ଭୁବନେଶ୍ୱର,୦୪/୦୮: ସାଧାରଣତଃ ନଭେମ୍ବରଠାରୁ ଫେବ୍ରୁଆରୀ ମାସ ଭିତରେ ହାଡ଼ଫୁଟି ଦେଖାଦେଇଥାଏ । ହେଲେ ବର୍ତ୍ତମାନ ସଂକ୍ରମଣ କ୍ଷେତ୍ରରେ ପରିବର୍ତ୍ତନ  ଆସିଛି । ଏବେ ସବୁ ଋତୁରେ ହାଡ଼ଫୁଟି ଦେଖାଗଲାଣି । ଯାହାକୁ  ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତାରେ ଅଛନ୍ତି । ଏବେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ହାଡ଼ଫୁଟିରେ ସଂକ୍ରମିତ ହେଲେଣି । ଜଳବାୟୁରେ  ପରିବର୍ତ୍ତନ ଓ ଭୂତାଣୁ ଯୋଗୁ ସଂକ୍ରମଣ ବ୍ୟାପୁଥିବା ବିଶେଷଜ୍ଞ ମତ ରଖିଛନ୍ତି । 

ନୟାଗଡ଼, ଗଞ୍ଜାମ, କୋରାପୁଟ,  ମାଲକାନଗିରି, ବାଲେଶ୍ୱର, ଯାଜପୁର,  ଅନୁଗୁଳ ଓ ସମ୍ବଲପୁର ଜିଲ୍ଲାରେ  ହାଡ଼ଫୁଟି ସଂକ୍ରମଣ ହୋଇଛି । ସଂକ୍ରମଣ ସ୍ଥିତି ସେଭଳି ଗମ୍ଭୀର ନଥିଲା ବେଳେ ଅଦିନରେ ଦେଖା ଦେଇଛି । କ୍ୟାପଟାଲ ହସ୍ପିଟାଲ ଭେଷଜ ବିଶେଷଜ୍ଞ ଡାକ୍ତର ରଞ୍ଜନ ରାଜ ଦାସ  କହିଛନ୍ତି, ବର୍ତ୍ତମାନ ଜଳବାୟୁରେ  ପରିବର୍ତ୍ତନ ଓ ଭୂତାଣୁ ସଂକ୍ରମଣ ଯୋଗୁ ହାଡ଼ଫୁଟିରେ ବ୍ୟାପୁଛି । ଏହି  ସଂକ୍ରମଣ ସାଧାରଣତଃ ଶୀତ ଓ ବସନ୍ତ  ଋତୁରେ ଦେଖା ଦେଇଥାଏ । ହେଲେ  ଆରଏମ୍‌ଆରସି କହିଛି, ଏହି ରୋଗ  ଏତେ ମାରାତ୍ମକ ନୁହେଁ । ରୋଗୀ  ଶୀଘ୍ର ସୁସ୍ଥ ହେଇଯାଆନ୍ତି । ଯେହେତୁ  ଜଳବାୟୁ ପରିବର୍ତ୍ତନ ଲାଗି ହେଉଛି,  ରାଜ୍ୟରେ ସେଭଳି କୌଣସି ବଡ଼  ଧରଣର ସଂକ୍ରମଣ ଖବର ଆସିନି । 

କ୍ୟାପିଟାଲ ହସ୍ପିଟାଲ ଚର୍ମ ବିଭାଗ  ବିଶେଷଜ୍ଞ କହିଛନ୍ତି, ଏହି ମାସେ ଭିତରେ ୨୦ ପାଖାପାଖି ହାଡ଼ଫୁଟି ରୋଗୀ ଆସିଛନ୍ତି । ଯେଉଁମାନଙ୍କ ଚର୍ମ ଅଧିକ ପ୍ରଭାବିତ ହେଉଛି  ସେମାନେ ଏଠାକୁ ଚିକିତ୍ସା ପାଇଁ  ଆସୁଛନ୍ତି । ସଂକ୍ରମିତ ଅତିକମ୍‌ରେ  ୭ଦିନ ଏକାନ୍ତବାସରେ ରହିବା  ଉଚିତ। ଆଉ ପରିବାର ଲୋକଙ୍କ ସଂସ୍ପର୍ଶରେ ଆସିବା କଥା ନୁହେଁ । 

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିଲେ  ହାଡ଼ଫୁଟି ହୋଇଥାଏ। ଏଥିରେ ଛୋଟ  ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ଆକ୍ରାନ୍ତ  ହୋଇଥାନ୍ତି । ହେଲେ ବର୍ତ୍ତମାନ ରାଜ୍ୟରେ ହାଡ଼ଫୁଟି ବଢ଼ିଥିବା ନେଇ  ସେଭଳି କୌଣସି ସୂଚନା ନାହିଁ ।  ଭାରିସେଲା ଜୋଷ୍ଟର ଭୂତାଣୁ  ଯୋଗୁଁ ହାଡ଼ଫୁଟି ହୋଇଥାଏ । ଏହି  ରୋଗରେ ସଂକ୍ରମିତଙ୍କ ଦେହସାରା  ଫୋଟକା ଭଳି ଫଳିଯାଏ । 

କେନ୍ଦ୍ର  ପରିସଂଖ୍ୟାନ ଓ କାର୍ଯ୍ୟାନ୍ୱୟନ  ମନ୍ତ୍ରଣାଳୟ ତଥ୍ୟ ଅନୁସାରେ,  ୨୦୨୧ରେ ଦେଶରେ ୧୦ ହଜାରରୁ  ଅଧିକ ମାମଲା ନଜରକୁ ଆସିଥିଲା ।  ୨୦୨୨ରେ ଏହା ୨୦ହଜାର ଟପିଥିଲା ।  ଏହି ବର୍ଷ ମୃତ୍ୟୁ ସଂଖ୍ୟା ୧୦ରୁ ଅଧିକ  ରହିଥିଲା । ୨୦୨୨ରେ ଓଡ଼ିଶାରେ ୫ଶହରୁ ଅଧିକ ସଂକ୍ରମଣ ମାମଲା  ନଜରକୁ ଆସିଛି । ହେଲେ ଓଡ଼ିଶା  ସରକାରଙ୍କ ପାଖରେ ସଂକ୍ରମିତଙ୍କ  ସମ୍ପର୍କରେ କିଛି ତଥ୍ୟ ନାହିଁ । ଟିକା ନେଇଥିବା ପିଲା  ହାଡ଼ଫୁଟିରେ ଆକ୍ରାନ୍ତ ହେବାର  ଆଶଙ୍କା କମ୍‌ । ଯେଉଁମାନେ ବି   ସଂକ୍ରମିତ ହୋଇଥାନ୍ତି,  ସେମାନଙ୍କଠାରେ କମ୍‌ ଲକ୍ଷଣ  ଦେଖିବାକୁ ମିଳିଥାଏ । ମାତ୍ର କେନ୍ଦ୍ର  ସରକାରଙ୍କ ପକ୍ଷରୁ ଜାରି ରହିଥିବା  ଟିକାକରଣ କାର୍ଯ୍ୟକ୍ରମରେ ହାଡ଼ଫୁଟି  ପାଇଁ କୌଣସି ଟିକା ଦିଆଯାଉନାହିଁ ।  ଏଥିପାଇଁ ଅଭିଭାବକମାନଙ୍କୁ ବାହାରୁ  ଟିକା କିଣି ଦେବାକୁ ପଡ଼ୁଛି ।