ନୂଆଦିଲ୍ଲୀ,୨୪।୩: ସରକାରୀ ଠିକାକାମରେ ମୁସଲମାନଙ୍କୁ ସଂରକ୍ଷଣ ଓ ହନିଟ୍ରାପ୍‌କୁ ନେଇ ବିବାଦରେ କର୍ଣ୍ଣାଟକ ସରକାର। ଏହା ମଧ୍ୟରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଏକ ବୟାନକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ। ଏକ ଘରୋଇ ଚାନେଲରେ ଶିବକୁମାର କହିଥିଲେ, ମୁସଲିମ୍ ସଂରକ୍ଷଣ ବିଲ୍‌ ପାଇଁ ଦରକାର ପଡିଲେ ଭବିଷ୍ୟତରେ ଆମେ ସମ୍ବିଧାନ ବଦଳାଇ ଦେବୁ। ତାଙ୍କର ବୟାନକୁ ନେଇ ସଂସଦରେ ଦେଖିବାକୁ ମିଳିଛି ଜୋରଦାର ହଙ୍ଗାମା।

କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ମନ୍ତବ୍ୟକୁ ନେଇ ବିବାଦ। ସଂସଦ‌ରେ ବିଜେପିର ଜୋରଦାର ହଙ୍ଗାମା। କଂଗ୍ରେସକୁ ଟାର୍ଗେଟ କରିଛନ୍ତି ସଂସଦୀୟ କାର୍ଯ୍ୟମନ୍ତ୍ରୀ କିରଣ ରିଜିଜୁ। ସେ ରାଜ୍ୟସଭାରେ କହିଛନ୍ତି, ଶିବକୁମାରଙ୍କୁ ଇସ୍ତଫା ଦେବା ଉଚିତ। ତାଙ୍କ ଭଳି ଜଣେ ନେତା , ଯିଏକି ସାମ୍ବିଧାନିକ ପଦରେ ଅଛନ୍ତି, ସେ କିଭଳି ଏପରି କହିପାରୁଛନ୍ତି। ଆଜି ସେ ଲୋକମାନେ କେଉଁଠି ଅଛନ୍ତି, ଯେଉଁମାନେ କହୁଥିଲେ ସମ୍ବିଧାନକୁ ସୁରକ୍ଷା ଦେଉଛନ୍ତି। ହେଲେ ଏବେ ସେମାନେ ଆମ୍ବେଦରକଙ୍କୁ ଅପମାନ କରୁଛନ୍ତି। ଏହାର ଜବାବରେ ରାଜ୍ୟସଭାରେ ବିରୋଧି ଦଳ ନେତା ମାଲିକାର୍ଜୁନ ଖଡଗେ କହିଛନ୍ତି, କଂଗ୍ରେସ ହେଉଛି ସେହି ଦଳ, ଯିଏକି ସମ୍ବିଧାନ ରକ୍ଷା କରିଛି।  

ଏହି ପ୍ରସଙ୍ଗର ପ୍ରଭାବ ମଧ୍ୟ ଲୋକସଭାରେ ଦେଖିବାକୁ ମିଳିଥିଲା। ସେଠାରେ ଜୋରଦାର ହଙ୍ଗାମା ହୋଇଥିଲା। ରିଜିଜୁ କହିଛନ୍ତି, ଶିବକୁମାରଙ୍କ ବୟାନ ପାଇଁ ସଂସଦର ଉଭୟ ଗୃହ ମୁଲତବୀ ହେଲା। ଏହି ମାମଲା ଖୁବ୍ ଗମ୍ଭୀର। ଶିବକୁମାରଙ୍କ ଏହି ବୟାନକୁ ନେଇ କର୍ଣ୍ଣାଟକରୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି। ବିଜେପି ଏହାକୁ କଂଗ୍ରେସର ତୁଷ୍ଟୀକରଣ ରାଜନୀତି ବୋଲି କହୁଛି। ଏଭଳି କରି କଂଗ୍ରେସ ମୁସଲମାନଙ୍କୁ ଲାଭ ଦେବା ସହ ଦେଶକୁ ଭାଗ କରିବାକୁ ଚେଷ୍ଟା କରୁଛି ବୋଲି ବିଜେପି ଅଭିଯୋଗ କରିଛି। 

ବୁଲେଟ ଟ୍ରେନ୍ କାମ ବେଳେ ବଡ଼ ଦୁର୍ଘଟଣା: ଟ୍ରାକ୍‌ରେ ଖସିଲା ଗ୍ୟାଣ୍ଟ୍ରି, ଏକାଧିକ ଟ୍ରେନ୍ ଚଳାଚଳ ରଦ୍ଦ