କୋରାପୁଟ ,୨୯/୫(ଆପ୍ର) : ପେଟଗୁଡ଼ା ଜଙ୍ଗଲରେ କମ୍ବିଂ ବେଳେ ଛତିଶଗଡର ମାଓବାଦୀ ଏରିଆ କମିଟି ମେମ୍ବର କୁଞ୍ଜମ ହିଡମା ଗିରଫ । ତାଙ୍କ ନିକଟରୁ ଏକେ ୪୭ବନ୍ଧୁକ, ଗୁଳି ସହ ଅନ୍ୟାନ୍ୟ ମାଓ ସରଞ୍ଜାମ ପୋଲି ସ ଜବତ କରିଛି। ଏ ନେଇ ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଏସପି ସୂଚନା ଦେଇଛନ୍ତି।
ସାମ୍ୱାଦିକ ସମ୍ମିଳନୀ ରେ ଏସପି ରୋହିତ ବର୍ମା କହିଛନ୍ତି ଯେ, ବୈପାରିଗୁଡ଼ାର ପେଟଗୁଡା ଜଙ୍ଗଲ ଦେଇ ଛତିଶଗଡର ଏକ ମାଓବାଦୀ ଦଳ ଓଡ଼ିଶା ଦେଇ ଆନ୍ଧ୍ର ଯିବା ପାଇଁ ଚେଷ୍ଟା କରୁଥିବା ବେଳେ ପୋଲିସ ସୂଚନା ପାଇଥିଲା।କୋରାପୁଟ ଜିଲ୍ଲା ପୋଲିସ ଦ୍ୱାରା ୨୮ ତାରିଖ ରାତିରେ ପାର୍ଥ କଶ୍ୟପ ଏସଡିପିଓ ଜୟପୁର ଓ ଦିବ୍ୟ ପ୍ରସାଦ ପରିଡା ସହକାରୀ କମଣ୍ଡାଣ୍ଟ ,ଡିଭିଏଫ ଦଳ ସହ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଥିଲେ। ୨୯ ତାରିଖ ସକାଳେ ଡିଭିଏଫ୍ ପେଟଗୁଡା ପାହାଡ଼ରେ ଏକ ଦଳ ମାଓବାଦୀଙ୍କୁ ଶିବିର ପକାଇଥିବା ଦେଖି ଘେରାଉ କରିଥିଲେ । ମାଓବାଦୀମାନେ ଡିଭିଏଫ ଦଳ ଉପରେ ଗୁଳି ଚଳାଇ ଜଙ୍ଗଲକୁ ପଳାଇଯାଇଥିଲେ । ଜବାବରେ ଡିଭିଏଫ ଆତ୍ମରକ୍ଷା ପାଇଁ ପାଲଟା ଗୁଳି ଚାଳନା କରିଥିଲେ। ପରବର୍ତ୍ତୀ ସମୟରେ ପୋଲିସ ଖୋଜା ଖୋଜି କରିବାରୁ ଜଣେ ମାଓ କ୍ୟାଡର ନିକଟସ୍ଥ ବୁଦାରେ ଲୁଚିବାକୁ ଚେଷ୍ଟା କରୁଥିବା ବେଳେ ଧରାପଡ଼ିଥିଲା ଏବଂ ଅନ୍ୟ ଜଣେ ଖସିଯିବାରେ ସଫଳ ହୋଇଥିଲେ। ଡିଭିଏଫ ଦଳ ଜଣେ ଦୁର୍ଦ୍ଧାନ୍ତ ହାର୍ଡକୋର ମାଓବାଦୀଙ୍କୁ ସଫଳତାର ସହ ଧରିପାରିଥିଲେ ଯାହାର ନା କୁଞ୍ଜମ ହିଡମା( ଆଲିଆସ ମୋହନ ) ଗ୍ରାମ ଯାନାଗୁଡା ଛତିଶଗଡ ବୋଲି ଜଣା ପଡ଼ିଛି। ପୋଲିସ ତା’ ନିକଟରୁ ଗୋଟିଏ ଏକେ ୪୭ ବନ୍ଧୁକ, ୩୫ ରାଉଣ୍ଡ ଗୁଳି ,ବୈଦ୍ୟୁତିକ ଡେଟୋନେଟର ୨୭ଟି, ଅଣବୈଦ୍ୟୁତିକ ଡେଟୋନେଟର ୯୦ଟି,ବନ୍ଧୁକ ପାଉଡର ୨ କେଜି,ଷ୍ଟିଲ୍ ପାତ୍ର,ରେଡିଓ,ଇୟରଫୋନ୍ ୱାକି-ଟକି,ସ୍ପେୟାର ବ୍ୟାଟେରୀ , ଛୁରୀ,କଟୁରି ,ଛୋଟ କୁରାଢ଼ି/ମାଚେଟ୍,ଟର୍ଚ୍ଚ ଲାଇଟ , ମାଓବାଦୀ ବହି ପ୍ରଭୁତି ଜବତ କରିଛି।
