ଭୁବନେଶ୍ୱର,୧୧/୩ (ପ୍ରଜ୍ଞା ଚୌଧୁରୀ) : ଚିନ୍ତା ବଢାଉଛି ସର୍ଭାଇକାଲ କ୍ୟାନସର ବା ଜରାୟୁଗ୍ରୀବା କର୍କଟ ସ୍ଥିତି । ମହିଳାଙ୍କ କ୍ଷେତ୍ରରେ ସ୍ତନ କର୍କଟ ପରେ ଏହା ଦ୍ୱିତୀୟ ମାରାତ୍ମକ ତଥା ସାଧାରଣ ରୋଗ ବୋଲି କୁହାଯାଏ । ଭାରତରେ ଦୈନିକ ପ୍ରାୟ ୨୦୦ ମହିଳା ଏଥିରେ ପ୍ରାଣ ହରାଇଥାନ୍ତି । ଅନ୍ୟପଟେ ଆମ ରାଜ୍ୟରେ କେବଳ ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୟାନସର ବା ଏଏଚ୍ପିଜିଆଇସିକୁ ପ୍ରତିଦିନ ୫୦ ଜଣ ସ୍କ୍ରିନିଂ ପାଇଁ ଆସୁଛନ୍ତି । ସେଥିରୁ ପ୍ରାୟ ୧୦/୧୨ଜଣ ସର୍ଭାଇକାଲ କ୍ୟାନସର ପୀଡିତ ଚିହ୍ନଟ ହେଉଛନ୍ତି । ବାର୍ଷିକ ଏହି ସଂଖ୍ୟା ପ୍ରାୟ ୩ ହଜାର ରହିଛି । ସାରା ବିଶ୍ୱର ସର୍ଭାଇକାଲ କ୍ୟାନସର ପୀଡିତାଙ୍କ ସଂଖ୍ୟାର ଏକ ଚତୁର୍ଥାଂଶ କେବଳ ଭାରତରେ ଅଛନ୍ତି । ଆମ ରାଜ୍ୟରେ ମହିଳା କର୍କଟ ରୋଗୀଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ସର୍ଭାଇକାଲ କ୍ୟାନସରରେ ପୀଡ଼ିତ ।
ପ୍ରତିବର୍ଷ ହାରାହାରି ୧ ହଜାରୁ ଅଧିକ ରୋଗୀ ଏଏଚ୍ପିଜିଆଇସିକୁ ଚିକିତ୍ସା ଲାଗି ଆସୁଛନ୍ତି । ଭାତ ହାଣ୍ଡିରୁ ଗୋଟିଏ ଚିପିଲା ଭଳି ଏଥିରୁ ସାରା ରାଜ୍ୟର ସ୍ଥିତି ସହଜରେ ଅନୁମେୟ । କିନ୍ତୁ ମାରାତ୍ମକ ହୋଇଥିଲେ ମଧ୍ୟ ଟିକା ଥିବା କାରଣରୁ ସର୍ଭାଇକାଲ କ୍ୟାନସର ହେଉଛି ସମ୍ପୂର୍ଣ୍ଣ ପ୍ରତିରୋଧଯୋଗ୍ୟ । ଏହା ଏଚ୍ପିଭି ଭୂତାଣୁ ସଂକ୍ରମଣ ଯୋଗୁ ହୋଇଥାଏ । ସଂକ୍ରମଣ ଦିନଠାରୁ କର୍କଟ ହେବା ପର୍ଯ୍ୟନ୍ତ ୧୦ରୁ ୧୨ ବର୍ଷ ସମୟ ଲାଗିଥାଏ । ଏଣୁ ସଂକ୍ରମଣ ପ୍ରତିହତ କରିବା ପାଇଁ ଝିଅଙ୍କୁ ୧୦-୧୫ ବର୍ଷ ବୟସରୁ ଟିକାକରଣ କଲେ ଆଜୀବନ ଏହି ଭୟାବହ କର୍କଟ ରୋଗରୁ ସେମାନେ ମୁକ୍ତ ରହିପାରିବେ । ଏଭଳି ମାରାତ୍ମକ ରୋଗରୁ ଝିଅମାନଙ୍କ ସୁରକ୍ଷା ଲାଗି କିନ୍ତୁ ରାଜ୍ୟରେ କିଶୋରୀମାନଙ୍କୁ ମାଗଣାରେ ବା ସୁଲଭ ଦରରେ ଏଚ୍ପିଭି ଟିକା ଯୋଗାଇବା ଲାଗି ବ୍ୟବସ୍ଥା ନାହିଁ । ଅନ୍ୟ ରାଜ୍ୟରେ ଏନେଇ ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ ସିକ୍କିମ୍ ରାଜ୍ୟରେ ସବୁ ଝିଅଙ୍କୁ ସରକାର ମାଗଣାରେ ଏଚ୍ପିଭି ଟିକା ଦେଉଛନ୍ତି ।
ସାଧାରଣତଃ ଲକ୍ଷଣ ନ ଥିବାରୁ ପ୍ରାରମ୍ଭିକ ସ୍ତରରେ ଏହି ରୋଗକୁ ଚିହ୍ନଟ କରିବା କଷ୍ଟକର । ଭୂତାଣୁ ସଂକ୍ରମଣ କ୍ୟାନସରର ରୂପ ନେଲା ପରେ ୩ୟ କିମ୍ବ ୪ର୍ଥ ସ୍ତର କ୍ୟାନସର ସ୍ଥିତିରେ ଏହା ଜଣାପଡ଼ିଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାର ପ୍ରତିରୋଧ ଲାଗି ଅତିକମ୍ରେ ୭୦ ପ୍ରତିଶତ ମହିଳାଙ୍କ ସ୍କ୍ରିନିଂ ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିଛି । ବିଡ଼ମ୍ବନା ଆମ ଦେଶରେ କେବଳ ୧.୨ ପ୍ରତିଶତ ମହିଳାଙ୍କ ସ୍କ୍ରିନିଂ ହେଉଛି । ଏପଟେ ରାଜ୍ୟରେ ମଧ୍ୟ ସ୍କ୍ରିନିଂ ଓ ଟେଷ୍ଟିଂ ବ୍ୟବସ୍ଥା ନାହିଁ କହିଲେ ଚଳେ । କେବଳ କଟକ ଏସ୍ସିବି ବାୟୋକେମିଷ୍ଟ୍ରି ବିଭାଗରେ ମାଗଣାରେ ଏଚ୍ପିଭି ସ୍କ୍ରିନିଂ କରାଯାଉଛି । ଘରୋଇ ହସ୍ପିଟାଲରେ ଏହି ସୁବିଧା ଉପଲବ୍ଧ ରହିଛି, କିନ୍ତୁ ବ୍ୟୟସାପେକ୍ଷ । ପ୍ରାୟ ୧୫ ଶହରୁ ୨୫ ଶହ ଟଙ୍କା ଲାଗୁଛି । ଏତଦ୍ବ୍ୟତୀତ, ରାଜ୍ୟରେ ଭିଆଇଏ ସ୍କ୍ରିନିଂ ଲାଗି ଡାକ୍ତରମାନଙ୍କୁ ଟ୍ରେନିଂ ଦିଆଯାଉଛି । ଯାହା ଏକ ପୁରୁଣାକାଳିଆ ପଦ୍ଧତି ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏହାକୁ ବ୍ୟବହାର କରିବା ଲାଗି ପରାମର୍ଶ ଦେଉନାହିଁ ।
ଏହି ପଦ୍ଧତିରେ ମହିଳାମାନେ ସହଜ ମଧ୍ୟ ଅନୁଭବ କରନ୍ତି ନାହିଁ । ଓଡ଼ିଶାରେ ପ୍ରାୟ ୪୦ରୁ ୫୦ ବର୍ଷ ଅଥବା ତଦୁଦ୍ଧ୍ୱର୍ ମହିଳା ଏହି ରୋଗର ଶିକାର ହୋଇଥାନ୍ତି । ବହୁ ସନ୍ତାନର ଜନନୀ, ବାଲ୍ୟ ବିବାହ ବା କମ୍ ବୟସରୁ ବିବାହ କରିଥିବା ମହିଳା, ଏକାଧିକ ପୁରୁଷଙ୍କ ସହ ଯୌନ ସମ୍ପର୍କ ରଖୁଥିବା ମହିଳା ସାଧାରଣତଃ ଏହି ରୋଗରେ ଅଧିକ ଆକ୍ରାନ୍ତ ହୁଅନ୍ତି । ଋତୁସ୍ରାବ ଅଧିକ ପରିମାଣରେ ହେବା, ମାସିକ ଋତୁସ୍ରାବ ପୂର୍ବରୁ ବାରମ୍ବାର ଋତୁସ୍ରାବ ହେବା, ଋତୁସ୍ରାବରେ ମୁଣ୍ଡା ମୁଣ୍ଡା ରକ୍ତ ପଡ଼ିବା, ଦୁର୍ଗନ୍ଧ ହେବା, ସହବାସ ପରେ ରକ୍ତଛିଟା ଲାଗିବା ଓ ଋତୁସ୍ରାବ ଚକ୍ର ସରିବା ପରେ ପୁଣି ହେବା ଆଦି ହେଉଛି ଏହାର ଲକ୍ଷଣ ।
ସର୍ଭାଇକାଲ କ୍ୟାନସରକୁ ପ୍ରତିହତ କରିବା ଲାଗି ଆମକୁ ଆହୁରି ସଚେତନ ହେବା ଆବଶ୍ୟକ । ସରକାରଙ୍କ ପକ୍ଷରୁ ଏଚ୍ପିଭି ସ୍କ୍ରିନିଂ ସୁବିଧା ସବୁ ମହିଳାଙ୍କୁ ମିଳିବା ଦରକାର । ପିଲାଙ୍କୁ ଯୌନଶିକ୍ଷା ଦିଆଯିବା ଆବଶ୍ୟକ । ଏବେ ମହିଳା ନିଜେ ନିଜର ଏଚ୍ପିଭି ଟେଷ୍ଟ କରିବା ଲାଗି କିଟ୍ ବି ମିଳୁଛି । ଏହା ଭିଆଇଏ ତୁଳନାରେ ଯଥେଷ୍ଟ ସହଜ ଏବଂ ଫଳପ୍ରଦ ପଦ୍ଧତି । ଆଶା କର୍ମୀଙ୍କ ଦ୍ୱାରା ଏହାକୁ ତୃଣମୂଳସ୍ତରରେ ଘରେ ଘରେ ପହଞ୍ଚାଇବା ସମ୍ଭବ । ଯାହା ଫଳରେ ଏହି ମାରାତ୍ମକ ରୋଗ ସହ ଲଢିବା ସହଜ ହୋଇପାରିବ ।
ଡା. ଭାଗ୍ୟଲକ୍ଷ୍ମୀ ନାୟକ
ଏଚ୍ଓଡି, ସ୍ତ୍ରୀରୋଗ-ଅଙ୍କଲୋଜି, ଏଏଚ୍ପିଜିଆଇସି
ଦିନେ ରୋଷେଇ କରୁ କରୁ ହଠାତ୍ ଏକ ମାଂସ ପିଣ୍ଡୁଳା ଭଳି ରକ୍ତ ମୋର ଯୌନାଙ୍ଗରୁ ଖସିପଡ଼ିଲା । ତା’ପରେ ତଳ ପେଟରେ ଭୀଷଣ ଯନ୍ତ୍ରଣା ଅନୁଭବ କଲି । ଅନେକ ସ୍ଥାନରେ ଦେଖାଇଲା ପରେ ସର୍ଭାଇକାଲ କ୍ୟାନସର ବୋଲି ଜଣାପଡ଼ିଲା । ମୋର ସମ୍ପୂର୍ଣ୍ଣ ଗର୍ଭାଶୟକୁ ଅପରେସନ ଦ୍ୱାରା କଢାଗଲା । ମୁଁ ବଞ୍ଚିଗଲି । କିନ୍ତୁ ଅପରେସନର ୧୦ ବର୍ଷ ପରେ ଆଜି ବି ମୁଁ ଚିକିତ୍ସାଧୀନ । ମୋର ବି ଝିଅଟିଏ ଅଛି । ସରକାର ସମସ୍ତଙ୍କୁ ସର୍ଭାଇକାଲ କ୍ୟାନସର୍ର ମାଗଣା ଟିକା ଯୋଗାଇଦେବାକୁ ଅନୁରୋଧ କରୁଛି ।
ଅନ୍ନପୂର୍ଣ୍ଣା ସ୍ୱାଇଁ ସର୍ଭାଇକାଲ କ୍ୟାନସର ପୀଡିତା,
ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