ଭୁବନେଶ୍ୱର,୨୨/୦୮: ରାଜଧାନୀରେ  ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ଘର ତୋଳିବାର  ସ୍ୱପ୍ନ ପୂରଣ ହେବ । ସରକାର ସ୍ୱଳ୍ପ ମୂଲ୍ୟରେ ଯୋଗାଇ ଦେବେ ଘର । ଖାଲି ଘର ନୁହେଁ,  କମ ଦରରେ ଭଡ଼ା ଘର ବି ଯୋଗାଇ ଦେବେ । ଏ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଘୋଷଣା କରିଛନ୍ତି ।  

ମନ୍ତ୍ରୀ କହିଛନ୍ତି, ଭୁବନେଶ୍ୱରରେ ସାଧାରଣ  ଲୋକେ ଘର ଖଣ୍ଡିଏ ନିର୍ମାଣ କରିବା ସମ୍ଭବ  ହେଉନି । ଏନେଇ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏବଂ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ନିଗମ  (ଓଏସ୍‌ଏଚ୍‌ବି) ପକ୍ଷରୁ ରାଜଧାନୀରେ ଅଧିକ  ସଂଖ୍ୟର ଘର ନିର୍ମାଣ କରି ଯୋଗାଇ ଦିଆଯିବ ।  ପିପିପି ମୋଡ୍‌ରେ ଘର ତିଆରି କରିବାକୁ ସରକାର  ସ୍ଥିର କରିଛନ୍ତି । ଘର ତିଆରି ପାଇଁ ଟେଣ୍ଡର ଆହ୍ୱାନ  କରାଯିବ । କୋଅପରେଟିଭ ବ୍ୟାଙ୍କ ସହ ମଧ୍ୟ  ସହବନ୍ଧିତ ହେବେ ସରକାର । କୋଅପରେଟିଭ  ବ୍ୟାଙ୍କ ଘର ଗୁଡ଼ିକର ରକ୍ଷଣାବେକ୍ଷଣ କରିବା  ସହ ସୁଲଭ ମୂଲ୍ୟରେ ଋଣ ଯୋଗାଇଦେବ ।  ପ୍ରାଥମିକ ଭାବେ ଏଭଳି ଗୃହ ନିର୍ମାଣ ପାଇଁ  ଭୁବନେଶ୍ୱରର ଦୁଇଟି ଜାଗାକୁ ସରକାର ଚିହ୍ନଟ  କରିଛନ୍ତି । ଗାଡ଼କଣରେ ୫ ଏକର ଜାଗା ଚିହ୍ନଟ  କରାଯାଇଛି । ସେହିପରି ଘାଟିକିଆରେ ମଧ୍ୟ ଜାଗା  ଚିହ୍ନଟ ହୋଇଛି । ସାଧାରଣ ପ୍ରଶାସନ ବିଭାଗ  ପକ୍ଷରୁ ମାଗଣାରେ ଜାଗା ଯୋଗାଇ ଦେବାକୁ  ନଗର ଉନ୍ନୟନ ବିଭାଗ ଚିଠି କରିବ । 

ଏମ୍‌ଆଇଜି, ଏଲ୍‌ଆଇଜି, ଏଲ୍‌ଆଇଜି -୧,  ଏମ୍‌ଆଇଜି-୨ ଆଦି ୪ କିସମର ଘର ତିଆରି  କରିବେ ସରକାର । ୧୫ ଲକ୍ଷରୁ ୫୦ ଲକ୍ଷ ଟଙ୍କା  ଭିତରେ ଏହି ସବୁ ଘର ମିଳିବ । ଫଳରେ ସ୍ୱଳ୍ପ  ଆୟକାରୀ ତଥା ମଧ୍ୟବିତ୍ତ ପରିବାରର ସହର  ଭିତରେ ଘର ସ୍ୱପ୍ନ ପୂରଣ ହେବ । ଲଟେରି  ମାଧ୍ୟମରେ ଘର ଆବଣ୍ଟନ କରାଯିବ ବୋଲି  କହିଛନ୍ତି ମନ୍ତ୍ରୀ । ଧନୀ ଲୋକମାନେ ଏହି ଘର  ପାଇଁ ଆବେଦନ କରିପାରିବେନି ।  

ମନ୍ତ୍ରୀ ଆହୁରି କହିଛନ୍ତି ଯେ ସହରକୁ  ବସ୍ତିଶୂନ୍ୟ କରିବା ପାଇଁ ଯୋଜନା ଆଣିବାକୁ  ଯାଉଛନ୍ତି ସରକାର । ଏଥିଲାଗି ଭୁବନେଶ୍ୱରରେ  ୨୫ ହଜାର ନୂଆ ଆବାସ ନିର୍ମାଣ କରାଯିବ ।  ମିଳିତ ଭାବେ ବିଡିଏ ଓ ବିଏମ୍‌ସି ୯୦ ଦିନ  ଭିତରେ ଏଥିଲାଗି ଜାଗା ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ରାଜଧାନୀ ଭୁବନେଶ୍ୱର  ନୁହେଁ, କଟକ ମହାନଗର ନିଗମ, ରାଉରକେଲା,  ସମ୍ବଲପୁର ଓ ବ୍ରହ୍ମପୁରରେ ରାଜ୍ୟ ସରକାର  ସୁଲଭ ମୂଲ୍ୟରେ ଘର ଯୋଗାଇ ଦେବେ । ଓଡ଼ିଶା  ରାଜ୍ୟ ହାଉସିଂ ବୋର୍ଡ ଏବଂ ଉନ୍ନୟନ କର୍ତ୍ତୃପକ୍ଷ  ମିଶି ଏହି ସବୁ ଘର ତିଆରି କରିବେ ।