କେନ୍ଦୁଝର/ନରଣପୁର,୨୬/୦୪ : କେନ୍ଦୁଝର ଗଡଜାତ ରାଜ୍ୟର ରାଷ୍ଟ୍ରଦେବତା ପ୍ରଭୁ ଶ୍ରୀବଳଦେବଜିଉ । ସବୁ ପର୍ବପର୍ବାଣୀ ଭଳି ଶ୍ରୀଜିଉଙ୍କ ମନ୍ଦିରରେ ପ୍ରତି ବର୍ଷ ବୈଶାଖ ପୂର୍ଣ୍ଣିମା ତିଥିରେ ଚନ୍ଦନ ପୂର୍ଣ୍ଣିମାର ଗୁରୁତ୍ୱ ଅଧିକ । ମହାରାଜା ଜନାର୍ଦ୍ଦନ ଭଞ୍ଜଙ୍କ ଶାସନ କାଳ ୧୭୯୨ରୁ ୧୮୩୧ ମସିହା ମଧ୍ୟରେ ପ୍ରାୟ ୧୭୯୯ ମସିହାରେ କେନ୍ଦୁଝର ରାଜ୍ୟର ଚନ୍ଦନ ପୋଖରୀରେ ଚାପଖେଳ ଆରମ୍ଭ କରାଯାଇଥିବା ବିଶିଷ୍ଟ ଐତିହାସିକ ହଳଧର ପଣ୍ଡା କୁହନ୍ତି । ପ୍ରବଳ ଗ୍ରୀଷ୍ମ ପ୍ରକୋପରୁ ସାମାନ୍ୟ ନିସ୍ତାର ପାଇଁ ପ୍ରଭୁ କେନ୍ଦୁଝର ରାଜଉଆସ ନିକଟରେ ଥିବା ଚନ୍ଦନ ପୋଖରୀକୁ ଚାପ ଖେଳିବା ପାଇଁ ଯାଇଥାଆନ୍ତି । ଅଚଳାଚଳ ସମ୍ପତ୍ତିର ମାଲିକ ରାଷ୍ଟ୍ରଦେବତା ବଳଦେବଜିଉ ପାରମ୍ପରିକ ବାଜା ଭେରୀ ତୁରୀ ସହ ଖୋଳତାଳର ମଧୁର ବାଦ୍ୟରେ ଗଗନ ପବନ ପ୍ରକମ୍ପିତ କରି ସମସ୍ତ ଦେବଦେବୀଙ୍କ ସହ ବିମାନରେ ବସି ଚନ୍ଦନ ପୋଖରୀକୁ ବିରାଜମାନ ହୁଅନ୍ତି । ସେତେବେଳେ ଶ୍ରୀ ବଳଦେବଜିଉ ହାତୀ ପିଠିରେ ବିମାନରେ ହଲି ହଲି ଚାପ ଖେଳିବାକୁ ବାହାରନ୍ତି । ସେଦିନ ଆଉ ନାହିଁ କି ଭାବଭକ୍ତି ନାହିଁ । ସୀମିତ ଭକ୍ତ ବିମାନକୁ କାନ୍ଧରେ ଧରି ଶୋଭାଯାତ୍ରାରେ ଚନ୍ଦନ ପୋଖରୀକୁ ନେଇ ପ୍ରଭୁଙ୍କ ଚାପ ଖେଳ ସମ୍ପର୍ଣ୍ଣ କରୁଛନ୍ତି । ଏଥିନିମନ୍ତେ ଦୁଇଟି ଚାପ ଡଙ୍ଗା ଦେବୋତ୍ତର ବିଭାଗ ଓ ମନ୍ଦିର ପ୍ରଶାସନ ପକ୍ଷରୁ ରଖାଯାଇଛି । କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଏହି ଚାପ ଡଙ୍ଗା ଭାଙ୍ଗି ତା ଭିତରେ ପାଣି ଭର୍ତ୍ତି ହୋଇଯାଉଛି ।
ପ୍ରଶାସନିକ ଅବହେଳା କାରଣରୁ ଚନ୍ଦନ ଯାତ୍ରା ପୂର୍ବରୁ ଡଙ୍ଗାର ଆବଶ୍ୟକୀୟ ମରାମତି କରାଯାଇପାରି ନଥିବା କେନ୍ଦୁଝର ପୁରୁଣା ସହରର ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି । ଯଦି ମଧୁସୂଦନଙ୍କ ଚାପ ଖେଳ ବା ଜଳକ୍ରୀଡା ସମୟରେ କିଛି ଅଘଟଣ ଘଟେ ବା ଡଙ୍ଗା ଓଲଟି ଯାଏ ସେଥିପାଇଁ କିଏ ଦାୟୀ ରହିବ ବୋଲି ସ୍ଥାନୀୟ ଭକ୍ତ ପ୍ରଶ୍ନ ଉଠାଇଛନ୍ତି । ଏ ବିଷୟରେ ଦେବୋତ୍ତର ଅଧିକାରୀ ତଥା ଉପଜିଲ୍ଲାପାଳ ଉମାଶଙ୍କର ଦଳାଇ କହିଛନ୍ତି ଯେ, ଚାପ ଖେଳ ସମୟରେ ଅଗ୍ନିଶମ ବିଭାଗର କର୍ମଚାରୀ ଉପସ୍ଥିତ ରହୁଛନ୍ତି । ଡଙ୍ଗା ଭାଙ୍ଗି ତା ମଧ୍ୟରେ ପାଣି ପଶି ଯାଉଥିବା ଅଭିଯୋଗ ସେ ପାଇନାହାନ୍ତି । ସେ ଏହାର ନିରୀକ୍ଷଣ କରି ଆବଶ୍ୟକୀୟ ମରାମତି ଖୁବ୍ଶୀଘ୍ର କରାଇଦେବେ ବୋଲି ଉତ୍ତର ରଖିଛନ୍ତି । ତେବେ ପ୍ରଶ୍ନ ଉଠୁଛି ଅଚଳାଚଳ ସମ୍ପତ୍ତି, ହେକ୍ଟର ହେକ୍ଟର ଚାଷଜମି, ପର୍ଯ୍ୟାପ୍ତ ଅନୁଦାନ ସତ୍ତ୍ଵେ କେନ୍ଦୁଝରର ରାଷ୍ଟ୍ର ଦେବତା ପ୍ରଭୁ ବଳଦେବଜିଉଙ୍କ ବର୍ଷକୁ ଥରେ ହେଉଥିବା ଚାପ ଖେଳ ପାଇଁ ବ୍ୟବହୃତ ଡଙ୍ଗା ମରାମତି ବି କରାଯାଉ ନାହିଁ । ଏଥିପାଇଁ ପ୍ରଶାସନିକ ସ୍ତରରେ ତତ୍ପରତାର ଘୋର ଅଭାବ । ଲକ୍ଷେ ରାଜାର ମଉଡମଣି ବିଶ୍ୱ ନିଅନ୍ତା ହାତଟେକା ଅର୍ଥକୁ ଅପେକ୍ଷା କରି କରି ଭଙ୍ଗା ଦଦରା ନାବରେ ଚାପ ଖେଳିବାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ଏହି ଖବରଟିକୁ ପଢନ୍ତୁ- ସୁନାମ ଆଣିଲେ ବାଲେଶ୍ୱର ଯୁବ ଫଟୋଗ୍ରାଫର, ଫୋର୍ବସ୍ ପତ୍ରିକାରେ ସ୍ଥାନ ପାଇଲେ ଶ୍ରୀତମ