୀଷ ଆରୋଡା, ଅନିମେଷ ପାଟନୀ, କୃଣାଲ କାଲରା

-ଓ୍ବିଙ୍ଗ କମାଣ୍ଡର : ଜୟ ଚନ୍ଦ୍ରା

-ସ୍କ୍ବାର୍ଡନ ଲିଡର: ସାର୍ଥକ କୁମାର, ସିଦ୍ଧାନ୍ତ ସିଂହ, ରିଜଭାନ ମଲ୍ଲିକ

-ଫ୍ଲାଇଟ୍ ଲେଫ୍ଟନାଣ୍ଟ : ଏ.ଏସ୍ ଠାକୁର