ନୂଆଦିଲ୍ଲୀ,୨୨/୦୩: ଆମେରିକାର ଇମିଗ୍ରେସନ ଓ କଷ୍ଟମ ଏନ୍‌ଫୋର୍ସମେଣ୍ଟ (ଆଇସିଇ) ହେପାଜତରେ ବର୍ତ୍ତମାନ ୨୯୫ ଜଣ  ଅବୈଧ ପ୍ରବାସୀ ଭାରତୀୟ ଅଛନ୍ତି ।  ଆମେରିକା ସେମାନଙ୍କୁ ଖୁବଶୀଘ୍ର ଭାରତକୁ ପଠାଇଦେବ । ସେମାନଙ୍କୁ ଦେଶ ଛାଡିବା ଲାଗି ଚୂଡାନ୍ତ ଆଦେଶନାମା ଜାରି କରାଯାଇଛି । କେନ୍ଦ୍ର ସରକାର ଶୁକ୍ରବାର  ସଂସଦରେ ଏହି ସୂଚନା ଦେଇଛନ୍ତି । ଏହି ଭାରତୀୟଙ୍କ ସମ୍ପର୍କରେ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସବିଶେଷ ତଥ୍ୟ  ସଂଗ୍ରହ କରାଯାଉଛି । କିନ୍ତୁ ବର୍ତ୍ତମାନ  ଆମେରିକାରେ କେତେ ସଂଖ୍ୟକ  ଅବୈଧ ପ୍ରବାସୀ ଭାରତୀୟ ରହୁଛନ୍ତି  ସେହି ସମ୍ପର୍କରେ ଟ୍ରମ୍ପ ପ୍ରଶାସନ ପକ୍ଷରୁ  କୌଣସି ସୂଚନା ଦିଆଯାଇ ନଥିବା  ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।  

ଗତ ଜାନୁଆରୀ ୨୦ରେ ଡୋନାଲ୍ଡ ଟ୍ରମ୍ପ  ଦ୍ୱିତୀୟଥର ପାଇଁ ରାଷ୍ଟ୍ରପତି ଭାବେ ଦାୟିତ୍ୱ  ଗ୍ରହଣ କରିବା ପରେ ଏପର୍ଯ୍ୟନ୍ତ ୩୮୮  ଜଣ ଅବୈଧ ପ୍ରବାସୀ ଭାରତୀୟଙ୍କୁ  ପଠାଇ ସାରିଲେଣି । ଟ୍ରମ୍ପଙ୍କ ପ୍ରଥମ ପାଳି  (୨୦୧୭-୨୧) ରେ ୬ ହଜାର ଅବୈଧ  ପ୍ରବାସୀ ଭାରତୀୟଙ୍କୁ ସ୍ୱଦେଶ ପଠାଇ  ଦିଆଯାଇଥିଲା । ଜୋ ବାଇଡେନଙ୍କ ଶାସନ  (୨୦୨୧-୨୫) ସମୟରେ ୩,୬୨୫  ଜଣ ଅବୈଧ ପ୍ରବାସୀ ଭାରତୀୟଙ୍କୁ ନିଜ  ଦେଶକୁ ପଠାଯାଇଥିଲା ।