ଦୁବାଇ,୦୪/୦୧: ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫିର ସବୁଠୁ  ଚର୍ଚ୍ଚିତ ମୁକାବିଲାର ଟିକେଟ୍‌ ମାତ୍ର କିଛି କ୍ଷଣ ମଧ୍ୟରେ  ଶେଷ ହୋଇ ଯାଇଛି । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ  ଭାରତ ଓ ପାକିସ୍ତାନ ମଧ୍ୟରେ ୨୩ ତାରିଖ ଦିନ ଲିଗ୍‌ ମୁକାବିଲା ଖେଳାଯିବ । ମଙ୍ଗଳବାର ଏହି ମ୍ୟାଚ୍‌ ପାଇଁ ଅନ୍‌ଲାଇନ୍‌  ଟିକେଟ୍‌ ବିକ୍ରି ହୋଇଥିଲା । ମାତ୍ର କିଛି ମିନିଟ୍‌ ମଧ୍ୟରେ  ସବୁ ଟିକେଟ୍‌ ଉଭାନ ହୋଇଯାଇଥିଲା । ଉଭୟ ଦେଶ ସମେତ ଅନ୍ୟାନ୍ୟ କ୍ରିକେଟ୍‌  ପ୍ରେମୀ ଦେଶମାନଙ୍କର ସମର୍ଥକମାନେ ମଧ୍ୟ ଏହି ମ୍ୟାଚ୍‌  ଟିକେଟ୍‌ ପାଇଁ ଆଶା ବାନ୍ଧି ବସିଥିଲେ । 

ସୂଚନାଯୋଗ୍ୟ,  ୮ଟି ଦଳକୁ ନେଇ ଖେଳାଯାଉଥିବା ଏହି ଟୁର୍ଣ୍ଣାମେଣ୍ଟ ୧୯  ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ମାସ ୯ ତାରିଖରେ ଶେଷ ହେବ । ଭାରତ ସମସ୍ତ ମ୍ୟାଚ୍‌ ଦୁବାଇରେ ଖେଳିବ ।  ଟୁର୍ଣ୍ଣାମେଣ୍ଟରେ ଲିଗ୍‌ ଓ ନକ୍‌ ଆଉଟ୍‌କୁ ମିଶାଇ ମୋଟ୍‌  ୧୫ଟି ମ୍ୟାଚ ଖେଳାଯିବ । ୨୦୧୭ ସଂସ୍କରଣରେ ଚାମ୍ପିଅନ୍‌  ହୋଇଥିବା ପାକିସ୍ତାନ ଏଥର ଚାମ୍ପିଅନ୍ସ ଟ୍ରଫି ଆୟୋଜନ  କରୁଛି । ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବାକୁ  ରାଜି ନହେବାରୁ ଆୟୋଜକ ହାଇବ୍ରିଡ୍‌ ମଡେଲରେ  ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ବାଧ୍ୟ ହୋଇଛନ୍ତି ।