ନୂଆଦିଲ୍ଲୀ ୦୯/୧୨: ପିଜିଆଇ ଚଣ୍ଡିଗଡ଼ରେ ନ୍ୟୁକ୍ଲିୟର ମେଡିସିନ୍‌ ବିଭାଗରେ ପିଏଚ୍‌ଡି କରୁଥିବା କୀର୍ତ୍ତି ଧିଙ୍ଗରାଙ୍କ ସଂପର୍କରେ  ଏବେ ସବୁଆଡ଼େ ଚର୍ଚ୍ଚା । ଜାପାନରେ ହେବାକୁ ଥିବା  ୧୬ତମ ହୋପ୍‌ ବୈଠକ ଲାଗି ତାଙ୍କର ଚୟନ  ହୋଇଛି । ସେହି ବୈଠକ ଆସନ୍ତାବର୍ଷ ମାର୍ଚ୍ଚ ୯-୧୩  ତାରିଖ ଯାଏ ୟୋକାହୋମାରେ ଅନୁଷ୍ଠିତ ହେବ ।  ଏହି କାର୍ଯ୍ୟକ୍ରମ ଜାପାନ ସୋସାଇଟି ଅଫ ଦ  ପ୍ରମୋସନ୍‌ ଅଫ୍‌ ସାଇନ୍ସ ଦ୍ୱାରା ଆୟୋଜନ  କରାଯାଇଥାଏ । ବୈଠକରେ ଏସିଆ-ପ୍ରଶାନ୍ତ  ଓ ଆଫ୍ରିକାର କିଛି ହାତଗଣତି ଗବେଷକ ଓ ଛାତ୍ରଛାତ୍ରୀଙ୍କୁ ନିମନ୍ତ୍ରିତ କରାଯାଏ । ସେଠାରେ ଭାରତ  ପକ୍ଷରୁ ପ୍ରତିନିଧିତ୍ୱ କରିବାର ଅବସର ପାଇ କୀର୍ତ୍ତି ଅତ୍ୟନ୍ତ ଉତ୍ସାହିତ ଅଛନ୍ତି । ହୋପ୍‌ ବୈଠକ  ଏଥିରେ ସାମିଲ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ନୋବେଲ ପୁରସ୍କାର ବିଜେତା ଓ ଅନ୍ୟ ବିଶ୍ୱପ୍ରସିଦ୍ଧ  ବୈଜ୍ଞାନିକମାନଙ୍କ ସହିତ ପ୍ରଶ୍ନୋତ୍ତର ଓ ବିଚାର-ବିମର୍ଶର ସୁଯୋଗ ଦେଇଥାଏ । କୀର୍ତ୍ତି ଏହି  ବୈଠକରେ ନିଜର ଗବେଷଣା କାର୍ଯ୍ୟ ସଂପର୍କରେ ଉପସ୍ଥାପନ କରିବେ ।