ଚନ୍ଦନେଶ୍ୱର,୨୯/୩: ପୂର୍ବ ଭାରତର ପ୍ରସିଦ୍ଧ ଭୋଗରାଇର ଚନ୍ଦନେଶ୍ୱର ଶୈବପୀଠର ଆୟ ଉତ୍ସ ନିଲାମ ଶୁକ୍ରବାର ପ୍ରଥମ ଦିନରେ ବାତିଲ ହୋଇଛି । ମନ୍ଦିରର ସେବାୟତ ଓ ସ୍ଥାନୀୟ ବିଜେପି କର୍ମୀଙ୍କ ମୁହାଁମୁହିଁ ପାଇଁ ଟ୍ରଷ୍ଟ ବୋର୍ଡର ନିର୍ବାହୀ ଅଧିକାରୀ ତଥା ଭୋଗରାଇ ତହସିଲଦାର ସୂର୍ଯ୍ୟ କୁମାର ନାୟକ ବାତିଲ କରିବାକୁ ବାଧ୍ୟ ହୋଇଥିଲେ । ତେବେ ମହାଦେବଙ୍କ ଏହି ଆୟ ଉତ୍ସର ନିଲାମ କାର୍ଯ୍ୟ ଶୃଙ୍ଖଳିତ ନ ହେଲେ ସେବାୟତମାନେ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । କେବଳ ସେତିକି ନୁହେଁ, ସୋମବାର ଠାରୁ ଆରମ୍ଭ ହେବାକୁ ଥିବା ପ୍ରସିଦ୍ଧ ଚଡ଼କ ପର୍ବରେ ମଧ୍ୟ କୌଣସି ସହଯୋଗ କରିବେ ନାହିଁ ବୋଲି ସୂଚନା ଦେଇଛନ୍ତି । ତେଣୁ ଚଳିତ ବର୍ଷ ଚଡ଼କ ପର୍ବରେ ସମସ୍ୟା ଉପୁଜିବାର ସମ୍ଭାବନା ଦେଖା ଦେଲାଣି । ବିବରଣୀରୁ ପ୍ରକାଶ, ୧୪ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବାବା ଚନ୍ଦନେଶ୍ୱରଙ୍କ ଚଡ଼କ ପର୍ବର ବିଭିନ୍ନ କୌଳିକ ନୀତିକାନ୍ତି ପାଟଭକ୍ତ, ଶ୍ରୀବେକଡ଼ି ଓ ସେବାୟତଙ୍କ ସହଯୋଗରେ ସମ୍ପନ୍ନ ହୋଇଥାଏ । ମାତ୍ର ବିଭିନ୍ନ କାରଣ ପାଇଁ ଚଳିତ ବର୍ଷ ସେବାୟତମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ପର୍ବର ପ୍ରସ୍ତୁତି ବୈଠକ ଠାରୁ ଆରମ୍ଭ କରି ଆୟ ଉତ୍ସର ନିଲାମ ସବୁଥିରେ ସେମାନଙ୍କୁ ଅସମ୍ମାନ କରାଯାଉଥିବା ଅଭିଯୋଗ ଆସୁଛି । ପ୍ରସ୍ତୁତି ବୈଠକରେ ସେବାୟତମାନେ ଯୋଗଦାନ ନକରିବାରୁ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଘଟଣା ଶାନ୍ତ ପଡ଼ିଥିଲା । ପୁଣି ଶୁବ୍ରବାର ପରିସ୍ଥିତି କେଉଁ ଦିଗକୁ ଯାଉଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ । ମନ୍ଦିରର ବିଭିନ୍ନ ଆୟ ଉତ୍ସକୁ ବିଗତ କିଛି ବର୍ଷ ହେଲା ସେବାୟତମାନଙ୍କ ମଧ୍ୟରେ ସୀମିତ ରଖାଯାଉଥିଲା । ମାତ୍ର ଚଳିତ ବର୍ଷ କେତେକ ଉତ୍ସକୁ ପ୍ରକାଶ୍ୟରେ ନିଲାମ ପାଇଁ ନିଷ୍ପତ୍ତି ହୋଇଛି । 