କୁଞ୍ଜମ ହିଡମା ୨୦୦୭ ମସିହାରେ ୧୪ ବର୍ଷ ବୟସରେ ମାଓବାଦୀ ସଂଗଠନରେ ଯୋଗ ଦେଇଥିଲେ। ମାଓବାଦୀଙ୍କ ସାଂସ୍କୃତିକ ଶାଖା ଜନନାଟ୍ୟ ମଣ୍ଡଳୀ ରେ ସାମିଲ ହୋଇଥିଲା । ୨୦୦୭ ରୁ ୨୦୧୩ ପର୍ଯ୍ୟନ୍ତ, ସେ ବାଲ୍ ସଂଘମ୍ ଏବଂ ନାଟ୍ୟ ମଣ୍ଡଳୀ ସହିତ ଜଡିତ ଥିଲା। ସେ ଉସୁର ସ୍ଥାନୀୟ ସଂଗଠନ ସ୍କ୍ୱାଡ୍ ରେ ରହି ସାମରିକ ତାଲିମ ନେଇଥିଲା, ଯେଉଁ ସମୟରେ ତାଙ୍କୁ ଏକ ସିଙ୍ଗଲ୍-ସଟ୍ ରାଇଫଲ୍ ପ୍ରଦାନ କରାଯାଇଥିଲା। ମାଓବାଦୀ ସୁରେଶ ଅଧୀନରେ ଦଳୀୟ ସଦସ୍ୟ ଭାବରେ କାର୍ଯ୍ୟ କରିଥିଲା।୨୦୧୬ ମସିହାରେ ସେ ଆନ୍ଧ୍ର ଓଡ଼ିଶା ସୀମା ପ୍ଲାଟୁନରେ କାର୍ଯ୍ୟ କରିବା ଆରମ୍ଭ କରିଥିଲା ଏବଂ ପରବର୍ତ୍ତୀ ସମୟରେ ୨୦୧୯ ମସିହାରେ ତାଙ୍କୁ କ୍ଷେତ୍ର କମିଟି ସଦସ୍ୟ ପଦ ଦିଆ ଯାଇଥିଲା। ସେ ସୁରେଶ ରାଜ୍ୟକ୍ଷେତ୍ର କମିଟି ସଦସ୍ୟଙ୍କ ଅଧୀନରେ ଏକ ସାମରିକ ପ୍ଲାଟୁନରେ କାର୍ଯ୍ୟ କରିଥିଲା। ଯାହା କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ଅଞ୍ଚଳ, ମାଲକାନଗିରି ଜିଲ୍ଲା ଓଡିଶାର କଟ-ଅଫ୍ ଅଞ୍ଚଳ ଏବଂ ଏ ଏସ ଆର ଜିଲ୍ଲା ଆନ୍ଧ୍ର ପ୍ରଦେଶର ପେଡାବାଇଲୁ ଅଞ୍ଚଳରେ କାର୍ଯ୍ୟ କରିଥିଲା। ୨୦୨୧-୨୦୨୨ ମଧ୍ୟରେ, ତାଙ୍କୁ ଏ ଆନ୍ଧ୍ରା ଓଡ଼ିଶା ସୀମା ର ପ୍ଲାଟୁନ ସେକ୍ସନ୍-୦୧ ରେ ନିଯୁକ୍ତି ଦିଆଯାଇଥିଲା, ଯାହା ଛତିଶଗଡ଼ର ବିଜାପୁର ଜିଲ୍ଲାର ପାମେଡ୍ ଅଞ୍ଚଳରେ କାର୍ଯ୍ୟ କରୁଥିଲା।୨୦୨୩ ରେ ତାଙ୍କୁ ସୁକମା ଜିଲ୍ଲା ଅନ୍ତର୍ଗତ କେରଲାପାଲ ଅଞ୍ଚଳରେ ପ୍ଲାଟୁନ୍-୨୪ କୁ ସ୍ଥାନାନ୍ତର କରାଯାଇଥିଲା। ୨୦୨୪ ରେ, ଅସ୍ଥାୟୀ ଭାବରେ ପ୍ଲାଟୁନ୍-୨୬ କୁ ସ୍ଥାନାନ୍ତର କରାଯାଇଥିଲା, ଯାହା ସୁକମାର ମାଲକାନଗିରି ଅଞ୍ଚଳରେ କାର୍ଯ୍ୟ କରୁଥିଲା।ସେ ଏପ୍ରିଲ ୨୦୨୫ ରେ ଆନ୍ଧ୍ର ଓଡ଼ିଶା ସୀମା ୟୁନିଟ୍ କୁ ଫେରି ଆସିଥିଲେ ଏବଂ ସେବେଠାରୁ ସକ୍ରିୟ ଅଛନ୍ତି। ଏଓବି ଦଳରେ ସୁରେଶ ଙ୍କ ନେତୃତ୍ୱରେ, ସେ ଛତିଶଗଡ଼ର ଦକ୍ଷିଣ ବସ୍ତର ଏବଂ କେରଲାପାଲ ଅଞ୍ଚଳରେ ଏରିଆ କମିଟି ମେମ୍ବର ଭାବରେ କାର୍ଯ୍ୟ କରୁଥିଲେ। ଚାନ୍ଦାମେଟା . କୋଣ୍ଡାଝରୀ . କୁମ୍ଭୀଖରୀ , କୋଲେଙ୍ଗଡବା ଇତ୍ୟାଦି ଘଟଣା ରେ ସାମିଲ ଥିବା ବେଳେ ଓ ବୈପାରିଗୁଡ଼ା ର ୪ ଟି ମାଓବାଦୀ ମାମଲାରେ ଓ ମାଲକାନଗିରି ର ମାଥିଲି ର ତିନିଟି ମାମଲା ରେ ସେ ସାମିଲ ରହିଛି ବୋଲି ଏସ ପି କହିଛନ୍ତି। ସାମ୍ୱାଦିକ ସମ୍ମିଳନୀରେ ଏସଡିପିଓ ଶ୍ରୀ ପାର୍ଥ କାଶ୍ୟପ ଉପସ୍ଥିତ ଥିଲେ।