ୱେଲିଂଟନ୍‌,୧୫/୦୨: ଆଇସିସି ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ନ୍ୟୁଜିଲାଣ୍ଡ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଆହତ ଥିବା ପେସ୍‌ ବୋଲର ବେନ୍‌ ସିୟର୍ସ ବାଦ୍‌ ପଡ଼ିଥିବାବେଳେ  ତାଙ୍କ ସ୍ଥାନରେ ଜାକବ ଡଫିଙ୍କୁ ସାମିଲ କରାଯାଇଛି । 

ପାକିସ୍ତାନ  ବିପକ୍ଷ ତ୍ରି-ରାଷ୍ଟ୍ରୀୟ ଦିନିକିଆ ସିରିଜର ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ସିୟର୍ସ ଅଭ୍ୟାସ ବେଳେ ବାମ ଗୋଡ଼ ପଛପଟ ମାଂଶପେଶୀରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତାଙ୍କ  ଆଘାତ ସ୍ଥାନରେ ସ୍କାନ କରାଯାଇଥିଲା । ରିପୋର୍ଟ ଆସିବା ପରେ ଟିମ୍‌ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ଚାମ୍ପିଅନ୍ସ ଟ୍ରଫିରୁ ବାଦ୍‌  ଦିଆଯାଇଥିଲା ଏବଂ ଡଫିଙ୍କୁ ବଦଳ ଖେଳାଳି ଭାବେ ସାମିଲ  କରାଯାଇଛି । ସିୟର୍ସଙ୍କୁ ଅତି କମ୍‌ରେ ଫିଟ୍‌ ହେବା ପାଇଁ  ୨ସପ୍ତାହ ଲାଗିବ । ଡଫି ଏବେ ନ୍ୟୁଜିଲାଣ୍ଡ ଦଳ ସହ ପାକିସ୍ତାନ  ଗସ୍ତରେ ଅଛନ୍ତି । ସେ ଇତିମଧ୍ୟରେ ୧୦ଟି ଦିନିକିଆ ଖେଳି  ୧୮ଟି ୱିକେଟ୍‌ ନେଇ ସାରିଛନ୍ତି । 

ଗତ ଶ୍ରୀଲଙ୍କା ବିପକ୍ଷ ଘରୋଇ ଦିନିକିଆ ସିରିଜରେ ୨ଟି ମ୍ୟାଚ୍‌ ଖେଳି ୪ଟି ୱିକେଟ୍‌ ଅକ୍ତିଆର  କରିଥିଲେ । ଆସନ୍ତା ୧୯ ତାରିଖରୁ ପାକିସ୍ତାନରେ ଚାମ୍ପିଅନ୍ସ  ଟ୍ରଫି ଆରମ୍ଭ ହେବ । ନ୍ୟୁଜିଲାଣ୍ଡ ଗ୍ରୁପ୍‌-ଏ’ରେ ସ୍ଥାନ ପାଇଛି ।  ଦଳ ଉଦ୍‌ଘାଟନୀ ମ୍ୟାଚ୍‌ରେ ଆୟୋଜକ ପାକିସ୍ତାନକୁ ଭେଟିବ ।