ଏହି କ୍ରମରେ ଜୋତା ଷ୍ଟାଣ୍ଡ, ଗାଡ଼ି ପାକି ର୍ଂ, ଦୈନିକ ବଜାର ଓ ହାକାଣ୍ଡ ପୋଖରୀ ମନ୍ଦିର ପରିସରରେ ନିଲାମ ପାଇଁ ତହସିଲଦାର ଘୋଷଣା କରିଥିଲେ । ନିଲାମ ନିମନ୍ତେ ସମସ୍ତ ନୀତି ନିୟମ ପ୍ରକାଶ କରିବା ପରେ ବିଜେପି କର୍ମୀ ଦିଲ୍ଲୀପ କୁମାର କାମିଳା ନୂତନ ସରକାରଙ୍କ ଏହା ଐତିହାସିକ ପଦକ୍ଷେପ ଆଦି କହି ବକ୍ତବ୍ୟ ଆରମ୍ଭ କରିଥିଲେ । ଯାହାକୁ ମୁଖ୍ୟ ସେବାୟତ ତପନ କୁମାର ପଣ୍ଡା, ବୁଦ୍ଧଦେବ ପଣ୍ଡା, ଇନ୍ଦୁଭୂଷଣ ପଣ୍ଡା, ଅଭିଜିତ ପଣ୍ଡା ପ୍ରମୁଖ ସମସ୍ତ ସେବାୟତ ପ୍ରବଳ ବିରୋଧ କରିବା ସହିତ କଥା କଟାକଟି ଆରମ୍ଭ ହୋଇଥିଲା । ତେବେ ତାଳସାରୀ ସାମୁଦ୍ରିକ ଥାନା ଅଧିକାରିଣୀ ଚମ୍ପାବତୀ ସୋରେନ ସଦଳବଳ ପହଞ୍ଚି ଘଟଣାକୁ ନିୟନ୍ତ୍ରଣକୁ ଆଣିଥିଲେ । ବିଜେପି କର୍ମୀଙ୍କ ଏଭଳି ଗୁଣ୍ଡାଗର୍ଦି ଚଳିବ ନାହିଁ । ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ନ ହେଲେ ମନ୍ଦିରର ସମସ୍ତ ସେବାୟତ ଅନଶନରେ ବସିବାର କଡ଼ା ଚେତାବନୀ ଦେଇଛନ୍ତି । ଅପରପକ୍ଷରେ ଚଡ଼କ ମେଳା ପାଇଁ ଟେଣ୍ଟ, ଆଲୋକ ସଜ୍ଜା, ସିସିଟିଭି କ୍ୟାମେରା ଆଦି ଗୁରୁବାର ନିଲାମ ପ୍ରଦାନ ଶେଷ ହୋଇଛି । ସିସିଟିଭି କ୍ୟାମେରା ପାଇଁ ଗତ ବର୍ଷ ଯେଉଁ ବ୍ୟକ୍ତି ୯୫ହଜାର ଟଙ୍କା ନେଇଥିଲେ ଚଳିତ ବର୍ଷ ମାତ୍ର ୪୦ହଜାର ଟଙ୍କାରେ ଯୋଗାଇ ଦେବେ ବୋଲି ନିଲାମ ଧରିଥିବା ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ମିଳିଛି । 

ସୂଚନା ଥାଉ କି, ହୁଗୁଳି ମୌଜାରେ ଥିବା ଜୋତା ଷ୍ଟାଣ୍ଡ ପାଇଁ ୯୮ ହଜାର, ଗାଡ଼ି ପାର୍କିଂ ୫ଲକ୍ଷ ୩୦ହଜାର, ଦୈନିକ ବଜାର ୪ଲକ୍ଷ ୮୦ହଜାର ୫୦୦ ଏବଂ ହାକାଣ୍ଡ ପୋଖରୀ ପାଇଁ ୨୩ହଜାର ୪୩୦ଟଙ୍କା ସରକାରୀ ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ କରାଯାଇଛି । ନିଲାମ ପାଇଁ ଶନିବାର ଓ ରବିବାର ଆଉ ୨ ଦିନ ଧାର୍ଯ୍ୟ ରହିଛି