ନୂଆଦିଲ୍ଲୀ,୦୭/୦୯:ରବିବାର ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ଯାହାକୁ ନେଇ ଅଯୋଧ୍ୟାର ରାମଲାଲା ଏବଂ ଅନ୍ୟାନ୍ୟ ପ୍ରମୁଖ ମନ୍ଦିରର ଦର୍ଶନ ୯ ଘଣ୍ଟା ପାଇଁ ବନ୍ଦ ରହିବ । ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଏହି ସମୟ ମଧ୍ୟରେ ଅଯୋଧ୍ୟା ନ ଆସିବାକୁ ଭକ୍ତମାନଙ୍କୁ ନିବେଦନ କରିଛି । ଜ୍ୟୋତିଷ ବିଶ୍ୱାସ ଅନୁସାରେ, ଚନ୍ଦ୍ରଗ୍ରହଣର ୯ ଘଣ୍ଟା ପୂର୍ବରୁ 'ସୂତକ କାଳ' ଆରମ୍ଭ ହୁଏ, ଯାହାକୁ ଅଶୁଭ ବୋଲି ବିବେଚନା କରାଯାଏ । ଏହି ସୂତକ କାଳ ସେପ୍ଟେମ୍ବର ୭ ଅର୍ଥାତ ଆଜି ଦିନ ୧୨ଟା୩୦ ରୁ ଆରମ୍ଭ ହେବ, ଯାହା ଯୋଗୁଁ ଅଯୋଧ୍ୟାର ସମସ୍ତ ପ୍ରମୁଖ ମନ୍ଦିରର ଦ୍ୱାର ବନ୍ଦ ରହିବ ।
ଚନ୍ଦ୍ରଗ୍ରହଣ ରାତି ୯ଟା ୫୯ରେ ଆରମ୍ଭ ହେବ ଏବଂ ୧ଟା ୨୯ ମିନିଟ ପର୍ଯ୍ୟନ୍ତ ରହିବ। ଏହି କାରଣରୁ ରବିବାର ରାମଲାଲାଙ୍କ ଦର୍ଶନ କରପାରିବେନି ଭକ୍ତ। ସୂତକ ସମୟ ସମାପ୍ତ ହେବା ପରେ,ସୋମବାର ସକାଳେ ମଙ୍ଗଳ ଆରତୀ ସହିତ ମନ୍ଦିରର ଦ୍ୱାର ପୁଣି ଖୋଲାଯିବ। ଏହା ପରେ ହିଁ ଭକ୍ତମାନେ ପ୍ରଭୁଙ୍କ ଦର୍ଶନ କରିପାରିବେ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ସୂତକ ସମୟରେ ପିଲା ଏବଂ ବୃଦ୍ଧଙ୍କ ବ୍ୟତୀତ ଅନ୍ୟ କାହାକୁ ଖାଇବାକୁ ଅନୁମତି ନାହିଁ। ଏହି ସମୟରେ ଭଜନ ଗାଇବା,ମନ୍ତ୍ର ଜପ କରିବା ଏବଂ ଧ୍ୟାନ କରିବା ପାଇଁ ସବୁଠାରୁ ଶୁଭ ବୋଲି ବିବେଚନା କରାଯାଏ। ଏହି ପରିବର୍ତ୍ତନକୁ ମନରେ ରଖି ଟ୍ରଷ୍ଟ ସମସ୍ତ ଭକ୍ତଙ୍କୁ ସେମାନଙ୍କର ଯାତ୍ରା ଯୋଜନା କରିବାକୁ ନିବେଦନ କରିଛି। ଏଥର ଚନ୍ଦ୍ରଗ୍ରହଣ ରାତି ୯ଟା ୫୮ରେ ଆରମ୍ଭ ହୋଇ ସେପ୍ଟେମ୍ବର ରାତି ୧ଟା ୨୯ ରେ ଶେଷ ହେବ।ଚନ୍ଦ୍ର ସମ୍ପୂର୍ଣ୍ଣ ଭାବରେ ପୃଥିବୀର ଛାଇରେ ବୁଡ଼ିଯିବ, ଯାହାକୁ ସାଧାରଣତଃ 'ବ୍ଲଡ୍ ମୁନ୍' କୁହାଯାଏ । ଏହା ଘଟେ କାରଣ ସେହି ସମୟରେ ଚନ୍ଦ୍ର ହାଲୁକା ଲାଲ ଦେଖାଯାଏ । ଏହି ସମ୍ପୂର୍ଣ୍ଣ ଗ୍ରହଣ ପ୍ରାୟ ୩ ଘଣ୍ଟା ୨୮ ମିନିଟ୍ ପର୍ଯ୍ୟନ୍ତ ରହିବ ଏବଂ ଭାରତର ସମସ୍ତ ସ୍ଥାନରେ ସହଜରେ ଦୃଶ୍ୟମାନ ହେବ।