ଭୁବନେଶ୍ୱର, ୧୮/୧୨ : ଭାରତରେ କ୍ରୀଡ଼ାର ବିକାଶ ନିମନ୍ତେ କ୍ରୀଡ଼ା ପ୍ରତି ଜନସାଧାରଣଙ୍କ ଦୃଷ୍ଟିଭଙ୍ଗୀ ପରିବର୍ତ୍ତିତ ହେବା ଆବଶ୍ୟକ ବୋଲି ବିଶିଷ୍ଟ କ୍ରୀଡ଼ା ସାମ୍ବାଦିକ ଦିଗବିଜୟ ସିଂହଦେଓ କହିଛନ୍ତି । ଅଲିମ୍ପିକ୍ ସମେତ ଅନେକ ବିଶ୍ୱସ୍ତରୀୟ କ୍ରୀଡ଼ାକୁ ଗଣମାଧ୍ୟମରେ ଉପସ୍ଥାପିତ କରିଥିବା ଶ୍ରୀ ସିଂହଦେଓ କହିଥିଲେ ଯେ, ଅଲିମ୍ପିକ୍‌ରେ ଅଧିକ ସଫଳ ହେଉଥିବା ଦେଶ ଯଥା ଆମେରିକା, ଚୀନ୍‌, ଜାପାନ୍‌, ଫ୍ରାନ୍ସ ଓ ଜର୍ମାନୀରେ କେହି ଅଲିମ୍ପିକରେ ପଦକ ଜିତିବା ନିମନ୍ତେ ଅନୁଶୀଳନ କରନ୍ତି ନାହିଁ । ଏହି ଦେଶ ଗୁଡ଼ିକରେ କ୍ରୀଡ଼ାରେ ଭାଗ ନେବା ସମସ୍ତଙ୍କ ନିମନ୍ତେ ଏକ ସ୍ୱାଭାବିକ ବିଷୟ । ସେମାନେ କ୍ରୀଡ଼ାରେ ନୈପୁଣ୍ୟ ହାସଲ ନିମନ୍ତେ, ଦଳଗତ ମନୋଭାବ ସୃଷ୍ଟି ନିମନ୍ତେ, ଶାରୀରିକ ସୁସ୍ଥତା ନିମନ୍ତେ ଓ ପ୍ରତିପକ୍ଷକୁ କିପରି ସମ୍ମାନ ଦିଆଯାଏ ସେ ବିଷୟ ଶିକ୍ଷା କରିବା ନିମନ୍ତେ କ୍ରୀଡ଼ାରେ ଭାଗ ନେଇଥାନ୍ତି।

ଶ୍ରୀ ସିଂହଦେଓ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ମହୋତ୍ସବ ‘ସୋଆ କପ୍‌’ର ପୁରସ୍କାର ବିତରଣୀ ସଭାରେ ବୁଧବାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମନ୍ତବ୍ୟ ରଖିଥିଲେ । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କ୍ରୀଡ଼ା ସାମ୍ବାଦିକତା କରୁଥିବା ଶ୍ରୀ ସିଂହଦେଓ ପୂର୍ବରୁ ଷ୍ଟାର ନ୍ୟୁଜ୍‌, ସିଏନ୍‌ଏନ୍‌-ଆଇବିଏନ ଓ ଉଇଅନ୍ ଭଳି ସମ୍ବାଦ ଚ୍ୟାନେଲରେ କାର୍ଯ୍ୟ କରିଛନ୍ତି ଏବଂ ବର୍ତ୍ତମାନ ଏସ୍‌ଜି ସ୍ପୋର୍ଟ୍ସ ମେଡିଆ ଓ ଏଂଟରଟେନ୍‌ମେଂଟର ଉପସଭାପତି ଭାବେ କାର୍ଯ୍ୟ କରୁଛନ୍ତି। 

ସେ କହିଥିଲେ ଯେ, କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ବର୍ତ୍ତମାନ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି । କ୍ରୀଡ଼ାର ବିକାଶ ନିମନ୍ତେ ରାଜ୍ୟରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପକୁ ପ୍ରଶଂସା କରି ଶ୍ରୀ ସିଂହଦେଓ କହିଥିଲେ ଯେ, ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ଆଖି ଦୃଶିଆ ଉନ୍ନତି ନିମନ୍ତେ ଜାତୀୟସ୍ତରରେ ଓଡ଼ିଶାର ପରିଚୟ ବର୍ତ୍ତମାନ ବଦଳିଯାଇଛି । ସେ ସୋଆ କପରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ସେମାନଙ୍କୁ କ୍ରୀଡ଼ାରେ ସଂଶ୍ଲିଷ୍ଟ ହୋଇ ରହିବା ଲାଗି ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୋଆ କୂଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗଦେଇ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି କ୍ରୀଡ଼ା ମହୋତ୍ସବରେ ଫୁଟବଲ୍‌, କ୍ରିକେଟ, ଭଲିବଲ, ବାସ୍କେଟବଲ, କବାଡ଼ି, ବ୍ୟାଡମିଂଟନ, ଟେବୁଲ ଟେନିସ, ସଫ୍ଟବଲ, ଟେନିସ୍‌, ଖୋ ଖୋ, ଚେସ୍‌, ଥ୍ରୋବଲ୍ ଓ ଆଥଲେଟିକ୍ସ ତଥା ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନ୍ତର୍ଭୁକ୍ତ ଥିଲା।

ଏହି କାର୍ଯ୍ୟକ୍ରମରେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଚଳିତ ବର୍ଷ ପାଇଁ ସୋଆ କପ୍ ସଂଯୋଜକ ଡକ୍ଟର ସୌର୍ଯ୍ୟ ରଂଜନ ଦାସ ଓ ସ୍ପୋର୍ଟ୍ସ ଅଫିସର ସୁନୀତା ର୍ବମା ଉପସ୍ଥିତ ଥିଲେ । ଆସନ୍ତା ବର୍ଷ ଏହି କାର୍ଯ୍ୟକ୍ରମ ନିମନ୍ତେ ଡକ୍ଟର ତନ୍ମୟ ପରିଡ଼ା ସଂଯୋଜକ ହେବେ ବୋଲି ମଧ୍ୟ ଘୋଷଣା କରାଯାଇଥିଲା।