ଚାନ୍ଦବାଲି,୧୬/୧: ଓଡ଼ିଆ ସାଧବପୁଅ ସାତ ଦରିଆ ପାରିକୁ ବୋଇତ ନେଇ ବେପାର ବଣିଜ କରି ଚାନ୍ଦବାଲି-ଧାମରାର ଅର୍ଥିକ, ସାଂସ୍କୃତିକ, ଧାର୍ମିକ ବିକାଶ କରିଥିଲେ । ବଙ୍ଗୋପସାଗର, ବୈତରଣୀ ଉପକୂଳ ଶଙ୍ଖ ହୁଳହୁଳିରେ ମାଟି ଆକାଶକୁ ମୃଦୁ କମ୍ପନରେ ଉନ୍ମାଦିତ କରୁଥିଲା । ସାଧବାଣୀଙ୍କ ବୋଇତ ବନ୍ଦାପନାରେ ନୀଳ ଜଳରାଶି ତରଙ୍ଗାୟିତ ହେଉଥିଲା । ବୋଇତ ବନ୍ଦାଣ ଓ ନୌଯାତ୍ରା ଏ ଅଞ୍ଚଳର ଜନ୍ମଗତ ବୃତ୍ତି ଓ ପ୍ରବୃତ୍ତିରେ ପରିଣତ ହୋଇଥିଲା । ଆକାମାବୈ ଚାନ୍ଦବାଲି-ଧାମରାର ଐତିହ୍ୟ ଓ ଇତିହାସ ସୃଷ୍ଟି କରିଥିଲା । ସାଗର, ନଦୀ, ନାଆ ସାଧବପୁଅର ବଞ୍ଚିବାର ମାଧ୍ୟମ ଥିଲା ।

 ଧନେଶ୍ୱର ସୌଦାଗର ଧୀବର ଓ କୈବର୍ତ୍ତମାନଙ୍କୁ ନେଇ ଅଥଳ ସାଗରକୁ ସାମ୍ରାଜ୍ୟରେ ପରିଣତ କରିଥିଲେ । ମରହଟ୍ଟା ଇଂରେଜ ଅମଳରେ ନଉକା ନାୟିକା ରୂପର ଦରିଆ ପାରି ଦେଶରେ ଶୋଭା ବର୍ଦ୍ଧନ କରୁଥିଲା । ସେତେବେଳେ ଧାନ ମୀନରେ ଏ ଅଞ୍ଚଳ ଇତିହାସରେ ସୁଖ୍ୟାତି ଲାଭ କରିଥିଲା । ମାଛଧରା, ଜଳଯାତ୍ରା, ମାଲ ପରିବହନ, ରିଲିଫ, ଉଦ୍ଧାର କାର୍ଯ୍ୟ, ପ୍ରତିରକ୍ଷା ସୁରକ୍ଷା, ବୋପାର ବଣିଜ ଆଦି ବହୁ କାର୍ଯ୍ୟରେ ନଉକା ହିଁ ଏକମାତ୍ର ସାହାର ଥିଲା ।  ପ୍ରାୟ ୨୪୪ ବର୍ଷ ପୂର୍ବରୁ ଅର୍ଥାତ ୧୮୮୧ରେ ଚାନ୍ଦବାଲିରେ ଓଡ଼ିଶାର ଏକମାତ୍ର ନଦୀ ବନ୍ଦର ପ୍ରତିଷ୍ଠା ହେବାପରେ ମଧ୍ୟ କାଠ ତିଆରି ନଉକା ବା ପଟୁଳା ବ୍ୟବହାର ହୋଇ ଚାନ୍ଦବାଲି ଧାମରାଠାରୁ କଲିକତା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସହାୟକ ହୋଇଥିଲା । ଆବଶ୍ୟକତା ଅନୁସାରେ ନଉକା ନିର୍ମାଣ କରାଯାଉଥିଲା । 

