ଭୁବନେଶ୍ୱର ୨୭/୦୬: ମୟୂରଭଞ୍ଜର ମେଡିକାଲ୍ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ୍ଙ୍କ ମୃତ୍ୟୁ ଘଟଣାରେ ବଡ଼ ଆକ୍ସନ୍। ଅପରାଧିକ ମାମଲାରେ ଅଟକ ପୁରଷ ବନ୍ଧୁ ଭୀମସେନ ଟୁଡୁ ଚାକିରିରୁ ବହିଷ୍କୃତ। OTAS ଅଧିକାରୀ ଭୀମସେନ ଟୁଡୁଙ୍କୁ ଚାକିରିରୁ ବହିଷ୍କୃତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭବିଷ୍ୟତରେ ମଧ୍ୟ ଆଉ କୌଣସି ସରକାରୀ ଚାକିରି କରିପାରିବେ ନାହିଁ ଭୀମସେନ ଟୁଡୁ।
ସୂଚନାଯୋଗ୍ୟ ଯେ, ନୂଆ କରି OTAS ପାଇଥିବା ଭୀମସେନ ଟୁଡୁ ତାଙ୍କ ଇଣ୍ଡକ୍ସନ୍ ଟ୍ରେନିଙ୍ଗ୍ ସମୟରେ ୨୦୨୬ ଜୁନ୍ ୪ ତାରିଖଠାରୁ ଅନୁପସ୍ଥିତ ଥିଲେ। ମଧୁସୂଦନ ଦାସ ରିଜିଓନାଲ୍ ଏକାଡେମୀ ଅଫ୍ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟ (MDRAFM)ରେ ତାଙ୍କ ଶେଷ ପରୀକ୍ଷାରେ ମଧ୍ୟ ଯୋଗ ଦେଇନଥିଲେ। ସେହି ସମୟରେ ସେ ଏକ ମୃତ୍ୟୁ ମାମଲାରେ ବାରଙ୍ଗ ପୁଲିସ ଦ୍ୱାରା ଗିରଫ ହୋଇଥିଲେ । ପରେ ତାଙ୍କୁ ବିଚାର ବିଭାଗୀୟ ହେପାଜତକୁ ପଠାଯାଇଛି ।ଅପରାଧିକ ମାମଲାରେ ୪୮ ଘଣ୍ଟାରୁ ଅଧିକ ସମୟଧରି ପୁଲିସ ଦ୍ୱାରା ଅଟକ ଥିବାରୁ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଇ ତାଙ୍କୁ ସିଧାସଳଖ ସରକାରୀ ସେବାରୁ ବରଖାସ୍ତ କରାଯାଇଛି।
ଅଧିକ ପଢ଼ନ୍ତୁ :- Chandrika Case : ଭୀମସେନ ବାନ୍ଧବୀଙ୍କ ସଂପୃକ୍ତି ନେଇ ପଚରାଉଚରା, ମିଳିଥିବା ତଥ୍ୟରୁ ଖିଅ ଯୋଡ଼ୁଛି ପୁଲିସ
ସୂଚନାଯୋଗ୍ୟ ଯେ , ଚଳିତ ମାସ ୪ ତାରିଖରେ କାଠଯୋଡ଼ି ନଦୀରୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ମିଳିଥିଲା। ହେଲେ ପ୍ରେମ ବ୍ୟାପାରକୁ ନେଇ ପୁରୁଷବନ୍ଧୁ ଭୀମସେନ ଜଣେ ଯୁବତୀଙ୍କ ସହ ମିଶି ଚନ୍ଦ୍ରିକାଙ୍କୁ ହତ୍ୟା କରିଥିବା ଚନ୍ଦ୍ରିକାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ । ପରିବାର ଲୋକେ ଅଭିଯୋଗ କରିଥିଲେ, ଚନ୍ଦ୍ରିକାଙ୍କ ସହ ଦୀର୍ଘ ଦିନର ପ୍ରେମ ସମ୍ପର୍କ ଭିତରେ ଦ୍ୱିତୀୟ ଯୁବତୀ ଆସିବା ପରେ ଓଏଏସ୍ ତାଲିମ ନେଉଥିବା ପୁରୁଷବନ୍ଧୁ ଭୀମସେନ ମାନସିକ ନିର୍ଯାତନା ଦେଇ ଚନ୍ଦ୍ରିକାଙ୍କୁ ଚାପରେ ରଖିବା ଆରମ୍ଭ କରିଥିଲେ । ତେବେ ପୁଲିସ ମାମଲାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ପୁରୁଷ ବନ୍ଧୁ ଭୀମସେନ୍ ଟୁଡୁକୁ ଗିରଫ କରିବା ପରେ ବିଚାର ବିଭାଗୀୟ ହେପାଜତକୁ ପଠାଯାଇଛି ।