ଭୁବନେଶ୍ୱର, ୩୦/୦୪ : ଗ୍ରୀଷ୍ମ ଛୁଟିରେ ପିଲାଙ୍କ ପାଠପଢ଼ାରେ କୌଣସି ବାଧା ହେବନି । ଛୁଟିରେ ପିଲାମାନେ ଘରେ ପାଠପଢ଼ିବେ । ସ୍କୁଲରେ ଦିଆଯାଇଥିବା ହୋମ୍ୱାର୍କକୁ ସୁଚାରୁ ରୂପେ କରିବେ । ଏଥିପାଇଁ ପ୍ରତି ଶ୍ରେଣୀର ପିଲାଙ୍କୁ ନେଇ ପୃଥକ ହ୍ୱାଟସ୍ଆପ୍ ଗ୍ରୁପ କରାଯାଇଛି । ଏହାକୁ ଅଧିକ ତ୍ୱରାନ୍ୱିତ କରିବ ଚାଟ୍ବଟ୍ । ପିଲାଙ୍କୁ ହ୍ୱାଟସ୍ଆପ୍ ମାଧ୍ୟମରେ ଅଡିଓ/ ଭିଜୁଆଲ୍ କଣ୍ଟେଣ୍ଟ ପ୍ରଦାନ ପ୍ରଦାନ କରିବ । କହିବାକୁ ଗଲେ ଖରା ଛୁଟିରେ ପିଲାଙ୍କୁ ପାଠ ଦେବ ଚାଟ୍ବଟ୍ । ଏହି ହ୍ୱାଟସ୍ଆପ୍ ଗ୍ରୁପରେ ଚାଟ୍ବଟ୍ ନମ୍ବରକୁ ସଂଯୁକ୍ତ କରି ଆଡମିନ୍ କରାଯିବ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଏପରି ପଦକ୍ଷେପ ନିଆଯାଇଛି ।
ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି । ୩୦ ତାରିଖ ସୁଦ୍ଧା ଏକାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରାଜ୍ୟ ସରକାର ରଖି ଗତ ୨୩ ତାରିଖରୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ଏକାଡେମିକ୍ କ୍ୟାଲେଣ୍ଡର ଅନୁଯାୟୀ ମେ ୬ରୁ ସ୍କୁଲ ଛୁଟି ହେବା କଥା । କିନ୍ତୁ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଆଗୁଆ ଛୁଟି ଘୋଷଣା କରିଛନ୍ତି । ଏହି ଗ୍ରୀଷ୍ମ ଛୁଟି ସମୟରେ ଯେପରି ପିଲାଙ୍କର ପାଠପଢ଼ାରେ କୌଣସି କ୍ଷତି ନହୁଏ ସେଥିଲାଗି ପ୍ରସ୍ତୁତି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଗତ ସପ୍ତାହରେ ହୋଇଥିବା ଅଭିଭାବକ-ଶିକ୍ଷକ ବୈଠକରେ ଗ୍ରୀଷ୍ମକାଳୀନ ଛୁଟିରେ ପିଲାଙ୍କ ପାଠପଢ଼ା ନେଇ ଆଲୋଚନା ହୋଇଥିଲା ।
ଛୁଟି ସମୟରେ ପିଲାଙ୍କ ସନ୍ଦେହ ମୋଚନ ସହ ପାଠପଢ଼ାର ବିଷୟକୁ ହ୍ୱାଟସ୍ଆପ୍ ଗ୍ରୁପରେ ପଠାଇବ ଏହି ଚାଟ୍ବଟ୍ । ଅନ୍ଲାଇନ ପାଠପଢ଼ା ଯେପରି ବ୍ୟାଘାତ ନହୁଏ ସେଥିପ୍ରତି ଧ୍ୟାନ ଦେବ । ପ୍ରତିଦିନ ପାଠ ଉପଯୋଗୀ ଭିଡିଓ ସହ ଅଡିଓ ପଠାଇବ । ଯେଉଁଥିରେ ରେକର୍ଡିଂ ହୋଇଥିବା ଶିକ୍ଷକଙ୍କ ଶିକ୍ଷାଦାନ ଥିବ । ଖରା ଛୁଟିରେ ପିଲାମାନେ ଛୁଟିକୁ ଉପଯୋଗ କରିବା ସହ ଯେପରି ପାଠପଢ଼ା ମଧ୍ୟ ଜାରି ରଖିବେ । ଏଥିଲାଗି ଏହି ଚାଟ୍ବଟ୍ ହ୍ୱାଟସ୍ଆପ ଗ୍ରୁପରେ ପିଲାଙ୍କୁ ଦ୍ୱନ୍ଦ୍ୱ ମଧ୍ୟ ଦୂର କରିବ । ଶିକ୍ଷକମାନେ ପ୍ରତିଦିନ କ’ଣ ପଢ଼ାଉଛନ୍ତି ତାର ମଧ୍ୟ ତଦାରଖ କରିବ । ଚିଠି ଅନୁଯାୟୀ, ପ୍ରତି ପ୍ରଧାନଶିକ୍ଷକ ଓସେପା ପକ୍ଷରୁ ଜାରି ହୋଇଥିବା ନିଜ ବ୍ଲକ ପାଇଁ ଉଦ୍ଦିଷ୍ଟ ଚାଟ୍ବଟ୍ ନମ୍ବରକୁ ହ୍ୱାଟସ୍ଆପ୍ ଗ୍ରୁପରେ ସଂଯୁକ୍ତ କରିବେ । ଏହାକୁ ଗ୍ରୁପ୍ ଆଡମିନ୍ ମଧ୍ୟ କରିବେ । ଶ୍ରେଣୀ ଅନୁଯାୟୀ ହ୍ୱାଟସଆପ୍ ଗ୍ରୁପରେ ଏହାକୁ ଲାଗୁ କରାଯିବ । ଗଠନ ହୋଇଥିବା ଗ୍ରୁପର ନାଁକୁ ମଧ୍ୟ ପରିବର୍ତ୍ତନ କରାଯିବ । ଏଥିରେ ଶ୍ରେଣୀ ନାମ ସହ ସ୍କୁଲର ୟୁଡାଇଏସ୍ ନମ୍ବରକୁ ଯୋଡ଼ି ଗ୍ରୁପ୍ ନାମ ଦିଆଯିବ । ଆସନ୍ତକାଲି ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ କରିବାକୁ କୁହାଯାଇଛି ।