ପାରମ୍ପରିକ ପାଲଟଣା, ଆହୁଲାମରା, ପଟୁଳା, କାଠୁଆ ଡଙ୍ଗା ପ୍ରଭୃତି ଜୀବନ ଜୀବୀକାର ସାହା ଓ ରାହା ପାଲଟିଥିଲା । କ୍ରମଶଃ ଭୁଟୁଭୁଟି, ମୋଟର ବୋଟ, ଟ୍ରଲର ଆଦି ନାଆ ଶୈବପୀଠ ଆରଡ଼ି, ଶକ୍ତିପୀଠ ଧାମରାଈ, ପଞ୍ଚୁବରାହୀ, କାଳିକାଈ ଓ ଡାକେଶ୍ୱରୀ ଏବଂ ପାଟଣାମଙ୍ଗଳା ଶକ୍ତିପୀଠକୁ ଜଳ ପଥରେ ଗମନାଗମନର ଏକମାତ୍ର ମାଧ୍ୟମ ରହିଆସିଥିଲା ।  ସ୍ଥଳପଥ ଓ ଆକାଶପଥର ସୁବିଧା ନଥିଲା । ବୋଟ ଶିଳ୍ପର ଅନ୍ତୁଡ଼ିଶାଳ ଚାନ୍ଦବାଲି-ଧାମରା । ରାଜ୍ୟ ସରକାର ବହୁ ସର୍ଭେକରି ଶେଷରେ ଚାନ୍ଦବାଲିର ବୈତରଣୀ କୂଳରେ ଥିବା କସ୍ତୁରୀକଣ ଘାଟ ନିକଟରେ ଇକୋ ଟୁରିଜିମ୍‌ ଓ ୱାଟର ସ୍ପୋର୍ଟ୍ସ କମ୍ପେ୍ଲକ୍ସ ନିର୍ମାଣ କରିବା ପାଇଁ ଜାଗା ଚିହ୍ନଟ କରିଛନ୍ତି । 

ନିକଟରେ ଇକୋ ଟୁରିଜିମ୍‌ ଓ ୱାଟର ସ୍ପୋର୍ଟ୍ସ କମ୍ପେ୍ଲକ୍ସ ନିର୍ମାଣ କରିବା ପାଇଁ ଜାଗା ଚିହ୍ନଟ କରିଛନ୍ତି । ସାନହରିପୁର ମୌଜା ପାଇକରାପୁରରେ ପ୍ରାୟ ୧୦ ଏକର ଜମିରେ ସରକାରୀ ନାବିକ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ମାଣ କରିବା ଯୋଜନା କରି ପାଚେରି ନିର୍ମାଣ ଆରମ୍ଭ କରିଛନ୍ତି । ବାପ ଗୋସିଁବାପ ଅମଳରୁ ନଉକା ଦ୍ୱାରା କୁଳ ବେଉସାକୁ ବିଭିନ୍ନ ବାଧା ବିପଦରେ ପଡ଼ି ଝଡ଼ିବା ସତ୍ୱେ ବି ଏ ଅଞ୍ଚଳର ଧୀବର କୈବର୍ତ୍ତମାନେ ସେମାନେ ସେମାନଙ୍କର କୌଳିକ ପ୍ରବୃତ୍ତି ବଞ୍ଚାଇ ଆଜି ଯାଏ ଚାଲିଛନ୍ତି । 

ଆଜିକାଲି ଚାନ୍ଦବାଲି-ଧାମରା ନଦୀ ସାଗର ଉପକୂଳରେ ଜେଟି ନିର୍ମାଣ କରାଯାଇ ମୋଟର ବୋଟ, ମୋଟର ଲଞ୍ଚ ବ୍ୟବହାର ହେଲାଣି । କୋଠରେ ତିଆରି ନଉକାର ଚାହିଦା କ୍ରମଶଃ କମିଯାଇଛି । ଏଠାରୁ ନଉକା ବୋଟ ତିଆରି କରାଯାଇ ଓଡ଼ିଶା ବାହାରକୁ ମଧ୍ୟ ଯାଉଛି । ନାଉରୀ, ଧୀବର, କୈବର୍ତ୍ତମାନଙ୍କୁ ଯଦି ସରକାରୀ ଋଣର ସୁବିଧା ଯୋଗାଇ ଦିଆଯାଇ ପାରନ୍ତି ତା'ହେଲେ ବୋଟ ଶିଳ୍ପର ବିକାଶ ସମ୍ଭବ ହୁଅନ୍ତା ବୋଲି ସଂସ୍କୃତି ଗବେଷକ ପ୍ରଫୁଲ୍ଲ କୁମାର ଦାସ କରିଛନ୍ତି । ଏ ଦିଗରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦୃଷ୍ଟିଦେବାକୁ ଶ୍ରୀ ଦାସ ମତ ପ୍ରକାଶ କରିଛନ୍ତି ।