ନୂଆଦିଲ୍ଲୀ: ଛତିଶଗଡ଼ର ଶକ୍ତି ଜିଲ୍ଲାର ସିଙ୍ଘିତରାଇରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଥିବା ବେଦାନ୍ତ ପାୱାର ପ୍ଲାଣ୍ଟରେ ବଏଲର ବିସ୍ଫୋରଣ ଯୋଗୁଁ ୯ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବିସ୍ଫୋରଣରେ ଅନେକ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି। ଏହି ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣା ପରେ ରାଇଗଡ଼ର ଜିନ୍ଦଲ ଫୋର୍ଟିସ୍ ହସ୍ପିଟାଲରେ ୨୧ ଜଣଙ୍କୁ ଭର୍ତ୍ତି କରାଯାଇଛି । କିଛି ଜଣଙ୍କୁ ରାୟଗଡ଼ ମେଡିକାଲ୍ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସା ସମୟରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପଟେ ପ୍ଲାଣ୍ଟରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୋଟ ମୃତ୍ୟୁ ସଂଖ୍ୟା ୯ କୁ ପହଞ୍ଚିଛି।

ଜଣେ ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ,"ଶକ୍ତି ଜିଲ୍ଲାର ସିଂଘିତରାଇ ଅଞ୍ଚଳରେ ଥିବା ବେଦାନ୍ତ ପାୱାର ପ୍ଲାଣ୍ଟରେ ଏକ ବଏଲର ବିସ୍ଫୋରଣରେ ୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୫ ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ରାୟଗଡ଼ର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।"

ଗୋଟିଏ ବର୍ଷ ପୂର୍ବେ (ମାର୍ଚ୍ଚ ୨୦୨୫), ଉତ୍ତର ପ୍ରଦେଶର ଗାଜିଆବାଦର ଏକ କାରଖାନାରେ ଏକ ବଏଲର ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ। ଏହି ବଏଲର ବିସ୍ଫୋରଣ ଗାଜିଆବାଦ ଜିଲ୍ଲାର ଭୋଜପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଥିଲା। ଏହି ଦୁର୍ଘଟଣା ଏକ କାଗଜ ମିଲରେ ଘଟିଥିଲା, ଯେଉଁଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀ ମାନେ କହିଥିଲେ ଯେ, ଶ୍ରମିକ ମାନେ କାମ କରୁଥିବା ସମୟରେ ହଠାତ୍ ବଏଲରଟି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଶ୍ରମିକମାନେ କିଛି ଫୁଟ ଦୂରରେ ଛିଟିକି ପଡ଼ିଥିଲେ ।

ଏହା ସହ ପଢନ୍ତୁ : ଭାରତରେ ଅଛନ୍ତି ଏମିତି ଜନଜାତି, ଯେଉଁମାନେ ଶବକୁ ଜଳାନ୍ତିନି କି କବର ବି ଦିଅନ୍ତିନି, ବରଂ ୧୦୮ ଖଣ୍ଡ କରି ଜଳାଶୟରେ ମାଛକୁ ଦିଅନ୍ତି ଖାଇବାକୁ...