ଚନ୍ଦନେଶ୍ୱର,୩୧/୦୩: ଭୋଗରାଇର ଚନ୍ଦନେଶ୍ୱର ମହାଦେବଙ୍କ ବିଭିନ୍ନ ଆୟ ଉତ୍ସ  ନିଲାମ ରବିବାର ଶୃଙ୍ଖଳିତ ଭାବେ ଶେଷ ହୋଇଛି । ଦୈନିକ ବଜାରକୁ ୨୨ଲକ୍ଷ ୫୦ହଜାର  ଟଙ୍କାରେ ନିଲାମ ହୋଇଥିବା ବେଳେ ଗାଡ଼ି ପାର୍କିଂ ୨୦ଲକ୍ଷ ହୋଇଛି । ଅପରପକ୍ଷରେ ସୋମବାର ଠାରୁ ପ୍ରସିଦ୍ଧ ଚଡ଼କ  ପର୍ବ ଶୁଭାରମ୍ଭ ହେଉଥିବାରୁ ରାସ୍ତା ଉପରକୁ ହେଉଥିବା ଜବର ଦଖଲ ଉଚ୍ଛେଦ ମଧ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇଛି । 

ବିବରଣୀରୁ ପ୍ରକାଶ, ବାବା ଚନ୍ଦନେଶ୍ୱର ଜିଉଙ୍କ ବିଭିନ୍ନ ଆୟ ଉତ୍ସ ମଧ୍ୟରୁ ଚଳିତ ବର୍ଷ ଦୈନିକ ବଜାର, ଗାଡ଼ି ପାର୍କିଂ, ଜୋତାଷ୍ଟାଣ୍ଡ  ଓ ନୂତନ ହାକାଣ୍ଡ ପୋଖରୀ(କିଆଁଗଡ଼ିଆ) ପ୍ରକାଶ୍ୟରେ ନିଲାମ  ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା । ତେବେ  ପ୍ରଥମ ଦିନରେ ସେବାୟତ ଓ ବିଜେପି କର୍ମୀଙ୍କ ମୁହାଁମୁହିଁ  ପରିସ୍ଥିତି ପରେ ରବିବାର ପ୍ରଶାସନ ବେଶ ଗୁରୁତ୍ୱର ସହିତ ଏହି  କାର୍ଯ୍ୟ ସମ୍ପନ୍ନ କରିଛନ୍ତି । ପ୍ରଥମେ ହାକାଣ୍ଡ ପୋଖରୀକୁ ସରକାରୀ  ସର୍ବନିମ୍ନ ମୂଲ୍ୟ ଠାରୁ ବଢି ୩୮ହଜାର ଟଙ୍କାରେ ଚନ୍ଦନ ଜେନା  ନେଇଥିଲେ । ଏହାପରେ ୯୮ହଜାର ଟଙ୍କାରେ  ଜୋତାଷ୍ଟାଣ୍ଡକୁ କେହି ନେବାକୁ ଆଗଭର  ହୋଇ ନଥିଲେ । ୫ଲକ୍ଷ ୩୦ହଜାର ଟଙ୍କାରେ  ନିର୍ଦ୍ଧାରିତ ଗାଡ଼ି ପାର୍କିଂକୁ ୭ଜଣ ନିଲାମ ନେବାକୁ  ଯାଇ ଗୋଛିଦା ତେଘରି ସରପଞ୍ଚ ରାଜେଶ୍ୱରୀ  କାମିଲା ସର୍ବାଧିକ ୨୦ଲକ୍ଷ ଟଙ୍କାରେ ନେଇଥିଲେ  ା ଶେଷରେ ୪ଲକ୍ଷ ୮୦ହଜାର ୫ଶହ ଟଙ୍କାର  ଦୈନିକ ବଜାରକୁ ୬ଜଣଙ୍କ ମଧ୍ୟରେ ଟକ୍କର  କରି ଗିରିଜା ଶଙ୍କର ଦାସ ସର୍ବାଧିକ ୨୨ଲକ୍ଷ  ୫୦ହଜାର ଟଙ୍କାରେ ନିଲାମ ନେଇଥିବା ଜଣାପଡିଛି । ତେବେ ଗାଡ଼ି ପାର୍କିଂ କିମ୍ବା ଦୈନିକ ବଜାରରୁ ଟ୍ରଷ୍ଟ  ବୋର୍ଡ ପକ୍ଷରୁ ଧାର୍ଯ୍ୟ ମୂଲ୍ୟ ଠାରୁ କେହି ଅଧିକ ଟଙ୍କା ଆଦାୟ କରି ପାରିବେ ନାହିଁ ବୋଲି ନିର୍ବାହୀ ଅଧିକାରୀ ତଥା ତହସିଲଦାର  ସୂର୍ଯ୍ୟ କୁମାର ନାୟକ ପ୍ରକାଶ କରିଛନ୍ତି । ଏଥିରେ ତାଳସାରୀ  ସାମୁଦ୍ରିକ ଥାନା ଅଧିକାରିଣୀ ଚମ୍ପାବତୀ ସୋରେନ, ଟ୍ରଷ୍ଟ ବୋର୍ଡର  ସୁପରଭାଇଜର ବରେନ୍ଦ୍ର ପ୍ରହରାଜ, ମୌରସୀ-ନ୍ୟାସୀ ତପନ  କୁମାର ପଣ୍ଡ, ସେବାୟତ ବୁଦ୍ଧଦେବ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।