କଟକ,୦୯/୦୫: ସାନ୍ତାଳୀ ଭାଷାରେ ପ୍ରକାଶ ପାଇବାକୁ ଯାଉଛି ଛବିଳ ‘ବର୍ଣ୍ଣବୋଧ’ । ଆସନ୍ତା କିଛି ଦିନ ଭିତରେ ଏହା ବଜାରରେ ଉପଲବ୍ଧ ହେବ । ଓଡ଼ିଶାରେ ପ୍ରଥମଥର ପାଇଁ କୌଣସି ପ୍ରାନ୍ତୀୟ ତଥା ଆଦିବାସୀ ଭାଷାରେ ବର୍ଣ୍ଣବୋଧ ପ୍ରକାଶ ପାଇବ ।  ଓଡ଼ିଶା ବୁକ୍‌ ଏମ୍ପୋରିୟମ୍‌ ତରଫରୁ ଏଭଳି ଅଭିନ ଉଦ୍ୟମ ଆରମ୍ଭ କରାଯାଉଥିବା ବେଳେ ଓଡ଼ିଶା ସମେତ ଅନ୍ୟ ରାଜ୍ୟରେ ମଧ୍ୟ ଏହା ପ୍ରଚଳନ ହେବାର ସୁଯୋଗ ସୃଷ୍ଟି କରିବ । ପୁସ୍ତକର ମୂଳ ଡିଜାଇନ୍‌ ଯାହା ରହିଛି ସେୟା ରହିବ, କେବଳ  ଓଡ଼ିଆ ବଦଳରେ ସାନ୍ତାଳୀ ଭାଷାରେ ଛପାଯାଉଛି । 

ଓଡ଼ିଆ ବର୍ଣ୍ଣବୋଧ ହେଉଛି ଓଡ଼ିଆ ଭାଷାର ମୂଳ ଆଧାର ପୁସ୍ତକ । ଯାହା ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ବର୍ଣ୍ଣମାଳା,  ଶବ୍ଦ ଓ ମୌଳିକ ବ୍ୟାକରଣ ଶିଖାଇବା ପାଇଁ ବ୍ୟବହୃତ  ହୁଏ । ଓଡ଼ିଶା ବୁକ୍‌ ଏମ୍ପୋରିୟମ୍‌ ତରଫରୁ ପ୍ରତିବର୍ଷ ପ୍ରାୟ  ୩୫ ଲକ୍ଷ ଛବିଳ ମଧୁ ବର୍ଣ୍ଣବୋଧ ବିକ୍ରି କରାଯାଉଛି । ସାନ୍ତାଳୀ ଭାଷା ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରୁଥିବା କେନ୍ଦୁଝରର ରାଜେନ୍ଦ୍ର ହାଁସଦା କିଛି ମାସ ପୂର୍ବରୁ ଓଡ଼ିଶା  ବୁକ୍‌ ଏମ୍ପୋରିୟମ୍‌କୁ ସାନ୍ତାଳୀ ଭାଷାରେ ବର୍ଣ୍ଣବୋଧ ଛାପିବାକୁ ଅନୁରୋଧ କରିଥିଲେ । ଏହାର ପାଣ୍ଡୁଲିପି  ଆଣି ପ୍ରକାଶନୀ ସଂସ୍ଥାର ସତ୍ତ୍ୱାଧିକାରୀ ଶିବାଶିଷ କରଙ୍କୁ  ଭେଟିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ୫ ହଜାର ପୁସ୍ତକ  ଛପା ଯାଇଥିବା ବେଳେ ଆସନ୍ତା ସପ୍ତାହେ ଭିତରେ  ଏହା ବଜାରରେ ଉପଲବ୍ଧ ହେବ ବୋଲି ଶ୍ରୀ କର  କହିଛନ୍ତି । ପୁସ୍ତକ ବଜାରକୁ ଯିବା ପୂର୍ବରୁ ପ୍ରକାଶନୀ  ସଂସ୍ଥା ତରଫରୁ ଏହାର କଭର ଫଟୋ ସାମ୍ନାକୁ ଆସିଛି । 

ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଆଦି  ଜିଲ୍ଲାରେ ସାନ୍ତାଳୀ ଭାଷାର ବହୁଳ ବ୍ୟବହାର ଦେଖିବାକୁ  ମିଳେ । ସେହିପରି ଝାଡ଼ଖଣ୍ଡରେ ସାନ୍ତାଳ ଜନଜାତିର  ବଡ଼ ଜନସଂଖ୍ୟା ରହିଛି । ପଶ୍ଚିମବଙ୍ଗର ମେଦିନାପୁର,  ବାଙ୍କୁଡ଼ା, ପୁରୁଲିଆ ସମେତ ବିହାରର ପୂର୍ବାଞ୍ଚଳ ଜିଲ୍ଲାଗୁଡ଼ିକରେ ସାନ୍ତାଳୀ ଭାଷା ବ୍ୟବହାର କରାଯାଏ ।  ୨୦୦୩ରେ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାନ୍ତାଳୀ  ଭାଷାକୁ ସ୍ଥାନ ଦିଆଯାଇଛି। ସାନ୍ତାଳୀ ଭାଷାର ଅଲ୍‌ଚିକି  ଲିପିର ସ୍ରଷ୍ଟା ଏବଂ ଜଣେ କମ୍ବଦନ୍ତୀ କବି ଭାବେ ପରିଚିତ  ପଣ୍ଡିତ ରଘୁନାଥ ମୁର୍ମୁ । ସେହିପରି ମହେଶ୍ୱର ସୋରେନ  ସାନ୍ତାଳୀ ଭାଷାରେ ତାଙ୍କ ରଚିତ ନାଟକ ପାଇଁ ୨୦୨୪ରେ  କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଛନ୍ତି ।  ଏକ ଗୌରବମୟ କୀର୍ତ୍ତି ବହନ କରୁଥିବା ସାନ୍ତାଳୀ  ଭାଷାରେ ବର୍ଣ୍ଣବୋଧ ପ୍ରକାଶ ପାଇବା ଏ ଜନଜାତିର  ଭାଷା ସାହିତ୍ୟକୁ ଆହୁରି ସମୃଦ୍ଧ କରିବ ବୋଲି ଆଶା ।