ନୂଆଦିଲ୍ଲୀ ୦୮/୦୭: ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଆର୍‌ଜେ ମହବଶ ଗତ କିଛି ଦିନ ହେଲା ଚର୍ଚ୍ଚାରେ ରହିଛନ୍ତି । କ୍ରିକେଟର ଚହଲଙ୍କ ସହ ତାଙ୍କର ଡେଟିଂ ଖବର ଶିରୋନାମା ହୋଇଛି । ଉଭୟଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳୁଛି । ଗୋଟିଏ ପଟେ ମହବଶ ଉଭୟଙ୍କ ସମ୍ପର୍କକୁ ପ୍ରତ୍ୟାଖ୍ୟାନ କରିଆସୁଛନ୍ତି । ଅନ୍ୟପକ୍ଷେ, ଚହଲ ‘ଦ ଗ୍ରେଟ୍‌ ଇଣ୍ଡିଆନ୍‌ କପିଲ ଶୋ’ରେ ସ୍ପଷ୍ଟ କରିଛନ୍ତି ଯେ ସାରା ଦେଶ ତାଙ୍କ ସମ୍ପର୍କ ବିଷୟରେ ଜାଣିସାରିଛି । 

ଚହଲ ନିକଟରେ ଋଷଭ ପନ୍ତ ଓ ଅଭିଷେକ ଶର୍ମାଙ୍କ ସହ ଦ ଗ୍ରେଟ୍‌ ଇଣ୍ଡିଆନ କପିଲ ଶୋ’ରେ ଯୋଗ ଦେଇଥିଲେ । ଏ ଅବସରରେ କୃଷ୍ଣା ଅଭିଷେକ ମହିଳା ବେଶରେ ଚହଲଙ୍କୁ ଖୁବ୍‌ ଚିଡ଼ାଇଲେ । କିଛି ସମୟରେ ପରେ କିକୁ ଶାରଦା ଚହଲଙ୍କ ବ୍ୟାଗ୍‌ ଚେକ୍‌ କଲେ ଏବଂ ତାଙ୍କ ଧଳା ସାର୍ଟରେ ଲିପ୍‌ଷ୍ଟିକ୍‌ ଚିହ୍ନ ଦେଖି ପଚାରିଲେ, ଏ କ’ଣ ଚାଲିଛି, ଚହଲ ଜୀ । ଏ କିଏ । ପୂରା ଭାରତ ଜାଣିଛି.. କିଏ ସିଏ? ଏହାର ଜବାବରେ ଚହଲ ହସି ହସି କହିଲେ, ଭାରତ ଜାଣିସାରିଛି । ଏହା ଶୁଣି ସମସ୍ତେ ଖୁବ୍‌ ହସିବାକୁ ଲାଗିଲେ । 

ତେବେ ଚହଲ ଓ ଧନଶ୍ରୀ ବର୍ମାଙ୍କ ଛାଡ଼ପତ୍ର ପରେ ଚହଲ-ମହବଶଙ୍କୁ ନେଇ ଚର୍ଚ୍ଚା ଜୋର ଧରିଲା । କିଛି ଦିନ ତଳେ ଉଭୟଙ୍କ ଡିନର୍‌ ଡେଟ୍‌ର ଭିଡିଓ ସାମ୍ନାକୁ ଆସିଲା । ପଞ୍ଜାବ ଆଇପିଏଲ୍‌-୨୦୨୫ ଫିନାଲେରେ ପଞ୍ଜାବ କିଙ୍ଗ୍‌ସ ଆର୍‌ସିବିଠୁ ହାରିବା ପରେ ଚହଲଙ୍କ ପାଇଁ ମହବଶ ଏକ ଆବେଗଭରା ବାର୍ତ୍ତା ଶେୟାର କରିଥିଲେ । ଲେଖିଥିଲେ ‘ସେ (ଚହଲ) ପୂରା ସିଜନ୍‌ରେ ଲଢ଼ିଲେ ଏବଂ ଶେଷ ପର୍ଯ୍ୟନ୍ତ ଖେଳିଲେ । କିଛି ମ୍ୟାଚ୍‌ ପରେ ତାଙ୍କର ହାଡ଼ ଭାଙ୍ଗିଲା, ବୋଲିଂ ଆଙ୍ଗୁଳି ମଧ୍ୟ ଫ୍ରାକ୍‌ଚର ହେଲା । ୩ ଫ୍ରାକ୍‌ଚର ସତ୍ତେ୍ୱ ସେ ମ୍ୟାଚ୍‌ ଖେଳିଲେ । ଆମେ ତାଙ୍କୁ ଯନ୍ତ୍ରଣାରେ ଚିତ୍କାର କରୁଥିବା, କାନ୍ଦୁଥିବା ଦେଖିଛୁ । କିନ୍ତୁ ସେ କେବେ ବି ହାର୍‌ ମାନିଲେ ନାହିଁ । ବାସ୍ତବରେ ତାଙ୍କ ସାହସ ପ୍ରଶଂସାଯୋଗ୍ୟ ।’